ପ୍ଲାଷ୍ଟିକର ପ୍ରଚୁର ବ୍ୟବହାର ପରିବେଶ ତଥା ଜନସମାଜ ପାଇଁ ଚିନ୍ତା ବଢ଼ାଇଛି। ସଚ଼େତନତା ଆଉ କଟକଣା ପରେ ବି ବନ୍ଦ ହେଉନି ପ୍ଲାଷ୍ଟିକର ବ୍ୟବହାର। ଆଜିର ଦିନରେ ପ୍ଲାଷ୍ଟିକ ବ୍ୟାଗ୍ ବିନା ମଣିଷର ବଞ୍ଚିବା ଯେଭଳି କଷ୍ଟକର ହୋଇଯାଇଛି। ଏହା ଆମର ନିତିଦିନିଆ ଅଭ୍ୟାସ ପାଲଟିଗଲାଣି। ସମାଜରେ ଯେଉଁ ଆଡ଼କୁ ଅନାଇବେ ସବୁ ଆଡ଼େ ଖାଲି ପ୍ଲାଷ୍ଟିକ ହିଁ ଦେଖିବାକୁ ମିଳିବ। ଏବେ ପ୍ଲାଷ୍ଟିକ ବ୍ୟାଗ ମଧ୍ୟ ବିଭିନ୍ନ ରୋଗର କାରଣ ପାଲଟିଛି। କେବଳ ପରିବେଶ ନୁହେଁ, ଜୀବଜନ୍ତୁଙ୍କ ପାଇଁ ମଧ୍ୟ କାଳ ସାଜୁଛି ପ୍ଲାଷ୍ଟିକ। ଆବର୍ଜନା ସହ ମିଶିକି ରହୁଛି ପ୍ଲାଷ୍ଟିକ।
ରାଜ୍ୟରେ ପ୍ଲାଷ୍ଟିକ କ୍ୟାରି ବ୍ୟାଗ ଓ ପଲିଥିନ ଭଳି ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ବ୍ୟବହାର ବନ୍ଦ କରିବା ଆବଶ୍ୟକ। ନିୟମ ଖିଲାପକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି। କପଡା କିମ୍ବା କାଗଜ ବ୍ୟାଗ ବ୍ୟବହାର କରିବାକୁ ବିଭିନ୍ନ ଅଞ୍ଚଳରେ ସଚେତନତା ସୃଷ୍ଟି କରିବା ଆବଶ୍ୟକ। ଏବେ ବଜାରରେ ବହୁଳ ମାତ୍ରାରେ ପଲିଥିନ ବ୍ୟବହାର କରାଯାଉଛି। ନିୟମ ମୁତାବକ ୫୦ ମାଇକ୍ରୋନ ତଳକୁ ପଲିଥିନ ବ୍ୟବହାର କ୍ଷତି କାରକ। ଏହା ପରିବେଶ ଉପରେ ସାଙ୍ଘାତିକ ପ୍ରଭାବ ପକାଏ। ସଂପ୍ରତି ସାରା ବିଶ୍ୱରେ ବାର୍ଷିକ ପ୍ରାୟ ପଚାଶ ହଜାର କୋଟି ପଲିଥିନ ମୁଣା ଫୋପଡ଼ା ଯାଉଛି। ଏହାର ଅର୍ଦ୍ଧେକ କୌଣସି ନା କୌଣସି ବାଟରେ ସମୁଦ୍ରକୁ ଯାଉଛି। ଏହାର ଏକ କୁପରିଣାମ ସ୍ବରୂପ ବାର୍ଷିକ ଦଶ ଲକ୍ଷ ସାମୁଦ୍ରିକ ପକ୍ଷୀ ଏବଂ ଏକ ଲକ୍ଷ ସାମୁଦ୍ରିକ ସ୍ତନ୍ୟପାୟୀ ପ୍ରାଣୀଙ୍କ ଅକାଳ ମୃତ୍ୟୁ ଘଟୁଛି। ବ୍ରହ୍ମାଣ୍ଡରେ ଯେତିକି ଗ୍ରହ ନକ୍ଷତ୍ର ଅଛନ୍ତି ତାହାଠାରୁ ୫୦୦ ଗୁଣ ଅଧିକ ପ୍ଲାଷ୍ଟିକ ଏବେ ସମୁଦ୍ରରେ ମହଜୁଦ ଅଛି।
ଓଡ଼ିଶାରେ ଓଡ଼ିଶା ପଲିଥିନ୍ ନନ୍ବାୟୋଡିଗ୍ରେଡେବୁଲ କଣ୍ଟ୍ରୋଲ ଆକ୍ଟ- ୨୦୧୮ ପ୍ରଣୟନ ହୋଇଛି। ଏହି ଅନୁଯାୟୀ ସିଙ୍ଗଲ ୟୁଜ ପ୍ଲାଷ୍ଟିକକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବାର ବ୍ୟବସ୍ଥା ରହିଛି। ସାମଗ୍ରିକଭାବେ ଏହି ଦାୟିତ୍ୱ ପରିବେଶ ଓ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗକୁ ଦିଆଯାଇଛି। ଏହାବାଦ୍ ପ୍ଲାଷ୍ଟିକ ବନ୍ଦକୁ ତଦାରଖ କରିବା ପାଇଁ ୨ଟି ବିଭାଗକୁ ସଂଯୋଗ କରାଯାଇଛି। ସହାରାଞ୍ଚଳରେ ପ୍ଲାଷ୍ଟିକ ବ୍ୟବହାରକୁ ନିୟନ୍ତ୍ରଣ କରିବା ଦାୟିତ୍ୱ ଗ୍ରାମ୍ୟ ଉନ୍ନୟନ ବିଭାଗ ଉପରେ ନ୍ୟସ୍ତ ଥିବାବେଳେ ଗ୍ରାମାଞ୍ଚଳରେ ପ୍ଲାଷ୍ଟିକ ନିୟନ୍ତ୍ରଣ ଭାର ପଞ୍ଚାୟତିରାଜ ବିଭାଗକୁ ଦିଆଯାଇଛି। ତେବେ ଆଇନ କିମ୍ବା ଦଣ୍ଡ ବ୍ୟବସ୍ଥା କରିଦେଲେ ପରିସ୍ଥିତିରେ ସମ୍ପୂର୍ଣ୍ଣ ସୁଧାର ଆସିଯିବ ବୋଲି ଭାବିବା ମଧ୍ୟ ଉଚିତ ନୁହେଁ।କାରଣ ଯେ ପର୍ଯ୍ୟନ୍ତ ଲୋକେ ନିଜେ ସଚେତନ ନ ହୋଇଛନ୍ତି ସମଗ୍ର ଜୀବଜଗତ ପ୍ରତି ବିପଦକୁ ଟାଳି ହେବନାହିଁ।
କମଳଲୋଚନ ପଣ୍ଡା, ଫକିରମୋହନ ବିଶ୍ୱବିଦ୍ୟାଳୟ



