ନୂଆଦିଲ୍ଲୀ: ଦିଲ୍ଲୀ ଓ ଏନ୍ସିଆରରୁ ବୁଲା କୁକୁରଙ୍କୁ ହଟାଇବାକୁ ସୁପ୍ରିମକୋର୍ଟ ନିକଟରେ ଦିଲ୍ଲୀ ସରକାରଙ୍କୁ ଯେଉଁ ନିର୍ଦେଶ ଦେଇଛନ୍ତି, ତାହାକୁ ନେଇ ଦ୍ବନ୍ଦ୍ବ ଉପୁଜିଛି। ବୁଧବାର ପ୍ରଧାନ ବିଚାରପତି ଜଷ୍ଟିସ ବି.ଆର.ଗବଇଙ୍କ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି କରାଯାଇଛି। ନନିତା ଶର୍ମା ନାମ୍ନୀ ଜଣେ ବରିଷ୍ଠ ଆଇନଜୀବୀ ଏ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ପୃଥକ ଖଣ୍ଡପୀଠ ଦେଇଥିବା ରାୟ ସମ୍ପର୍କରେ ପ୍ରଧାନ ବିଚାରପତିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଗୋଟିଏ ଖଣ୍ଡପୀଠ ବୁଲା କୁକୁରଙ୍କ ବନ୍ଧ୍ୟାକରଣ କରିବାକୁ ନିର୍ଦେଶ ଦେଇଥିବାବେଳେ ଅନ୍ୟ ଏକ ଖଣ୍ଡପୀଠ ବୁଲା କୁକୁରଙ୍କୁ ତୁରନ୍ତ ହଟାଇ ଆଶ୍ରୟସ୍ଥଳରେ ରଖିବାକୁ ନିର୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଜଷ୍ଟିସ ଗବଇଙ୍କ ନିର୍ଦେଶକ୍ରମେ ଜଷ୍ଟିସ ବିକ୍ରମ ନାଥ, ଜଷ୍ଟିସ ସନ୍ଦୀପ ମେହେଟ୍ଟା ଓ ଜଷ୍ଟିସ ଏନ.ଭି.ଅଞ୍ଜାରିଆଙ୍କୁ ନେଇ ତିନିଜଣିଆ ପୀଠ ଗଠନ କରାଯାଇଛି। ଗୁରୁବାର ଏହି ପୀଠରେ ବୁଲା କୁକୁର ହଟାଇବା ମାମଲାର ଶୁଣାଣି କରାଯିବ।
ସୂଚନାଯୋଗ୍ୟ ୨୦୨୪ରେ ସୁପ୍ରିମକୋର୍ଟରେ ବୁଲା କୁକୁରଙ୍କ ଦୌରାତ୍ମ୍ୟ ସମ୍ପର୍କିତ ମାମଲାର ଶୁଣାଣି କରାଯାଇଥିଲା। ବୁଲା କୁକୁରଙ୍କ ବନ୍ଧ୍ୟାକରଣ କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ଜଷ୍ଟିସ ସଞ୍ଜୟ କାରୋଲ ଓ ଜଷ୍ଟିସ ଜେ.କେ.ମାହେଶ୍ବରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ସେତେବେଳେ ରାୟ ଦେଇଥିଲେ। ବୁଲା କୁକୁରଙ୍କୁ ହତ୍ୟା କିମ୍ବା ଅନ୍ୟତ୍ର ସ୍ଥାନାନ୍ତର ଦାବିକୁ ଖଣ୍ଡପୀଠ ଅଗ୍ରାହ୍ୟ କରିଥିଲେ। ଏବିସି (ଆନିମଲ ବାର୍ଥ କଣ୍ଟ୍ରୋଲ) ନିୟମ ଅନୁଯାୟୀ ବୁଲା କୁକୁରଙ୍କୁ ନିୟମିତ ଟିକା (ଜଳାତଙ୍କ ନିରୋଧୀ) ଦିଆଯିବା ସହ ସେମାନଙ୍କର ବନ୍ଧ୍ୟାକରଣ କରାଯିବ ବୋଲି ବ୍ୟବସ୍ଥା ରହିଛି। ଅପରପକ୍ଷରେ ଜଷ୍ଟିସ ଜେ.ବି.ପାର୍ଦିୱାଲା ଓ ଜଷ୍ଟିସ ଆର.ମହାଦେବନଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟ ଖଣ୍ଡପୀଠ ଗତ ସୋମବାର ଏ ସଂକ୍ରାନ୍ତରେ ଆଗତ ପିଟିସନ୍ର ଶୁଣାଣି କରି ୮ ସପ୍ତାହ ମଧ୍ୟରେ ଦିଲ୍ଲୀ/ଏନସିଆରରୁ ସବୁ ବୁଲା କୁକୁରଙ୍କୁ ସ୍ଥାନାନ୍ତର କରି ଆଶ୍ରୟସ୍ଥଳରେ ରଖିବାକୁ ଦିଲ୍ଲୀ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ଏ ପ୍ରସଙ୍ଗରେ କୌଣସି ନିୟମକୁ କାର୍ଯ୍ୟକାରୀ କରାଯିବ ନାହିଁ କିମ୍ବା ଭାବପ୍ରବଣତାକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି। ଏହି ଅଭିଯାନରେ ବାଧା ସୃଷ୍ଟି କରୁଥିବା ବ୍ୟକ୍ତି ବିଶେଷ କିମ୍ବା ପ୍ରଶୁପ୍ରେମୀ ସଂଗଠନ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଖଣ୍ଡପୀଠ ନିର୍ଦେଶ ଦେଇଛନ୍ତି।
ବୁଲା କୁକୁରଙ୍କ ନିୟମିତ ଟିକାକରଣ ଏବଂ ବନ୍ଧ୍ୟାକରଣ କରିବାକୁ ମ୍ୟୁନିସିପାଲ କର୍ପୋରେସନ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦିଆଯାଉ ବୋଲି ଦାବି କରି ୨୦୧୮ରେ ଦିଲ୍ଲୀ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର କରାଯାଇଥିଲା। ତେବେ ହାଇକୋର୍ଟ କୌଣସି ସ୍ପଷ୍ଟ ନିର୍ଦେଶ ନ ଦେଇ ୨୦୨୩ ଅଗଷ୍ଟରେ ମାମଲାକୁ ଖାରଜ କରିଥିଲେ। ଏହାର ପ୍ରତିବାଦରେ ପିଟିସନକାରୀ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଜଷ୍ଟିସ ବି.ଆର.ଗବଇ ଓ ଜଷ୍ଟିସ କେ.ଭି.ବିଶ୍ବନାଥନଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟ ଖଣ୍ଡପୀଠ ୨୦୨୪ ସେପ୍ଟେମ୍ବର ୧୭ରେ ଏହାର ଶୁଣାଣି କରି ଚାରି ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ଦିଲ୍ଲୀ ମ୍ୟୁନିସିପାଲ କର୍ପୋସେନକୁ ନୋଟିସ ଇସ୍ୟୁ କରିଥିଲେ। ଏହାପରଠାରୁ ମାମଲାର ଶୁଣାଣି କରାଯାଇନଥିବା ଜଣାପଡିଛି। ବୁଧବାର ଶୁଣାଣି ସମୟରେ ନନିତା ଶର୍ମା ୨୦୨୪ ସେପ୍ଟେମ୍ବର ୧୭ ନିର୍ଦେଶନାମା ସମ୍ପର୍କରେ ଉଲ୍ଲେଖ କରିଛନ୍ତି।



