www.samajalive.in
Monday, December 8, 2025
27.1 C
Bhubaneswar

ସଜାଗ ହେଲେ ସରକାର – ଆସିବ ଶକ୍ତିଶ୍ରୀ ଆପ୍‌, ସେଫ କ୍ୟାମ୍ପେନ୍‌ ଓ ଅନଲାଇନ ପାଠ୍ୟକ୍ରମ

ଡେସ୍କ: ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନ କ୍ୟାମ୍ପସରେ ଛାତ୍ରୀମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାରେ ସହାୟକ ହେବ ଶକ୍ତିଶ୍ରୀ ଆପ୍‌, ସେଫ କ୍ୟାମ୍ପେନ୍‌ ଓ ଅନଲାଇନ ପାଠ୍ୟକ୍ରମ। ଛାତ୍ରୀମାନଙ୍କ ପାଇଁ ସୁରକ୍ଷିତ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ‘ଶକ୍ତିଶ୍ରୀ’ ଯୋଜନାର ଘୋଷଣା କରିଛନ୍ତି। ଏଥି ସହିତ ମୁଖ୍ୟମନ୍ତ୍ରୀ ଶକ୍ତିଶ୍ରୀ ମୋବାଇଲ ଆପ୍‌ କାର୍ଯ୍ୟକାରୀ ହେବ ବୋଲି ଘୋଷଣା କରିଛନ୍ତି।

ଶକ୍ତିଶ୍ରୀ ମୋବାଇଲ ଆପ୍‌ ମାଧ୍ୟମରେ ଛାତ୍ରୀମାନଙ୍କୁ ସଚେତନ କରାଯିବା ସହ କଲେଜମାନଙ୍କରେ ଥିବା ଆଭ୍ୟନ୍ତରୀଣ ଅଭିଯୋଗ କମିଟି, ଏହାର ନିୟମାବଳୀ ଏବଂ କାର୍ଯ୍ୟ ସମ୍ବନ୍ଧରେ ସମସ୍ତ ସୂଚନା ପ୍ରଦାନ କରାଯିବ। ଏଥିସହ କମିଟିର ଅଧ୍ୟକ୍ଷ ଓ ସଦସ୍ୟମାନଙ୍କର ଫୋନ୍‌ ନମ୍ବର ମଧ୍ୟ ପ୍ରଦାନ କରାଯିବ। ଯଦି କୌଣସି ଛାତ୍ରୀ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୁଅନ୍ତି, ତେବେ ସେ ନିଜର ପରିଚୟକୁ ଗୋପନୀୟ ରଖି ନିଜର ଅଭିଯୋଗକୁ ସେହି ଆପ୍‌ରେ ପଞ୍ଜିକୃତ କରିପାରିବେ। ଅଭିଯୋଗଟି ଆପ୍‌ରେ ପଞ୍ଜିକୃତ ହୋଇ ସାରିବା ପରେ ଏହା ସିଧାସଳଖ ଉକ୍ତ ଛାତ୍ରୀ ପଢୁଥିବା ଶିକ୍ଷାନୁଷ୍ଠାନର ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ଅଧ୍ୟକ୍ଷଙ୍କ ନିକଟରେ ପହଂଚିବ।

- Advertisement -

ଅନ୍ୟ ପକ୍ଷରେ ଛାତ୍ରୀମାନେ ଯଦି ଚିନ୍ତାଗ୍ରସ୍ତ ଓ ମାନସିକ ଉଦବେଳନ ଆଦି ସମସ୍ୟାର ସମ୍ମୁଖୀନ ହୁଅନ୍ତି, ତେବେ ଶକ୍ତିଶ୍ରୀ ମୋବାଇଲ ଆପ୍ ମାଧ୍ୟମରେ ସେମାନେ ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ସିଧା ସଳଖ କଥା ହୋଇ ଉପଯୁକ୍ତ ପରାମର୍ଶ ନେଇପାରିବେ। ଶକ୍ତିଶ୍ରୀ ଆପରେ ଛାତ୍ରୀମାନଙ୍କ ପାଇଁ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ଟେଲି-ମାନସ ଯୋଜନାର ସୁବିଧା ମଧ୍ୟ ଉପଲବ୍ଧ ହେବ। ଏଥିସହ ଜରୁରୀକାଳୀନ ପରିସ୍ଥିତିରେ ଶକ୍ତିଶ୍ରୀ ମୋବାଇଲ ଆପରେ ରହିଥିବା SOS ବଟନକୁ ବ୍ୟବହାର କରି ଛାତ୍ରୀମାନେ ସିଧାସଳଖ ଶକ୍ତିଶ୍ରୀ ସାଥୀ ଏବଂ ଶକ୍ତିଶ୍ରୀ ସଂଯୋଜିକାଙ୍କ ସହ କଥା ହୋଇପାରିବେ ଓ ତୁରନ୍ତ ସାହାଯ୍ୟ ପାଇପାରିବେ।

