www.samajalive.in
Wednesday, December 10, 2025
18.1 C
Bhubaneswar

୩୦ ଦିନିଆ ଅସ୍ତ୍ରବିରତି ପାଇଁ ୟୁକ୍ରେନ ସମ୍ମତ

ରିୟାଦ: ରୁଷ୍‌ ଓ ୟୁକ୍ରେନ ଯୁଦ୍ଧ ବନ୍ଦ ପାଇଁ ମଙ୍ଗଳବାର ସାଉଦି ଆରବର ଜେଦାହ ସହରରେ ଆମେରିକା ଓ ୟୁକ୍ରେନ ପ୍ରତିନିଧିଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାର ସକାରାତ୍ମକ ପରିସମାପ୍ତି ଘଟିଛି। କଥାବାର୍ତ୍ତାର ନିଷ୍କର୍ଷ ଅନୁଯାୟୀ ୟୁକ୍ରେନ ୩୦ ଦିନିଆ ଅସ୍ତ୍ରବିରତି ପାଇଁ ବୁଝାମଣା କରିବାକୁ ସମ୍ମତି ପ୍ରକାଶ କରିଛି। ରୁଷ୍ ଯଦି ସମ୍ମତି ପ୍ରକାଶ କରେ ତେବେ ୟୁକ୍ରେନ ଏହି ଅସ୍ତ୍ରବିରତି ବୁଝାମଣା କରିବ। ଆମେରିକା ବୈଦେଶିକ ମନ୍ତ୍ରୀ ମାର୍କ ରୁବିଓ କହିଛନ୍ତି ଯେ ରୁଷ୍‌କୁ ଏହି ଅସ୍ତ୍ରବିରତି ବୁଝାମଣାର ପ୍ରସ୍ତାବ ଦିଆଯିବ। ରୁଷ୍‌ର ସମ୍ମତି ଆଧାରରେ ଉଭୟ ପକ୍ଷଙ୍କ ମଧ୍ୟରେ ଅସ୍ତ୍ରବିରତି ବୁଝାମଣା କରାଯିବ। ଅସ୍ତ୍ରବିରତିର ପ୍ରସ୍ତାବ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ବତନ୍ତ୍ର ପ୍ରତିନିଧି ଭାବେ ଷ୍ଟିଭ୍ ୱିଟ୍‌କୋଫ୍ ଚଳିତ ସପ୍ତାହରେ ମସ୍କୋ ଗସ୍ତ କରିବେ। ମସ୍କୋରେ ସେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କୁ ସାକ୍ଷାତ କରି ଯୁଦ୍ଧ ବନ୍ଦ ପ୍ରସ୍ତାବ ଦେବେ।
ଆମେରିକାର ପ୍ରସ୍ତାବ ଆଧାରରେ ୟୁକ୍ରେନ ଅସ୍ତ୍ରବିରତି ପାଇଁ ସମ୍ମତି ପ୍ରକାଶ କରିବା ପରେ ୱାଶିଂଟନ ପୁନର୍ବାର ସାମରିକ ସହାୟତା ଯୋଗାଇ ଦେବାକୁ ଘୋଷଣା କରିଛି। ଗତ ସପ୍ତାହରେ ୟୁକ୍ରେନକୁ ସାମରିକ ସହାୟତା ବନ୍ଦ ଲାଗି ଆମେରିକା ନିଷ୍ପତ୍ତି ନେଇଥିଲା। ଏବେ ଏହି ନିଷ୍ପତ୍ତିକୁ ଆମେରିକା ପ୍ରତ୍ୟାହାର କରିନେବା ସହିତ ୟୁକ୍ରେନକୁ ପୂର୍ବ ପରି ସାମରିକ ସହାୟତା ଯୋଗାଣ ଜାରି ରଖିବ ବୋଲି କହିଛି। ଆମେରିକା ଜାତୀୟ ସୁରକ୍ଷା ପରାମର୍ଶଦାତା ମାଇକ ୱାଟଜ୍‌ କହିଛନ୍ତି ଯେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରସ୍ତାବକୁ ସମର୍ଥନ କରିବା ପୂର୍ବକ ୟୁକ୍ରେନ ଯୁଦ୍ଧ ବନ୍ଦ ଲାଗି ସମ୍ମତି ପ୍ରକାଶ କରିଛି। ୟୁକ୍ରେନ ଯଦି ଯୁଦ୍ଧ ବନ୍ଦ ପ୍ରସ୍ତାବକୁ ଗ୍ରହଣ କରି ନଥାନ୍ତା ତେବେ ୟୁକ୍ରେନ ଶାନ୍ତିର ରାସ୍ତା ଅବରୋଧ କରୁଛି ବୋଲି ବୁଝାପଡିଥାନ୍ତା। ମଙ୍ଗଳବାର ଜେହାଦରେ ସାଉଦି ଆରବ ବୈଦେଶିକ ମନ୍ତ୍ରୀଙ୍କ ଉପସ୍ଥିତିରେ ଆମେରିକା ଓ ୟୁକ୍ରେନ ପ୍ରତିନିଧିଙ୍କ ମଧ୍ୟରେ ଅସ୍ତ୍ରବିରତି ସମ୍ପର୍କରେ କଥାବାର୍ତ୍ତା ହୋଇଥିଲା। କଥାବାର୍ତ୍ତା କାଳରେ ରୁଷ୍‌-ୟୁକ୍ରେନ ମଧ୍ୟରେ ତିନିବର୍ଷ ଧରି ଚାଲିଥିବା ଯୁଦ୍ଧ ବନ୍ଦ ଉପରେ ଗୁରୁତ୍ବ ଦିଆଯାଇଥିଲା। ସକାଳେ ୩ଘଣ୍ଟାର ଆଲୋଚନା ପରେ କିଛି ସମୟ ବିରତି ନିଆଯାଇଥିଲା। ଅପରାହ୍ଣରେ ପୁନର୍ବାର ଆଲୋଚନା କରାଯାଇଥିଲା। ଆଲୋଚନା କାଳରେ ୟୁକ୍ରେନ ଯୁଦ୍ଧ ବନ୍ଦ ପୂର୍ବକ ଶାନ୍ତି ପ୍ରତିଷ୍ଠା ପ୍ରସ୍ତାବକୁ ସମର୍ଥନ କରିଥିଲା। ପୂର୍ବରୁ ୟୁକ୍ରେନ ଯୁଦ୍ଧ ବନ୍ଦ ପାଇଁ ଆମେରିକା ଠାରୁ ସୁରକ୍ଷା ଗ୍ୟାରେଣ୍ଟି ଲୋଡିଥିଲା। ଏବେ କିନ୍ତୁ ବିନା କୌଣସି ସର୍ତ୍ତରେ ରୁଷ୍ ସହ ଅସ୍ତ୍ରବିରତି ବୁଝାମଣା କରିବାକୁ ସମ୍ମତି ପ୍ରକାଶ କରିଛି। ଗତ ଫେବୃଆରୀ ୨୮ରେ ହ୍ବାଇଟ୍ ହାଉସ୍‌ରେ ୟୁକ୍ରେନ ରାଷ୍ଟ୍ରପତି ଭୋଲଡୋମିର ଜେଲେନସ୍କି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଅସ୍ତ୍ରବିରତି ପ୍ରସଙ୍ଗରେ କଥାବାର୍ତ୍ତା ହୋଇଥିଲା। ମାତ୍ର ୟୁକ୍ରେନ ଅସ୍ତ୍ରବିରତି ବୁଝାମଣା ଲାଗି ଆମେରିକା ଠାରୁ ନିଜର ସୁରକ୍ଷା ଗ୍ୟାରେଣ୍ଟି ମାଗିଥିଲା। ଫଳରେ ଦୁଇ ରାଷ୍ଟ୍ରପତିଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଉଭୟଙ୍କ କଥାବାର୍ତ୍ତା ଏକ ବିବାଦ ମଧ୍ୟରେ ଅନ୍ତ ହୋଇଥିଲା।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories