www.samajalive.in
Tuesday, December 9, 2025
16.1 C
Bhubaneswar

କର୍ମଚାରୀ ଅଭାବ: ବନ୍ଦ ହେବାକୁ ବସିଲାଣି ଖାଉଟି ଅଦାଲତ, ସହାୟତା ପାଇଁ ଆସୁଥିବା ଖାଉଟି ନିରାଶ

ଭୁବନେଶ୍ୱର : କର୍ମଚାରୀ ଅଭାବରୁ କଟକ ଠାରେ ଥିବା ରାଜ୍ୟ ଖାଉଟି ଆୟୋଗ ସହିତ ରାଜ୍ୟରେ ୩୦ଟି ଜିଲାରେ ଥିବା ୩୧ ଟି ଜିଲା ସ୍ତରୀୟ ଖାଉଟି ଅଦାଲତ ବର୍ତ୍ତମାନ ବନ୍ଦ ହେବାକୁ ବସିଲାଣି। ଅସାଧୁ ବ୍ୟବସାୟୀ ଓ ସେବା ଯୋଗାଣକାରୀ ସଂସ୍ଥା ଦ୍ବାରା ଠକାମୀର ଶୀକାର ହୋଇ ଖାଉଟି ଅଦାଲତ ଗୁଡିକର ସହାୟତା ପାଇଁ ଆସୁଥିବା ଖାଉଟିମାନଙ୍କୁ ନିରାଶ ହୋଇ ଫେରିବାକୁ ପଡୁଛି। ତେଣୁ ରାଜ୍ୟ ସରକାରଙ୍କ ପକ୍ଷରୁ ଖାଲିଥିବା ପଦବୀ ପୂରଣ ସହିତ କର୍ମଚାରୀ ଅଭାବ ସମସ୍ୟା ଦୂର କରିବାକୁ ଦାବି ହୋଇଛି।

କଟକ ଠାରେ ଥିବା ରାଜ୍ୟ ଖାଉଟି ଆୟୋଗରେ ଗତ ପ୍ରାୟ ୩ବର୍ଷ ରୁ ଅଧିକ ସମୟ ଧରି ଅଧ୍ୟକ୍ଷ ପଦ ଖାଲି ଥିଲେ ମଧ୍ୟ ଏହା ପୂରଣ କରିବା ନିମନ୍ତେ ସରକାର ପଦକ୍ଷେପ ନେଉନାହାନ୍ତି। ଦୀର୍ଘ ଦିନ ହେବ ବରିଷ୍ଠ ସହାୟକ ଓ ଷ୍ଟେନୋ ପଦବୀ ଗୁଡିକ ଖାଲି ରହିଥିଲେ ମଧ୍ୟ ଏଗୁଡିକ ପୂରଣ କରାଯାଉ ନାହି। ଫଳରେ ହଜାର ହଜାର ଖାଉଟି ମାମଲା ଠିକ୍ ସମୟରେ ବିଚାର ନ ହୋଇ ପଡିରହିଛି। ରାଜ୍ୟରେ ଥିବା ୩୧ଟି ଖାଉଟି ଅଦାଲତରେ ବର୍ତ୍ତମାନ ସଭାପତି ପଦବୀ ସହ କର୍ମଚାରୀ ଅଭାବ ସମସ୍ୟାକୁ ଦ୍ବିଗୁଣିତ କରୁଛି।

- Advertisement -

ଏହିକ୍ରମରେ ରାଜ୍ୟର ଏକ ପ୍ରମୁଖ ଜିଲା ଖାଉଟି ଅଦାଲତ ଭାବେ ଭୁବନେଶ୍ବର ଠାରେ କାର୍ଯ୍ୟ କରୁଥିବା ଖୋର୍ଧା ଜିଲା ଖାଉଟି ଅଦାଲତରେ ମାସକୁ ପ୍ରାୟ ୪୦ ରୁ ୫୦ ଟି ଖାଉଟି ମାମଲା ପଞ୍ଜୀକୃତହେଉଥିବା ବେଳେ ବର୍ତ୍ତମାନ ସୁଧା ପ୍ରାୟ ୩୦୦୦ରୁ ଅଧିକ ମାମଲା ବିଚାର ନ ହୋଇ ପଡି ରହିଛି। ୨୦୨୨ ମସିହାରୁ ସଭ୍ୟପଦ ଖାଲିଥିବା ହେତୁ ସଭାପତି କିମ୍ବା ସଭ୍ୟଙ୍କ ମଧ୍ୟରୁ ଜଣେ କେହି ଛୁଟିରେ ରହିଲେ ଅଦାଲତ କାର୍ଯ୍ୟ ବନ୍ଦ ରହୁଛି। ଏହି କାରଣରୁ ଗତ ଡିସେମ୍ବର ଓ ଜାନୁୟାରୀ ମାସରେ ପ୍ରାୟ ୨୦ ଦିନରୁ ଅଧିକ ବିଚାର କାର୍ଯ୍ୟ ବନ୍ଦ ରହିଥିଲା।

ଦୀର୍ଘ ଦିନ ହେବ ବରିଷ୍ଠ ସହାୟକ, କନିଷ୍ଟ ସହାୟକ ଏବଂ ବେଞ୍ଚ କ୍ଳର୍କ ପଦବୀପୂରଣ ପାଇଁ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ। ଅଭିଜ୍ଞ କର୍ମଚାରୀଙ୍କ ଅଭାବରୁ କୋର୍ଟ ଏବଂ ଅଫିସ୍ କାର୍ଯ୍ୟ ବ୍ୟାଘାତ ହେଉଛି।ରାଜ୍ୟର ପ୍ରାୟ ସବୁ ଅଦାଲତରେ ଏପରି ଅବସ୍ଥା ହେତୁ ସମସ୍ୟାଗୁଡ଼ିକ ବିଚାର ହୋଇପାରୁ ନାହିଁ।

ଭାରତର ସର୍ବୋଚ୍ଚ ଅଦାଲତଙ୍କ ରାୟ “ଖାଉଟି କମିସନ ଗୁଡିକରେ କୌଣସି ପଦ ପଦବୀ ଖାଲି ରହିବ ନାହିଁ” ର ଖୋଲା ଉଲଙ୍ଘନ କରିବା ସହିତ ସରକାର ଖାଉଟିମାନଙ୍କୁ ଠିକ୍ ସମୟରେ ନ୍ୟାୟ ଦେବାରେ କର୍ତ୍ତୃପକ୍ଷ ଅସମର୍ଥ ପ୍ରକାଶ କରୁଛନ୍ତି ।

ଅନ୍ୟ ଏକ ବଡ ସମସ୍ୟା ହେଲା ଏଠାରେ କାର୍ଯ୍ୟ କରୁଥିବା ତୃତୀୟ ଶ୍ରେଣୀ କର୍ମଚାରୀଙ୍କ ପଦୋନ୍ନତି ଏବଂ ବେତନରେ ଥିବା ଅସଙ୍ଗତି ସଂମ୍ବନ୍ଧରେ ବିଭାଗୀୟ ଅଧିକାରୀଙ୍କ ନିକଟରେ ଗତ ୨୦୧୪ ମସିହାରୁ ଅଭିଯୋଗ କରି ଆସୁଥିଲେ ମଧ୍ୟ ସମସ୍ୟାର ସମାଧାନ ନିମନ୍ତେ ବିଭାଗ ତରଫରୁ ପଦକ୍ଷେପ ନିଆଯାଇନଥିବା ଜଣାପଡ଼ିଛି। ପଦୋନ୍ନତି ଓ ନ୍ୟାର୍ଯ୍ୟ ବେତନ ଅପେକ୍ଷାରେ ବହୁ କର୍ମଚାରୀ ଅବସର ନେବା ସହ କିଛି କର୍ମଚାରୀଙ୍କ ମୃତ୍ୟୁ ହୋଇସାରିଲେଣି।  କିନ୍ତୁ ଯେଉଁ ଅଧିକାରୀ ଏହି ଦାୟିତ୍ବରେ ଥିଲେ ସେମାନେ ୩ ଗୋଟି ପଦୋନ୍ନତି ପାଇ ଦୀର୍ଘ ଦିନ ଧରି ସେହିଠାରେ ଅଛନ୍ତି।

ଠିକ୍ ସମୟରେ ସମସ୍ତ ପଦ ପୂଣ ସହ ସମସ୍ତ ସମସ୍ୟାର ସମାଧାନ କରାଗଲେ ରାଜ୍ୟର ଖାଉଟି ସମସ୍ୟାର ସମାଧାନ ହୋଇପାରନ୍ତା। ଆସନ୍ତା ମାର୍ଚ୍ଚ ୧୫ ତାରିଖରେ ପୂର୍ବ ବର୍ଷ ମାନଙ୍କ ପରି ଏବର୍ଷ ମଧ୍ୟ ରାଜ୍ୟସରକାରଙ୍କ ତରଫରୁ “ବିଶ୍ବ ଖାଉଟି ଅଧାକାର ଦିବସ “ପାଳନ କରାଯିବ। ଏକ ବାତାନୁକୁଳ ସଭାକକ୍ଷ୍ୟରେ ସଭା ଆୟୋଜନ କରି ଖାଉଟିଙ୍କ ସ୍ବାର୍ଥ ରକ୍ଷା ପାଇଁ ଅନେକ ଭାଷଣ ଦିଆଯିବ କିନ୍ତୁ ତା ପରେ ଯେଉ କଥାକୁ ସେହିକଥା। ଯଥାଶୀଘ୍ର ଏହି ସମସ୍ୟାର ସମାଧାନ କରାଯିବା ସହ ଖାଉଟି ମାନଙ୍କୁ ନ୍ୟାୟ ମିଳିବା ଦରକାର ବୋଲି ସାଧାରଣରେ ଦାବି ହୋଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories