ଅନୁଗୋଳ: ଅନୁଗୋଳ ଜିଲ୍ଲା ନିଶା ଥାନା ଅନ୍ତର୍ଗତ ସାନ କେରଜାଙ୍ଗ ଗ୍ରାମର ଡାବରଧୁଆଁ ଗ୍ରାମରେ ରବିବାର ଏକ ଅଘଟଣ ଘଟିଛି। ନଳକୂପକୁ ପାଣି ପାଇଁ ଯାଉଥିବା ବେଳେ କାନ୍ଥ ପଡ଼ିଯିବାରୁ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ମୃତା ଜଣକ ହେଲେ କରୁଣା ମହାଳିକଙ୍କ ସ୍ତ୍ରୀ ପ୍ରମିଳା ମହାଳିକ(୬୦)।
ସୂଚନା ଅନୁସାରେ, କିଛି ଦିନ ହେଲା ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଗ୍ରାମର ବ୍ରଜ ମୋହନ ଦେବତାଙ୍କ ଘର କାନ୍ଥ ଭୁଶୁଡ଼ି ପଡିଥିଲା। ଏହି ସମୟରେ ସେହି ବାଟ ଦେଇ ପ୍ରମିଳା ନଳକୂପକୁ ପାଣି ପାଇଁ ଯାଉଥିଲେ। ଫଳରେ କାନ୍ଥ ତାଙ୍କ ଉପରେ ପଡ଼ିଯାଇଥିଲା। ପରିବାର ଲୋକ ଦେଖି ସଙ୍ଗେ ସଙ୍ଗେ ପ୍ରମିଳାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପ୍ରମିଳାଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ବାଟରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।



