ଡେସ୍କ: ୧୯୮୪ ଶିଖ୍ ବିରୋଧୀ ଦଙ୍ଗା ସମୟରେ ଦିଲ୍ଲୀର ସରସ୍ୱତୀ ବିହାରରେ ଦୁଇ ଜଣଙ୍କୁ ହତ୍ୟା ମାମଲାରେ ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି।
୧୯୯୧: ଏହି ମାମଲାରେ ଏତଲା ରୁଜୁ ହୋଇଥିଲା।
ଜୁଲାଇ ୮, ୧୯୯୪: ଦିଲ୍ଲୀ ଅଦାଲତ ମାମଲା ଆରମ୍ଭ କରିବା ପାଇଁ ପର୍ଯ୍ୟାପ୍ତ ପ୍ରମାଣ ପାଇନଥିଲେ। ଏହି ମାମଲାରେ କୁମାରଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ ହୋଇନଥିଲା।
ଫେବ୍ରୁଆରି ୧୨, ୨୦୧୫: ସରକାର ଏସ୍ଆଇଟି ଗଠନ କଲେ।
ନଭେମ୍ବର ୨୧, ୨୦୧୬: ମାମଲାର ଅଧିକ ତଦନ୍ତ ଆବଶ୍ୟକ ବୋଲି ଏସଆଇଟି ଅଦାଲତଙ୍କୁ ଜଣାଇଥିଲା।
ଏପ୍ରିଲ ୬, ୨୦୨୧: ସଜ୍ଜନ କୁମାର ଗିରଫ।
ମେ ୫, ୨୦୨୧: ପୁଲିସ ଚାର୍ଜସିଟ୍ ଦାଖଲ କଲା।
ଜୁଲାଇ ୨୬, ୨୦୨୧: ଚାର୍ଜସିଟକୁ ଗ୍ରହଣ କଲେ କୋର୍ଟ।
ଅକ୍ଟୋବର ୧, ୨୦୨୧: କୋର୍ଟରେ ଅଭିଯୋଗ ଉପରେ ଯୁକ୍ତି ଆରମ୍ଭ।
ଡିସେମ୍ବର ୧୬, ୨୦୨୧: ହତ୍ୟା, ଦଙ୍ଗା, ଅନ୍ୟାନ୍ୟ ଅପରାଧ ଭଳି ମାମଲା ରୁଜୁ କଲେ କୋର୍ଟ।
ଜାନୁଆରୀ ୩୧, ୨୦୨୪: କୋର୍ଟରେ ଚୂଡ଼ାନ୍ତ ଯୁକ୍ତି ଶୁଣାଣି ଆରମ୍ଭ।
ନଭେମ୍ବର ୮, ୨୦୨୪: କୋର୍ଟ ରାୟ ସଂରକ୍ଷିତ ରଖିଲେ।
ଫେବ୍ରୁଆରି ୧୨, ୨୦୨୫: କୋର୍ଟ ସଜ୍ଜନ କୁମାରଙ୍କୁ ଦୋଷୀ ସାବ୍ୟସ୍ତ କଲେ, ଫେବ୍ରୁଆରି ୧୮ରେ ଘୋଷଣା ହେବ ଦଣ୍ଡାଦେଶ।
ହିଂସାକାଣ୍ଡ ଓ ଏହାର ପରବର୍ତ୍ତୀ ଘଟଣାର ତଦନ୍ତ ପାଇଁ ଗଠିତ ନାନାବତୀ କମିଶନଙ୍କ ରିପୋର୍ଟ ଅନୁଯାୟୀ, ଦିଲ୍ଲୀରେ ୨ ହଜାର ୭୩୩ ଜଣଙ୍କ ହତ୍ୟା ଘଟଣାରେ ୫୮୭ଟି ଏତଲା ରୁଜୁ ହୋଇଥିଲା। ସେଥିମଧ୍ୟରୁ ପ୍ରାୟ ୨୪୦ଟି ଏତଲାକୁ ପୁଲିସ ପ୍ରମାଣ ମିଳୁ ନ ଥିବା କହି ବନ୍ଦ କରିଦେଇଥିଲା ଏବଂ ୨୫୦ଟି ମାମଲାରେ ଦୋଷମୁକ୍ତ କରାଯାଇଥିଲା। ୫୮୭ଟି ଏତଲାର ମାତ୍ର ୨୮ଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ପ୍ରାୟ ୪୦୦ ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ। ସଜ୍ଜନ କୁମାରଙ୍କ ସମେତ ପ୍ରାୟ ୫୦ ଜଣଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ୧୯୮୪ ମସିହା ନଭେମ୍ବର ୧ ଓ ୨ ତାରିଖରେ ଦିଲ୍ଲୀର ପାଲାମ କଲୋନୀରେ ୫ ଜଣଙ୍କୁ ହତ୍ୟା ମାମଲାରେ କଂଗ୍ରେସର ଜଣେ ପ୍ରଭାବଶାଳୀ ନେତା ତଥା ତତ୍କାଳୀନ ସାଂସଦ ସଜ୍ଜନ କୁମାରଙ୍କୁ ଅଭିଯୁକ୍ତ କରାଯାଇଥିଲା। ଏହି ମାମଲାରେ ତାଙ୍କୁ ଦିଲ୍ଲୀ ହାଇକୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ ଏବଂ ଏହି ଦଣ୍ଡକୁ ଚ୍ୟାଲେଞ୍ଜ କରୁଥିବା ତାଙ୍କ ଆବେଦନ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି। ନିମ୍ନ ଅଦାଲତ ଦ୍ୱାରା ଦୁଇଟି ମାମଲାରେ କୁମାରଙ୍କୁ ଦୋଷମୁକ୍ତ କରିବା ବିରୋଧରେ ହାଇକୋର୍ଟରେ ଅନ୍ୟ ଦୁଇଟି ଆବେଦନ ବିଚାରାଧୀନ ରହିଛି।



