ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପକ୍ଷରୁ ଦାୟର ରେଫରେନ୍ସ ଉପରେ ବୁଧବାର ସୁପ୍ରିମକୋର୍ଟଙ୍କ ୫ଜଣିଆ ସାମ୍ବିଧାନିକ ପୀଠ ୭ମ ଦିନ ପାଇଁ ଶୁଣାଣି କରିଛନ୍ତି। ବୁଧବାର ଶୁଣାଣି ସମୟରେ ଅଣ ବିଜେପି ଶାସିତ ରାଜ୍ୟ ସରକାରଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଛି। ଯୁକ୍ତି ବେଳେ ତାମିଲନାଡୁ, ପଶ୍ଚିମବଙ୍ଗ, କର୍ଣ୍ଣାଟକ ଓ ହିମାଚଳ ପ୍ରଦେଶ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ବିଧାନସଭାରେ ଗୃହୀତ ବିଲ୍କୁ ମଞ୍ଜୁରୀ ପ୍ରଦାନ ପାଇଁ ରାଜ୍ୟପାଳଙ୍କୁ ୩ମାସ ସମୟ ଦିଆଯିବା ବହୁତ ଅଧିକ। ତେଣୁ ଏହି ସମୟକୁ ହ୍ରାସ କରାଯିବା ଦରକାର। ନାମକୁମାତ୍ର ଶାସନ ମୁଖ୍ୟ କୁହାଯାଉଥିବା ରାଜ୍ୟପାଳଙ୍କୁ ଯଥାଶୀଘ୍ର ବିଲ୍କୁ ମଞ୍ଜୁରୀ ପ୍ରଦାନ କରିବା ଲାଗି ନିର୍ଦେଶ ଦିଆଯିବା ଦରକାର। ବିଧାନସଭା ଦ୍ବାରା ଗୃହୀତ ବିଧେୟକକୁ ମଞ୍ଜୁରୀ ନିମନ୍ତେ ରାଜ୍ୟପାଳଙ୍କ ଲାଗି ଗତ ଏପ୍ରିଲରେ ସୁପ୍ରିମକୋର୍ଟଙ୍କ ଦୁଇଜଣିଆ ବିଚାରପତି ପୀଠ ୩ମାସ ସମୟ ସୀମା ଧାର୍ଯ୍ୟ କରିଥିଲେ। ଏହାକୁ ନେଇ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ରେଫରେନ୍ସ ଦାୟର କରିଛନ୍ତି। ପ୍ରେସିଡେନ୍ସିଆଲ ରେଫରେନ୍ସ ଉପରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଭୂଷଣ ରାମକୃଷ୍ଣ ଗବଇଙ୍କ ନେତୃତ୍ବରେ ୫ଜଣିଆ ସାମ୍ବିଧାନିକ ପୀଠ ଶୁଣାଣି କରୁଛନ୍ତି। ପୀଠରେ ଥିବା ଅନ୍ୟ ବିଚାରପତିମାନେ ହେଲେ ଜଷ୍ଟିସ ସୂର୍ଯ୍ୟ କାନ୍ତ, ଜଷ୍ଟିସ ବିକ୍ରମ ନାଥ, ଜଷ୍ଟିସ ପିଏସ୍ ନରସିଂହ ଓ ଜଷ୍ଟିସ ଏଏସ୍ ଚନ୍ଦୁରକର। ୭ମ ଦିନର ଶୁଣାଣି ସମୟରେ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ପ୍ରତିନିଧିତ୍ବ କରୁଥିବା ବରିଷ୍ଠ ଓକିଲ କପିଲ ସିବଲ କହିଥିଲେ ଯେ ରାଜ୍ୟପାଳମାନେ ବିଧେୟକକୁ ନାମଞ୍ଜୁର କରିବାର କ୍ଷମତା