ସୂଚନା ମୁତାବକ ଶକ୍ତିଶ୍ରୀ ମୋବାଇଲ ଆପରେ ବିଭିନ୍ନ ଜିଲ୍ଲାରେ ଥିବା ଲୋକାଲ୍ କମିଟି ସମ୍ବନ୍ଧରେ ମଧ୍ୟ ସବିଶେଷ ବିବରଣୀ ପ୍ରଦାନ କରାଯିବ। ଅନ୍ୟପକ୍ଷରେ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀମାନଙ୍କ ପାଇଁ ସ୍ୱତନ୍ତ୍ର କୋଡ଼ ଅଫ୍ କଣ୍ଡକ୍ଟ ଲାଗୁ କରାଯିବା ସହ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ଏକ ବାର୍ଷିକ ଅନଲାଇନ୍‌ ପ୍ରଶିକ୍ଷଣ ମଡ୍ୟୁଲକୁ ସମ୍ପୂର୍ଣ୍ଣ କରିବେ, ଯାହାଦ୍ୱାରା ସେମାନଙ୍କ ମଧ୍ୟରେ ମହିଳା ସୁରକ୍ଷା, ଲିଙ୍ଗଗତ ସମ୍ବେଦନଶୀଳତା ସମ୍ବନ୍ଧରେ ସଚେତନତା ବୃଦ୍ଧି ହୋଇପାରିବ।

ଲିଙ୍ଗଗତ ସମାନତା ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା ଏବଂ ମହିଳା ସଶକ୍ତିକରଣକୁ ପ୍ରୋତ୍ସାହିତ କରିବା ନିମନ୍ତେ Shaktishree Actions for Female Empowerment ବା ସେଫ (SAFE) ନାମକ ଏକ କ୍ୟାମ୍ପେନ୍‌ର ଆୟୋଜନ କରାଯିବ। ଏହି କ୍ୟାମ୍ପେନ୍‌ ମାଧ୍ୟମରେ ବାର୍ଷିକ ଦୁଇ ଥର ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର, ମହିଳାଙ୍କ ସୁରକ୍ଷା ଓ ଅଧିକାର ସମ୍ବନ୍ଧୀୟ ସଚେତନତା କର୍ମଶାଳା ଆଦିର ଆୟୋଜନ କରାଯିବ। ଏହା ଛାତ୍ରୀମାନଙ୍କର ଆତ୍ମ ବିଶ୍ୱାସ ବୃଦ୍ଧି କରିବା ସହ ଛାତ୍ରୀମାନଙ୍କୁ ଏକ ସୁରକ୍ଷିତ ଶୈକ୍ଷିକ ପରିବେଶ ପ୍ରଦାନ କରିବାରେ ସହାୟକ ହେବ।

ଏହା ବ୍ୟତୀତ କ୍ୟାମ୍ପସ ସୁରକ୍ଷାକୁ ନେଇ ପ୍ରତ୍ୟେକ କଲେଜ, ନିଜର ଏକ ବାର୍ଷିକ ରିପୋର୍ଟ ପ୍ରତିବର୍ଷ ଡିସେମ୍ବର ମାସ ୩୧ ତାରିଖ ସୁଦ୍ଧା ପ୍ରଦାନ କରିବେ। ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ସିସିଟିଭି କ୍ୟାମେରା ଲଗାଯିବ, ଯାହାଦ୍ୱାରା କଲେଜ କ୍ୟାମ୍ପସକୁ ୨୪ ଘଣ୍ଟା ନିରୀକ୍ଷଣ କରାଯାଇପାରିବ। କାର୍ଯ୍ୟସ୍ଥଳରେ ମହିଳାଙ୍କ ଯୌନ ଉତ୍ପୀଡନ (ନିବାରଣ, ନିଷେଧ ଓ ପ୍ରତିକାର) ଅଧିନିୟମ, ୨୦୧୩ ଏବଂ ଏହି ସମ୍ବନ୍ଧରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀ ସମ୍ବନ୍ଧରେ ଅନଲାଇନ କୋର୍ସ ପ୍ରଦାନ କରାଯିବ। ସୂଚନା ଅନୁଯାୟୀ, ରାଜ୍ୟର ସମସ୍ତ ଶକ୍ତିଶ୍ରୀ ସାଥୀ, ଶକ୍ତିଶ୍ରୀ ସଂଯୋଜିକା ଓ ଶକ୍ତି ଅପାମାନଙ୍କ ପାଇଁ ବାର୍ଷିକ ଏକ-ଦିବସୀୟ କର୍ମଶାଳା “ଶକ୍ତି ସ୍ୱରୂପିଣୀ”ର ଆୟୋଜନ କରାଯିବ।

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories