ଭୁବନେଶ୍ବର: ଇଞ୍ଜିନିୟରିଂ ବିଭାଗ ଗୁଡ଼ିକରେ ଇଞ୍ଜିନିୟର, ବିଶେଷଜ୍ଞଙ୍କ ଅଭାବ ନାହିଁ। କିନ୍ତୁ ବର୍ଷ ବର୍ଷ ଧରି ଠିକା ସଂସ୍ଥା ନିୟୋଜନ କରି ସରକାର ଅର୍ଥ ଶ୍ରାଦ୍ଧ କରାଯିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଖୋଳତାଡ଼ ଆରମ୍ଭ ପରେ ଏବେ ଛନକା ପଶିଛି। ରାତି ପାହିଲେ ଠିକା ସଂସ୍ଥାର କର୍ମକର୍ତ୍ତା ଆସି ମୁଖ୍ୟାଳୟରେ ଭିଡ଼ ଜମାଉଛନ୍ତି। ଏପଟେ ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନ ଉପରେ କ’ଣ ଉତ୍ତର ରଖାଯିବ ତାକୁ ନେଇ ବାବୁ ମାନଙ୍କ ଭିତରେ ଭାଳେଣି ପଡ଼ିଲାଣି।
ରାଜ୍ୟ ସରକାରଙ୍କ ଅନେକ ବିଭାଗରେ ଯନ୍ତ୍ରୀ ନିୟୋଜିତ ହୋଇଛନ୍ତି। ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ଜନସ୍ବାସ୍ଥ୍ୟ, ପଞ୍ଚାୟତିରାଜ, ଜଳ ସମ୍ପଦ ଭଳି ପ୍ରମୁଖ ଇଞ୍ଜିନିୟରିଂ ବିଭାଗରେ ଶହ ଶହ ଯନ୍ତ୍ରୀ ଦରମା ପାଉଛନ୍ତି। ସର୍ବୋଚ୍ଚ ଯନ୍ତ୍ରୀଙ୍କ ଠାରୁ କନିଷ୍ଠ ଯନ୍ତ୍ରୀଙ୍କ ଅଭାବ ନାହିଁ। ସରକାରୀ ପ୍ରକଳ୍ପରେ ସର୍ଭେ, ଡିଜାଇନ, ଅନୁସନ୍ଧାନ, ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର), ବ୍ୟୟ ଆକଳନ (ଏଷ୍ଟିମେଟ) ଆଦି କାର୍ଯ୍ୟ ଏହି ଅଧିକାରୀଙ୍କ ଦ୍ବାରା ସମ୍ପାଦନ କରାଯାଏ। ହେଲେ ଏହି ସରକାରୀ ପ୍ରକ୍ରିୟାରେ ସବୁଠାରୁ ବଡ଼ ଜାଲିଆତି ମୁଖ୍ୟମନ୍ତ୍ରୀଙ୍କ ନଜରକୁ ଆସିଛି। ବଡ଼ ବାବୁଙ୍କ ଠାରୁ ଆରମ୍ଭ କରି ସାନ ବାବୁ ପର୍ଯ୍ୟନ୍ତ ଅବସର ପରେ କୌଣସିମତେ ନିଜକୁ ଥଇଥାନ କରିବା ପାଇଁ ଲାଗି ପଡୁଛନ୍ତି। ସର୍ବୋଚ୍ଚ ଯନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମୁଖ୍ୟଯନ୍ତ୍ରୀ, ଅଧୀକ୍ଷଣ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ ସମସ୍ତଙ୍କ ପାଇଁ ଥଇଥାନ ବ୍ୟବସ୍ଥା ହୋଇଛି। ଠିକା ନିଯୁକ୍ତି ବନ୍ଦ ହୋଇଥିବାରୁ ଆଉଟସୋର୍ସିଂ ସେମାନଙ୍କ ପାଇଁ ସାହାଣମେଲା ସୁଯୋଗ ଆଣି ଦେଇଛି। ଲିଗାଲ ସେଲ, କୋଡ୍ ସଂଶୋଧନ ସେଲ ଭଳି ନୂଆ ନୂଆ ସେଲ ମନଇଚ୍ଛା ଗଠନ କରାଯାଇଛି। ଆଉ ବଦଳି ପରଦିନ ଥଇଥାନ ହୋଇଯାଇଛନ୍ତି।
ଲିଗାଲ ସେଲ୍ରେ ବି ଅବସରପ୍ରାପ୍ତ ବରିଷ୍ଠ ଯନ୍ତ୍ରୀମାନଙ୍କୁ ଥଇଥାନ କରାଯାଇଛି। ପୂର୍ବତନ ବରିଷ୍ଠ ଅଧିକାରୀଙ୍କ ନିଯୁକ୍ତି ପରେ ତାଙ୍କ କାମର ସମୀକ୍ଷା କରିବାକୁ ବିଭାଗୀୟ ଅଧିକାରୀଙ୍କ ସାହସ ପାଉନି। ଏପରି ଲୋଭନୀୟ ଠିକା ନିଯୁକ୍ତି ପାଇଁ ସରକାରୀ ସ୍ତରରେ ବ୍ୟବସ୍ଥା କରାଯାଇଛି, ହେଲେ କାମ କିଛି ନାହିଁ। ଦିନକୁ ଦରମା ୧୦ ହଜାର, ଛୁଟି ଦିନକୁ ବାଦ୍ ଦେଲେ ମାସିକ ପ୍ରାପ୍ୟ ୨ ଲକ୍ଷରୁ ଅଧିକ।
ବିଡ଼ମ୍ବନା ବିଷୟ ହେଲା, ସେହି ବିଭାଗରେ ଅବା ସେକ୍ସନରେ ଆଉଟ୍ସୋର୍ସିଂରେ ମାତ୍ର ୧୨/୧୫ ହଜାର ଟଙ୍କାରେ ନିୟୋଜିତ ହୋଇଥିବା ତଳିଆ କର୍ମଚାରୀଟିଏ କାମ କରି କରି ନୟାନ୍ତ ହେଉଛନ୍ତି। ତଳସ୍ତରରେ ପଦ ପୂରଣ ହେଉ ନଥିବାରୁ ତଳିଆ ଠିକା କର୍ମଚାରୀଙ୍କ ଉପରେ କାର୍ଯ୍ୟଭାର ଚାପ ବଢ଼ି ଚାଲିଛି। ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଏପରି ଠିକା ସଂସ୍ଥା ଗୁଡ଼ିକର ନିଦ ହଜି ଯାଇଛି। ରାତି ପାହିଲେ ବିଭାଗୀୟ ଦପ୍ତରରେ ଚକ୍କର କାଟୁଛନ୍ତି, ଅଧିକାରୀଙ୍କ ଘରକୁ ଦୌଡ଼ୁଛନ୍ତି। ଯେନତେନ ଉପାୟରେ ବିନା କାମରେ ହେଉଥିବା ରୋଜଗାର ବଞ୍ଚାଇବା ପାଇଁ ଉଦ୍ୟମ ଚାଲିଛି।
ଯେଉଁ କାର୍ଯ୍ୟ ସରକାରୀ ଯନ୍ତ୍ରୀମାନେ କରିବା କଥା ତାହା ଠିକା ସଂସ୍ଥା ମାଧ୍ୟମରେ କାହିଁକି କରାଯାଉଛି ସେଥିନେଇ ନିକଟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟସଚିବଙ୍କ ଠାରୁ ଜାଣିବାକୁ ଚାହିଁଥିଲେ। ଗତ ୧୦ ବର୍ଷ ଭିତରେ କେଉଁ ବିଭାଗ କେଉଁ କାମ ପାଇଁ ଠିକା ସଂସ୍ଥାଙ୍କୁ କେତେ ଟଙ୍କା ଦେଇଛନ୍ତି ତାହାର ହିସାବ ଦେବା ପାଇଁ କୁହାଯାଇଛି। କାରଣ ଖୋଜି ତାହାର ଅନୁଶୀଳନ ହେବା ଆବଶ୍ୟକ। କେଉଁ ଉପାୟ ଅବଲମ୍ବନ କଲେ କିମ୍ବା କେଉଁ ଜ୍ଞାନକୌଶଳ ଆପଣେଇଲେ ଆମର ନିଜସ୍ବ ବିଭାଗ ମାନେ ଏସବୁ କାର୍ଯ୍ୟ ନିଜେ ସମ୍ପାଦନ କରିପାରିବେ ତାହାର ଉତ୍ତର ଖୋଜି ବାହାର କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଥିଲେ। ଏହାକୁ ନେଇ ଏବେ ଅଧିକାରୀ ସ୍ତରରେ ଛାନିଆ ପଶିଛି।
ସରକାରୀ ଯନ୍ତ୍ରୀଙ୍କ କାମ ଠିକା ସଂସ୍ଥା କରିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଖୋଳତାଡ଼; ହଜିଲାଣି ବାବୁଙ୍କ ନିଦ
Popular Categories



