ସଶସ୍ତ୍ରବାହିନୀ ପାଇଁ ତିନୋଟି ସୁପର ସ୍ପେଶିଆଲିଟି ହସ୍ପିଟାଲ ନିର୍ମାଣ ହେବ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ଜାତୀୟ ଯୁଦ୍ଧ ସ୍ମାରକୀକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ସ୍ୱାଧୀନତା ପରଠାରୁ ଦେଶ ସେବା ପାଇଁ ବଳିଦାନ ଦେଇଥିବା ଭାରତୀୟ ସଶସ୍ତ୍ର ବାହିନୀର ୨୫ ହଜାରରୁ ଅଧିକ ସୈନ୍ୟଙ୍କ ସମ୍ମାନରେ ଏହି ସ୍ମାରକୀ ନିର୍ମାଣ କରାଯାଇଛି ।
ଜାତୀୟ ଯୁଦ୍ଧ ସ୍ମାରକୀ ‘ଅମର ଚକ୍ର’, ‘ବୀରତା ଚକ୍ର’, ‘ତ୍ୟାଗ ଚକ୍ର’ ଏବଂ ‘ରକ୍ଷକ ଚକ୍ର’ ଭଳି ଚାରୋଟି ସମକେନ୍ଦ୍ରକୁ ନେଇ ନିର୍ମାଣ କରାଯାଇଛି।
ଜାତୀୟ ଯୁଦ୍ଧ ସ୍ମାରକ ପରିସରରେ ଏକ କେନ୍ଦ୍ରୀୟ ଚତୁସ୍କୋଣ ସ୍ତମ୍ଭ, ଏକ ଇଣ୍ଟର୍ଣ୍ଣାଲ ଫ୍ଲେମ, ଏବଂ ଭାରତୀୟ ସ୍ଥଳ ସେନା, ବାୟୁ ସେନା ଏବଂ ନୌସେନା ଲଢିଥିବା ପ୍ରସିଦ୍ଧ ଯୁଦ୍ଧକୁ ଦର୍ଶାଉଥିବା ଛଅଟି କାଂସ୍ୟ ଚିତ୍ର ସାମିଲ କରାଯାଇଛି।
ପରମବୀର ଚକ୍ରର ୨୧ ପୁରସ୍କାର ବିଜେତାମାନଙ୍କର ଅର୍ଦ୍ଧ ପ୍ରତିମୂର୍ତ୍ତି ପରମ ଯୋଦ୍ଧା ସ୍ଥଳରେ ଲଗାଯାଇଛି, ସେଥିରେ ତିନି ଜଣ ଜୀବିତ ପୁରସ୍କାର ବିଜେତା ସୁବେଦାର (ହନି କ୍ୟାପ୍ଟେନ) ବାନା ସିଂହ (ଅବସରପ୍ରାପ୍ତ), ସୁବେଦାର ମେଜର ଯୋଗେନ୍ଦ୍ର ସିଂହ ଯାଦବ ଏବଂ ସୁବେଦାର ସଂଜୟ କୁମାରଙ୍କୁ ସାମିଲ କରାଯାଇଛି ।
ଯୁଦ୍ଧ ସ୍ମାରକୀକୁ ଉତ୍ସର୍ଗ କରିବା ପୂର୍ବରୁ ପୂର୍ବତନ ସେନାବାହିନୀ କର୍ମଚାରୀମାନଙ୍କୁ ଉଦବୋଧନ ଦେଇ ଶ୍ରୀ ମୋଦୀ କହିଛନ୍ତି, ଭାରତୀୟ ସେନାବାହିନୀ ବିଶ୍ୱର ସବୁଠୁ ସାହାସୀ ବାହିନୀ ମଧ୍ୟରୁ ଅନ୍ୟତମ। ସେ କହିଛନ୍ତି ଦେଶର ସୈନ୍ୟମାନେ ସର୍ବଦା ଆହ୍ୱାନକୁ ଗ୍ରହଣ କରିଛନ୍ତି ଓ ସାହସିକତାର ସହ ଏହାର ସାମ୍ନା କରିଛନ୍ତି । ଭାରତୀୟ ସଶସ୍ତ୍ର ବାହିନୀକୁ ଆତ୍ମନିର୍ଭରଶୀଳ କରାଇବା ପାଇଁ ତାଙ୍କ ସରକାର ସର୍ବଦା କାର୍ଯ୍ୟ କରିଛନ୍ତି । ଭାରତୀୟ ସୈନ୍ୟମାନଙ୍କର ସାହସିକତା ଯୋଗୁଁ ଆର୍ନ୍ତଜାତିକ ସ୍ତରରେ ନବଭାରତ ଦ୍ରୁତ ଗତିରେ ବିକାଶ ଆଡକୁ ଅଗ୍ରସର ହେଉଛି ବୋଲି ଶ୍ରୀ ମୋଦୀ କହିଛନ୍ତି। ପୁଲୱାମା ଆତଙ୍କବାଦୀ ଆକ୍ରମଣର ଶହୀଦମାନଙ୍କ ପ୍ରତି ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ପୂର୍ବତନ ସେନାବାହିନୀ କର୍ମଚାରୀମାନଙ୍କ ପାଇଁ ଗୋଟିଏ ପଦବୀ, ଗୋଟିଏ ପେନସନ୍ ବ୍ୟବସ୍ଥା ତାଙ୍କ ସରକାର ଲାଗୁ କରିଛନ୍ତି ଓ ଏହି ଯୋଜନା ବାବଦରେ ଏପର୍ଯ୍ୟନ୍ତ ୩୫ହଜାର କୋଟି ଟଙ୍କା ଦିଆଯାଇଛି । ତାଙ୍କ ସରକାର ସୈନ୍ୟମାନଙ୍କର ଆବଶ୍ୟକତା ଗୁଡିକ ପ୍ରତି ଯତ୍ନଶୀଳ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସଶସ୍ତ୍ରବାହିନୀ ପାଇଁ ତିନୋଟି ସୁପର ସ୍ପେଶିଆଲିଟି ହସ୍ପିଟାଲ ନିର୍ମାଣ କରିବା ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି।
ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସ ଉପରେ ବର୍ଷିଛନ୍ତି । ସେନାବାହିନୀ ପାଇଁ ଏକ ଲକ୍ଷ ୮୬ହଜାର ବୁଲେଟ ପ୍ରୁଫ ଜ୍ୟାକେଟ ଆବଶ୍ୟକତରକୁ ପୂରଣ କରି ନ ଥିବାରୁ ସେ ପୂର୍ବ ସରକାରଙ୍କର ସମାଲୋଚନା କରିଛନ୍ତି । ୨୦୦୯ରୁ ୨୦୧୪ ମଧ୍ୟରେ ଗୋଟିଏ ହେଲେ ଜ୍ୟାକେଟ ମଧ୍ୟ କିଣାଯାଇ ନ ଥିଲା ବୋଲି ଶ୍ରୀ ମୋଦି କହିଛନ୍ତି । କିନ୍ତୁ ତାଙ୍କ ସରକାର ମାତ୍ର ସାଢେ ୪ବର୍ଷ ସମୟ ମଧ୍ୟରେ ଦୁଇ ଲକ୍ଷ ୩୦ହଜାରରୁ ଅଧିକ ବୁଲେଟ ପ୍ରୁଫ ଜ୍ୟାକେଟ ଯୋଗାଇ ଦେଇଛନ୍ତି ।
ସେହିପରି କଂଗ୍ରେସର ସମାଲୋଚନା କରି କଂଗ୍ରେସ ଦଳ ରାଫେଲ ଯୁଦ୍ଧବିମାନ କିଣାରେ ବିଳମ୍ବ ଘଟାଇବା ସହ ବାଧକ ସାଜିଛି ବୋଲି ସେ ଅଭିଯୋଗ କରିଛନ୍ତି । କଂଗ୍ରେସର ବରିଷ୍ଠ ନେତାମାନେ ଭିଭିଆଇପି ହେଲକପ୍ଟର କିଣା ସମେତ ବହୁ ପ୍ରତିରକ୍ଷା କାରବାର ର୍ଦୁନୀତିରେ ଲିପ୍ତ ଥିଲେ ବୋଲି ସେ ଦୋଷାରୋପ କରିଛନ୍ତି।
ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଦେଶର ବୀର ଯବାନମାନଙ୍କ ସ୍ମୃତିରେ ସ୍ମାରକୀ ନିର୍ମାଣ ପାଇଁ ସରକାର ତାଙ୍କ ପ୍ରତିଶ୍ରୁତିର ପୂରଣ କରିଛନ୍ତି। ଏହି ସ୍ମାରକୀ ଲୋକମାନଙ୍କୁ ଦେଶର ଯବାନମାନଙ୍କ ବୀରତ୍ୱ ବିଷୟରେ ସ୍ମରଣ କରାଇବ। ଦୀର୍ଘଦିନରୁ ଦେଶ ଏହି ଦିନକୁ ଅପେକ୍ଷା କରି ରହିଥିଲା ବୋଲି ସେ କହିଛନ୍ତି।