ଦିଆଯିବା ଉଚିତ୍ ନୁହେଁ। ଏହାଦ୍ବାରା ରାଜ୍ୟବାସୀଙ୍କର ସ୍ବାର୍ଥରେ କ୍ଷତି ପହଞ୍ଚୁଛି। କାରଣ ରାଜ୍ୟବାସୀଙ୍କ ସ୍ବାର୍ଥ ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଧେୟକ ପ୍ରସ୍ତୁତ କରିଥାନ୍ତି। ଏପରି କ୍ଷେତ୍ରରେ ରାଜ୍ୟପାଳ ବିଲ୍କୁ ନାମଞ୍ଜୁର କରିବା କିମ୍ବା ଦୀର୍ଘ ଦିନ ନିଜ ପାଖରେ ଅଟକାଇ ରଖିବାର ଯଥାର୍ଥତା ନାହିଁ। ତେଣୁ ରାଜ୍ୟପାଳଙ୍କ ଏପରି କ୍ଷମତା ପରିସର ଉପରେ ନ୍ୟାୟିକ ତର୍ଜମା ହେବା ଜରୁରୀ ବୋଲି ସିବଲ କହିଛନ୍ତି।
ବିରୋଧୀ ପକ୍ଷର ଅନ୍ୟତମ ଓକିଲ ଅଭିଷେକ ମନୁ ସିିଙ୍ଘଭୀ କହିଥିଲେ ଯେ ରାଜ୍ୟପାଳମାନେ ରାଜ୍ୟର ଆଳଙ୍କାରିକ ମୁଖ୍ୟ। ସେମାନଙ୍କ ନିକଟରେ କୌଣସି ବ୍ୟବସ୍ଥାପିକା କ୍ଷମତା ନାହିଁ। ସେମାନେ ସବୁବେଳେ ମନ୍ତ୍ରିପରିଷଦର ପରାମର୍ଶରେ କାର୍ଯ୍ୟ କରିବାକୁ ବାଧ୍ୟ। ଏପରି କି କୌଣସି ବିଲ୍କୁ ପୁନଃବିଚାର ପାଇଁ ଫେରାଇବା କିମ୍ବା ବିଲ୍କୁ ମଞ୍ଜୁରୀ ପ୍ରଦାନ କ୍ଷେତ୍ରରେ ମଧ୍ୟ ରାଜ୍ୟପାଳ ମନ୍ତ୍ରିପରିଷଦର ପରାମର୍ଶକୁ ଗ୍ରହଣ କରିଥାନ୍ତି। ମନ୍ତ୍ରିପରିଷଦ ଯଦି ଅନୁଭବ କରେ ଯେ ବର୍ତ୍ତମାନ ସମୟରେ ବିଲ୍କୁ ଆଇନର ପରିଣତ କରିବା ସମ୍ଭବ ନୁହେଁ ତେବେ ଏହା ରାଜ୍ୟପାଳଙ୍କୁ ବିଲ୍କୁ କିଛି ସମୟ ଅଟକାଇ ରଖିବାକୁ ପରାମର୍ଶ ଦେଇଥାଏ। ସେହିପରି ମନ୍ତ୍ରିପରିଷଦ ଯଦି ଅନୁଭବ କରେ ଯେ ବିଲ୍କୁ ତରବରିଆ ଭାବେ ଅନୁମୋଦନ କରାଯାଇଛି ତେବେ ଏହା ରାଜ୍ୟପାଳଙ୍କୁ ବିଧେୟକକୁ ପୁନଃବିଚାର ଲାଗି ଫେରାଇବାକୁ ପରାମର୍ଶ ଦିଏ।
ଏହା ପୂର୍ବରୁ ମଙ୍ଗଳବାର ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଥିଲେ ଯେ ବିଧାନସଭା ଦ୍ବାରା ଗୃହୀତ ବିଧେୟକକୁ ଅନୁମୋଦନ କରିବା ଲାଗି ରାଜ୍ୟପାଳ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଅଟକାଇ ପାରିବେ ନାହିଁ। ୫ଜଣ ବିଚାରପତିଙ୍କ ମଧ୍ୟରୁ ତିନିଜଣ ବିଚାରପତି ଏପରି ମତବ୍ୟକ୍ତ କରିଥିଲେ। ସେମାନେ ହେଲେ ପ୍ରଧାନ ବିଚାରପତି ଗବଇ, ବିଚାରପତି ବିକ୍ରମ ନାଥ ଓ ବିଚାରପତି ପିଏସ୍ ନରସିଂହ। ବିଚାରପତି ନରସିଂହ କହିଛନ୍ତି ଯେ କୌଣସି ସଂସ୍ଥା ସାମ୍ବିଧାନିକ କାର୍ଯ୍ୟରେ ବାଧା ସୃଷ୍ଟି କରିପାରିବେ ନାହିଁ।
