କେନ୍ଦୁଝରଗଡ: ବୋହୁକୁ କିରୋସିନ ଢ଼ାଳି ନିଆଁ ଲଗାଇ ହତ୍ୟା କରାଯିବା ଅଭିଯୋଗରେ କେନ୍ଦୁଝର ଅତିରିକ୍ତ ଜିଲାଜଜ୍ ଅଭିଯୁକ୍ତ ଶାଶୁକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି । ସଦର ଥାନା କାଡବାଉଁଶୁଳୀ ଗ୍ରାମର ସାଈବାଣୀ ବାରିକଙ୍କ ପୁଅ ସୁରଥକୁ ବାମେବାରୀ ଥାନା ଅଧୀନ ବସନ୍ତପୁର ଗ୍ରାମର ଯୋଗେନ୍ଦ୍ର ମହାକୁଡଙ୍କ ଝିଅ ସୁଶ୍ମିତା ବୈଦିକ ରୀତିରେ ବିବାହ କରିଥିଲେ। ବିବାହ ପରଠାରୁ ସୁଶ୍ମିତାକୁ ଶାଶୁ ସାଇବାଣୀ ନିର୍ଯାତନା ଦେଇ ଆସିବା ସହ କିରୋସିନି ଢ଼ାଳି ପୋଡି ହତ୍ୟା ଉଦ୍ୟମ ସମୟରେ ଗାଁ ଲୋକେ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ସୁଶ୍ମିତାଙ୍କ ମୃତ୍ୟୁ ଘଟିଥିଲା। ଶାଶୁ ଘର ଲୋକେ କେହି ସୁଶ୍ମିତାଙ୍କ ଚିକିତ୍ସା ସମୟରେ ଉପସ୍ଥିତ ନ ଥିଲେ। ଏ ସମ୍ପର୍କରେ ସୁଶ୍ମିତାଙ୍କ ବାପା ୮ ଫେବୃୟାରୀ ୨୦୨୧ରେ ସଦର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍ତ ସାଇବାଣୀକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ମାମଲାରେ ମୋଟ ୨୨ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଅତିରିକ୍ତ ଜିଲାଜଜ୍ କେନ୍ଦୁଝର ବୁଧବାର ଚୂଡାନ୍ତ ଶୁଣାଣି କରି ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ସହ ୧୦ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ଅଧିକ ୬ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ଆଦେଶ କରିଛନ୍ତି। ମୃତକଙ୍କ ପକ୍ଷରୁ ଅତିରିକ୍ତ ପି.ପି. ପ୍ରଫୁଲ୍ଲ କୁମାର ପାତ୍ର ମକଦ୍ଦମା ପରିଚାଳନା କରୁଥିଲେ।



