ସମାଜ ଡିଜିଟାଲ ଡେସ୍କ: ଆଫଗାନିସ୍ତାନର ତାଲିବାନ ସରକାରଙ୍କ ବିଦେଶ ମନ୍ତ୍ରୀ ଅମିର ଖାନ ମୁତ୍ତାକୀଙ୍କ ସହିତ କଥା ହୋଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର। ସରକାରୀ ସ୍ତରରେ ଜୟଶଙ୍କରଙ୍କର ଆଫଗାନିସ୍ତାନ ପ୍ରତିପକ୍ଷଙ୍କ ସହିତ ଏହା ପ୍ରଥମ ଆଲୋଚନା। ଏହି ସମୟରେ ଭାରତ-ଆଫଗାନ ବନ୍ଧୁତ୍ଵ, ବିକାଶ କ୍ଷେତ୍ରରେ ସହଯୋଗ ଏବଂ ନିକଟରେ ଘଟିଥିବା ପହଲଗାଓଁ ଆକ୍ରମଣର କଡ଼ା ନିନ୍ଦା ଆଦି ପ୍ରସଙ୍ଗରେ ଆଲୋଚନା ହୋଇଥିଲା।
ଆଲୋଚନା ସମୟରେ ଜୟଶଙ୍କର ଆଫଗାନ ନାଗରିକଙ୍କ ସହିତ ଭାରତର ବନ୍ଧୁତାର ଉଦାହରଣ ଦେଇ ଆଫଗାନିସ୍ତାନର ବିକାଶର ଆବଶ୍ୟକତା ପୂରଣ ପାଇଁ ଭାରତ ନିରବଚ୍ଛିନ୍ନ ସମର୍ଥନ ଯୋଗାଇବାକୁ ପ୍ରତିବଦ୍ଧ ବୋଲି କହିଥିଲେ। ସୂଚନାଯୋଗ୍ୟ, ପହଲଗାଓଁ ଆକ୍ରମଣକୁ ନେଇ ତାଲିବାନ ସରକାର କଡ଼ା ନିନ୍ଦା କରିଥିଲେ। ଅନ୍ୟପଟେ ଭାରତ ବର୍ତ୍ତମାନ ସୁଦ୍ଧା ତାଲିବାନ ଶାସନକୁ ସରକାରୀ ସ୍ତରରେ ମାନ୍ୟତା ପ୍ରଦାନ କରିନାହିଁ।



