ସମାଜ ଡିଜିଟାଲ ଡେସ୍କ: ମା’ର ଅସାବଧାନତା ପାଇଁ ଏକ ଶିଶୁକନ୍ୟାର ଜୀବନ ଚାଲିଯାଇଛି। ଝରକାବାଟେ ଶିଶୁଟି ୧୨ ମହଲାରୁ ଖସିପଡ଼ିବାରୁ ତା’ର ମୃତ୍ୟୁ ଘଟିଛି। ମୁମ୍ବଇର ନାଇଗାଓଁରେ ବୁଧବାର ରାତି ୮ଟାରେ ଏହି ଘଟଣା ଘଟିଛି।
ସୂଚନା ଅନୁସାରେ, ନାଇଗାଓଁରେ ଥିବା ଏକ ଆପାର୍ଟମେଣ୍ଟର ଗୋଟିଏ ଫ୍ଲାଟରେ ଏହି ପରିବାର ରହୁଥିଲେ। ଶିଶୁକନ୍ୟାଟି ବାରମ୍ବାର ଘର ବାହାରକୁ ଚାଲିଯାଉଥିବାରୁ ମା’ କବାଟ ବନ୍ଦ କରିଦେଇଥିଲେ। ଏହା ପରେ ପିଲାକୁ ଉଠାଇ ଝରକା ନିକଟରେ ଥିବା ଏକ ଜୋତା ଷ୍ଟାଣ୍ଡ ଉପରେ ବସାଇ ଦେଇଥିଲେ। ଏହି ସମୟରେ ପିଲାଟି ଷ୍ଟାଣ୍ଡରେ ଚଢ଼ି ଝରକା ଉପରେ ଗୋଡ଼ ରଖିବାକୁ ଉଦ୍ୟମ କରିଥିଲା। କିଛି ସମୟ ମଧ୍ୟରେ ପିଲାଟିର ଗୋଡ଼ ଖସିଯିବା ସହିତ ଝରକା ବାଟେ ବାହାରକୁ ଖସିପଡ଼ିଥିଲା। ଏହା ଦେଖି ପିଲାଟିର ମା’ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ। କିନ୍ତୁ ସେତେବେଳକୁ ପିଲାଟି ତଳକୁ ଖସିପଡ଼ିଥିଲା। ସ୍ଥାନୀୟ ଲୋକେ ପିଲାଟିକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।



