କୋଲକାତା: କୋଲକାତାରେ ରହୁଥିବା କଶ୍ମୀରର ଜଣେ ଡାକ୍ତରଙ୍କୁ ସହର ଛାଡ଼ିବାକୁ ଚେତାବନୀ ମିଳିଛି। ଏ ନେଇ ସମ୍ପୃକ୍ତ ଡାକ୍ତର ଜଣ ସୂଚନା ଦେଇଛନ୍ତି। ୫ଜଣ ଯୁବକ ତାଙ୍କ ଘର ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ତୁରନ୍ତ ସ୍ଥାନ ଛାଡ଼ି ପାକିସ୍ତାନ ଚାଲିଯିବାକୁ କହିଛନ୍ତି, ନଚେତ ଭୟଙ୍କର ପରିଣତି ଭୋଗିବ ବୋଲି ଧମକ ଦେଇଛନ୍ତି। ସୂଚନା ମୁତାବକ, ପୁଲୱାମାରେ ଆକ୍ରମଣ ଘଟଣା ପରେ କେତେଜଣ କଶ୍ମୀର ଛାତ୍ର ଏବଂ ନାଗରିକ ସୋସିଆଲ ମିଡିଆରେ ଭାରତୀୟ ଯବାନଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଉଛନ୍ତି। ଏହାକୁ ନେଇ ଦେଶବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଭିନ୍ନ ରାଜ୍ୟରେ ରହୁଥିବା କଶ୍ମୀର ନାଗରିକଙ୍କୁ ଟାର୍ଗେଟ କରାଯାଉଛି। ଡାକ୍ତର ଜଣକ ନାମ ଗୋପନ ରଖି ଗଣମାଧ୍ୟମକୁ କହିଛନ୍ତି ଯେ, ସେ କୋଲକାତାରେ ଦୀର୍ଘ ୨୨ ବର୍ଷ ହେବ ରହୁଛନ୍ତି। ସରକାରଙ୍କ ପକ୍ଷରୁ ତାଙ୍କୁ ସୁରକ୍ଷା ଦେବା ଲାଗି ପ୍ରତିଶ୍ରୁତି ମିଳିଛି। ତେଣୁ ସେ ଉକ୍ତ ସ୍ଥାନ ଛାଡ଼ି କୁଆଡ଼େ ଯିବେନାହିଁ ବୋଲି କହିଛନ୍ତି।
Popular Categories



