ଆଠଗଡ: ଆଠଗଡ ସହରର ବିଭିନ୍ନ ୱାର୍ଡରେ ଥିବା ନାଳ ଦୀର୍ଘ ଦିନ ହେଲା ସଫେଇ ବା ନବୀକରଣ ନହେବା ଫଳରେ ନାଳର ଉଦବୃତ୍ତ ଜଳ ରାସ୍ତାରେ ଲହଡି ମାରୁଛି । ବିଶେଷକରି ବୀରକିଶୋରପୁର ଛକ ଠାରୁ ଚାନ୍ଦବାଲି ଛକ ମଧ୍ୟ ଦେଇ ଯାଇଥିବା ୬୫ନଂ ରାଜ୍ୟ ରାଜପଥରେ ଏହି ସମସ୍ୟା ଜଟିଳ ପରିସ୍ଥିତି ସୃଷ୍ଟି କରିଛି । ଏହି ମୁଖ୍ୟ ତଥା ବ୍ୟସ୍ତବହୁଳ ରାସ୍ତା କଡରେ ଥିବା ନାଳ ଦୀର୍ଘ ଦିନ ହେବ ସଫେଇ ନହେବାରୁ ତାହା ବିଭିନ୍ନ ସ୍ଥାନରେ ସମ୍ପୂର୍ଣ୍ଣ ପୋତି ହୋଇପଡିଛି । ଫଳରେ ସାମାନ୍ୟ ବର୍ଷା ହେଲେ ବର୍ଷାଜଳ ନଳ ମଧ୍ୟରେ ନିଷ୍କାସନ ହୋଇନପାରି ରାସ୍ତା ଉପରେ ନାଳ ପାଣି ଓ ବର୍ଷାଜଳ ଏକାକାର ହୋଇ ବୋହୁଛି ।
ଏପରିକି ବର୍ଷା ନହେଲେ ବି ନାଳପାଣି ରାସ୍ତା କଡରେ ଅନବରତ ବୋହିଚାଲିଛି। ଫଳରେ ବୀରକିଶୋରପୁର ଠାରୁ ଚାନ୍ଦବାଲି ଛକ ମଧ୍ୟରେ ବସବାସ କରୁଥିବା ଜନସାଧାରଣ ଏବଂ ବ୍ୟବସାୟୀ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେହି ରାସ୍ତା ଦେଇ ଦୈନିକ ହଜାର ହଜାର ସଂଖ୍ୟକ ଗାଡିମଟର ଯିବାଆସିବା କରିବା ସମୟରେ ରାସ୍ତା ପାଣି ଛିଟିକି ପଥଚାରୀଙ୍କ ଉପରେ ପଡୁଛି । ନାଳର ପୁତିଗନ୍ଧମୟ ଜଳ ଓ ବର୍ଷାଜଳ ଏକାକାର ହୋଇ ଲୋକଙ୍କ ଘର ଏବଂ ଦୋକାନରେ ପଶିବା ଫଳରେ ପରିବେଶ ଦୁଷିତ ହେଉଛି ।
ଏଭଳି ଦୂଷିତ ପରିବେଶ ଯୋଗୁଁ ମଶାମାଛିଙ୍କ ପାଦୁର୍ଭାବ ମଧ୍ୟ ବୃଦ୍ଧି ପାଇବା ଫଳରେ ସାଧାରଣ ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡୁଛି। ଏହି କାରଣରୁ ସେ ଅଞ୍ଚଳରେ ମ୍ୟାଲେରିଆ, ଡେଙ୍ଗୁ ଓ ଅନ୍ୟ ସଂକ୍ରାମକ ରୋଗ ବ୍ୟାପିବାର ଆଶଙ୍କା ପ୍ରକାଶ ପାଉଛି । ବୀରକିଶୋରପୁର ଠାରୁ ଚାନ୍ଦବାଲି ଛକ ମଧ୍ୟରେ ବସବାସ କରୁଥିବା ଆଇନଜୀବୀ ପ୍ରଶାନ୍ତ କୁମାର ମିଶ୍ରଙ୍କ ସହିତ ଅନ୍ୟ ବହୁ ବାସିନ୍ଦା ଏସମ୍ପର୍କରେ ଏନଏସି କର୍ତ୍ତୃପକ୍ଷ ଏବଂ ପୂର୍ତ୍ତ ବିଭାଗର ବାରମ୍ବାର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସେମାନେ ଏହାର ସମାଧାନ ଦିଗରେ କୌଣସି ପଦକ୍ଷେପ ନନେଇ ନିରବଦ୍ରଷ୍ଟା ସାଜିଛନ୍ତି । ଶେଷରେ ସେମାନେ ଦୁଇଦିନ ପୂର୍ବରୁ ନାଳର ଏହି ଜଳ ନିଷ୍କାସନ ଓ ଜଳବନ୍ଦୀ ସମସ୍ୟା ସମ୍ପର୍କରେ ଉପଜିଲ୍ଲାପାଳ ଓ କଟକ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରି କାର୍ୟ୍ୟାନୁଷ୍ଠାନ ପାଇଁ ନିବେଦନ କରିଛନ୍ତି ।