ଅନ୍ୟପଟେ ଗତ ଏପ୍ରିଲରେ ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ଶୁଣାଣି ସମୟରେ ଦେଇଥିବା ରାୟରେ ବିଲ୍ ଅନୁମୋଦନ ନିମନ୍ତେ ରାଜ୍ୟପାଳଙ୍କ ପାଇଁ ସମୟସୀମା ଧାର୍ଯ୍ୟ କରାଯାଇଥିଲା। ଏପରି କ୍ଷେତ୍ରରେ ରାଜ୍ୟପାଳ ଯଦି ଧାର୍ଯ୍ୟ ସମୟ ମଧ୍ୟରେ ବିଧେୟକକୁ ଅନୁମୋଦନ ନ କରନ୍ତି ତେବେ ତାଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଚାଲୁ କରାଯିବ କି ନାହିଁ ତାହା ପ୍ରଶ୍ନର ବିଷୟ ହୋଇଛି। ନିଜର ପ୍ରେସିଡେନ୍ସିଆଲ ରେଫରେନ୍ସରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ସୁପ୍ରିମକୋର୍ଟଙ୍କୁ ୧୪ଟି ପ୍ରଶ୍ନ ପଚାରିଛନ୍ତି। ଏହା ମଧ୍ୟରେ ମୁଖ୍ୟ ପ୍ରଶ୍ନ ହେଉଛି ବିଲ୍କୁ ମଞ୍ଜୁରୀ ପ୍ରଦାନ କ୍ଷେତ୍ରରେ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ନିମନ୍ତେ ସମୟ ସୀମା ନିର୍ଦ୍ଧାରଣ ଲାଗି ସୁପ୍ରିମକୋର୍ଟଙ୍କ କ୍ଷମତା ରହିଛି କି ନାହିଁ। ତାମିଲନାଡୁ ସରକାରଙ୍କ ଦ୍ବାରା ଗୃହୀତ ୧୦ଟି ବିଧେୟକକୁ ମଞ୍ଜୁରୀ ପ୍ରଦାନ କରିବା କ୍ଷେତ୍ରରେ ରାଜ୍ୟପାଳ ଅହେତୁକ ବିଳମ୍ବ କରିଥିଲେ। ଏହାକୁ ନେଇ ଏପ୍ରିଲ ୮ରେ ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ବିଚାରପତି ପୀଠ ଶୁଣାଣି କରି ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ନିମନ୍ତେ ବିଲ୍ ମଞ୍ଜୁରୀ ଲାଗି ସମୟ ସୀମା ଧାର୍ଯ୍ୟ କରିଥିଲେ। ବିଚାରପତି ଜେପି ପର୍ଡିୱାଲା ଓ ବିଚାରପତି ଆର ମହାଦେବନଙ୍କ ପୀଠ ଏପରି ସମୟ ସୀମା ନିର୍ଦ୍ଧାରଣ କରିଥିଲେ। ଯାହାକୁ ନେଇ ରାଷ୍ଟ୍ରପତିଙ୍କ ପକ୍ଷରୁ ରେଫରେନ୍ସ ଦାୟର କରାଯାଇଛି।



