ସମାଜ ଡିଜିଟାଲ ଡେସ୍କ: ଜ୍ୟୋତି ମାଲହୋତ୍ରାଙ୍କୁ ଯେତେ ଅଧିକ ଜେରା ହେଉଛି ସେତେ ନୂଆ ନୂଆ ତଥ୍ୟା ସାମ୍ନାକୁ ଆସୁଛି । ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇର ଏକ ଗଭୀର ଷଡଯନ୍ତ୍ରର ପର୍ଦ୍ଦାଫାସ ହେଉଛି । ଜାତୀୟ ତଦନ୍ତକାରୀ ସଂସ୍ଥା ଓ ଇଣ୍ଟେଲିଜେନ୍ସ ବ୍ୟୁରୋ ଏବଂ ହରିୟାଣା ପୁଲିସର ମିଳିତ ତଦନ୍ତରୁ ଜଣାପଡିଛି ଯେ ପୂର୍ବରୁ ସୋସିଆଲ ମିଡ଼ିଆରେ ପ୍ରଭାବଶାଳୀ ଥିବା ଜ୍ୟୋତି ସମୟକ୍ରମେ ପାକିସ୍ତାନର ଆଇଏସଆଇ ଗୁପ୍ତଚର ନେଟୱାର୍କର ଅଂଶ ହୋଇଯାଇଥିଲେ ।
ଜ୍ୟୋତିଙ୍କ ଗିରଫଦାରୀ ପରେ ଭାରତରେ ଆଇଏସଆଇ ଦ୍ୱାରା ବିସ୍ତାରିତ ଏକ ଗୁପ୍ତଚର ନେଟୱାର୍କର ପର୍ଦ୍ଦାଫାସ ହୋଇଥିବା ଜଣେ ଅଧିକାରୀ କହିଛନ୍ତି । ଏହି ନେଟୱାର୍କ ପ୍ରଭାବଶାଳୀ ବ୍ୟକ୍ତି ଏବଂ ସୋସିଆଲ ମିଡ଼ିଆରେ ପ୍ରସିଦ୍ଧ ଥିବା ବ୍ୟକ୍ତିଙ୍କ ମାଧ୍ୟମରେ ଭାରତ ବିରୋଧୀ କଥା ପ୍ରସାର କରିବାକୁ, ଗୁପ୍ତ ସୂଚନା ସଂଗ୍ରହ କରିବା ଏବଂ ଗୁପ୍ତ ଭାବରେ ଡିଜିଟାଲ ପ୍ଲାଟଫର୍ମରେ ଅନୁପ୍ରେବଶ କରିବାକୁ ଚେଷ୍ଟା କରୁଥିଲା । ତଦନ୍ତକାରୀ ଅଧିକାରୀଙ୍କ ସୂଚନା ଅନୁଯାୟୀ ରିମାଣ୍ଡରେ ଥିବା ଜ୍ୟୋତି ମାଲହୋତ୍ରା ଜେରା ବେଳେ ଲଗାତାର ବୟାନ ବଦଳାଇବାକୁ ଚେଷ୍ଟା କରୁଛି । ପାକିସ୍ତାନ ହାଇକମିଶନରେ ନିଯୁକ୍ତ ଥିବା ଜଣେ ଗୁପ୍ତଚର ଅଧିକାରୀ ଦାନିଶଙ୍କ ସହ ତାଙ୍କର ବ୍ୟକ୍ତିଗତ ସମ୍ପର୍କ ବିଷୟରେ ଲଗାତାର ମିଛ କହୁଛି ଜ୍ୟୋତି ।
ତଦନ୍ତରୁ ଜଣାପଡିଛି ଯେ ଜ୍ୟୋତି ତାଙ୍କ ମୋବାଇଲ୍ ଫୋନରୁ ଦାନିଶଙ୍କ ସହ ଅନେକ ସମ୍ବେଦନଶୀଳ ଚାଟ୍ ଡିଲିଟ୍ କରିଦେଇଥିଲେ । ଏଥିରେ ଅପରେସନ ସିନ୍ଦୂର ଏବଂ ହିସାରରେ ତାଙ୍କ ଘରେ ହୋଇଥିବା ବ୍ଲାକଆଉଟ ସମ୍ପର୍କିତ କଥାବାର୍ତ୍ତା ଅନ୍ତର୍ଭୁକ୍ତ ଥିବା ଜଣାପଡିଛି । ଜ୍ୟୋତି ଡିଲିଟ କରିଥିବା ତଥ୍ୟ ପୁନରୁଦ୍ଧାର କରିବା ପାଇଁ ଦୁଇଟି ମୋବାଇଲ୍ ଫୋନ୍ ଏବଂ ଗୋଟିଏ ଲାପଟପ୍ ଫରେନସିକ୍ କୁ ପରୀକ୍ଷା ପାଇଁ ପଠାଯାଇଛି ।
ସୂଚନା ଅନୁସାରେ ଜ୍ୟୋତିଙ୍କ ସହ ଦାନିଶର ଭେଟ ହରକିରତ ନାମକ ଜଣେ ବ୍ୟକ୍ତି କରାଇଥିଲେ । ଏହାପରେ ଜ୍ୟୋତି ଧୀରେ ଧୀରେ ଜଣେ ୟୁଟ୍ୟୁବରରୁ ଆଇଏସଆଇ ଏଜେଣ୍ଡା ଚଳାଉଥିବା ଗୁପ୍ତଚର ପାଲଟିଥିଲେ । ପଚରାଉଚରା ବେଳେ ଆଶ୍ଚର୍ଯ୍ୟଜନକ ସ୍ୱୀକାରୋକ୍ତି କରିଛନ୍ତି ଜ୍ୟୋତି । ସେ କହିଛନ୍ତି ଯେ ଛଅ ଜଣ ପାକିସ୍ତାନୀ ଗୁପ୍ତଚର ଅଧିକାରୀଙ୍କ ସହ ସିଧାସଳଖ ସମ୍ପର୍କରେ ଥିଲେ । ତାଙ୍କୁ ସମ୍ବେଦନଶୀଳ ସ୍ଥାନର ଫଟୋ, ଭିଡ଼ିଓ ଏବଂ ତଥ୍ୟ ସଂଗ୍ରହ କରିବା ଭଳି କାର୍ଯ୍ୟ ଦିଆଯାଇଥିଲା ।



