www.samajalive.in
Monday, December 8, 2025
27.1 C
Bhubaneswar

ସ୍ଥାନାନ୍ତରବେଳେ ବିଦ୍ୟୁତ୍ ଖୁଣ୍ଟ ଖସି ଛାତ୍ର ମୃତ; ୧୬ ଲକ୍ଷ ସହାୟତା ରାଶି ପ୍ରଦାନ ପ୍ରତିଶ୍ରୁତି

ସମ୍ବଲପୁର: ରେଳଧାରଣା ନିକଟସ୍ଥ ଏକ ବିଦ୍ୟୁତ୍ ଖୁଣ୍ଟକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଥିବା ସମୟରେ ଏହା ଏକ ଛାତ୍ରଙ୍କ ଉପରେ ପଡ଼ିଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ସ୍ଥାନୀୟ ଫାଟକ ରେଳଧାରଣା କଡରେ ଥିବା ବୁଢ଼ାରଜା ୟୁପି ସ୍କୁଲର ଜଣେ ୬ଷ୍ଠ ଶ୍ରେଣୀର ଛାତ୍ର ଦିପୁ ଯାଦବ (୧୧)ଙ୍କ ଉପରେ ଏହି ବିଦ୍ୟୁତ୍‌ ଲୁହା ଖୁଣ୍ଟ ଖସି ପଡ଼ିଥିଲା। ଫଳରେ ଦିପୁଙ୍କ ଡାହାଣ ଗୋଡରେ ଗଭୀର ଆଘାତ ଲାଗିବା ସହ ମୁଣ୍ଡ ପଛପଟେ ମାଡ ହୋଇଥିଲା। ତୁରନ୍ତ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ସ୍କୁଲ ଚାଲୁଥିବା ସମୟରେ ସୋମବାର ଅପରାହ୍ଣ ପ୍ରାୟ ୩ଟା ୪୫ରେ ବିଦ୍ୟାଳୟ ପରିସରକୁ ଲାଗି ଯାଇଥିବା ରେଳଧାରଣା ନିକଟସ୍ଥ ଏହି ବିଦ୍ୟୁତ୍‌ ଖୁଣ୍ଟକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଥିଲା ା ତେବେ ତାହା ହଠାତ୍‌ ଖସି ପଡ଼ିବାରୁ ବିଦ୍ୟାଳୟ ପାଚେରି ନିକଟରେ ପରିସ୍ରା କରୁଥିବା ଛାତ୍ର ବିହାରିପଡ଼ାର ଦିପୁଙ୍କ ଉପରେ ପଡ଼ିଥିବା ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଉଜାଗର ପ୍ରଧାନ ସୂଚନା ଦେଇଛନ୍ତି।

ଏନେଇ ବିଦ୍ୟାଳୟର ଶିକ୍ଷୟିତ୍ରୀ ପ୍ରଜ୍ଞା ପ୍ରଧାନ କହିଛନ୍ତି, ଅପରାହ୍ଣ ୩ଟା ୪୫ ମିନିଟ୍‌ରେ ଅନୁମତି ନେଇ ଛାତ୍ରଜଣକ ପରିସ୍ରା କରିବାକୁ ଯାଇଥିବା ବେଳେ ପାଚେରିର ଅପରପାର୍ଶ୍ବରେ ଥିବା ଏକ ଲୁହା ଖୁଣ୍ଟ ତାଙ୍କ ଉପରେ ପଡ଼ି ଯାଇଥିଲା। ତୁରନ୍ତ ତାଙ୍କୁ ଅଟୋରେ ଡାକ୍ତରଖାନା ନେଇଥିଲୁ, କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ା
ଏହି ଘଟଣାକୁ ନେଇ ଛାତ୍ର ରହୁଥିବା ଦେହେରିପାଲି ଅଞ୍ଚଳବାସୀ ଜିଲା ମୁଖ୍ୟ ଡାକ୍ତରଖାନାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ ଏବଂ ପରିବାରର ଜଣେ ସଦସ୍ୟଙ୍କୁ ରେଳ ବିଭାଗରେ ଚାକିରି ପାଇଁ ଦାବି କରିଥିଲେ। ରାତି ୧୦ଟା ପର୍ଯ୍ୟନ୍ତ ଜିଲା ମୁଖ୍ୟ ଡାକ୍ତରଖାନାରେ ଉତ୍ତେଜନା ଲାଗି ରହିଥିଲା ା ଘଟଣାକୁ ନେଇ ରାଜନୀତି ଜୋର୍‌ ଧରିଛି ା ବିଜେପି ଓ ବିଜେଡି ଦଳର ନେତାମାନେ ଜିଲା ମୁଖ୍ୟ ଡାକ୍ତରଖାନାରେ ଉପସ୍ଥିତ ଥିଲେ। ରେଳବିଭାଗର ଅତିରିକ୍ତ ମଣ୍ଡଳ ପ୍ରବନ୍ଧକଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ଆର୍‌ପିଏଫ୍‌, ଜିଆର୍‌ପି, ଜିଲା ପ୍ରଶାସନ ଅଧିକାରୀ ଓ ପୁଲିସ ଅଧିକାରୀମାନେ ଜିଲା ମୁଖ୍ୟ ଡାକ୍ତରଖାନାରେ ଉପସ୍ଥିତ ରହି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିଲେ।

- Advertisement -

ଦିପୁ ଯାଦବଙ୍କ ପ୍ରାଣହାନି ଘଟଣା ବିଷୟରେ ଜାଣି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହ ତାଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ଏହାସହ ମୃତକଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଏହାସହ ରେଳ ବିଭାଗ ପକ୍ଷରୁ ୧୦ ଲକ୍ଷ ଟଙ୍କା ଏବଂ ଜିଲା ପ୍ରଶାସନ ପକ୍ଷରୁ ୨ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ ପାଇଁ ପ୍ରତିଶ୍ରୁତି ଦିଆଯାଇଥିବା ଜଣାପଡ଼ିଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories