www.samajalive.in
Tuesday, December 9, 2025
15.1 C
Bhubaneswar

ଅପରେସନ ସମାଧାନକୁ ବିରୋଧ : ରଣନୀତି ବଦଳାଉଛି ଲାଲ୍‍ବାହିନୀ

ମାଲକାନଗିରି : ସିପିଆଇ ମାଓବାଦୀଙ୍କ ପକ୍ଷରୁ ନିଜର ପୂର୍ବ ସ୍ଥିତି ଫେରାଇ ଆଣିବାକୁ ଉଦ୍ୟମ ଚାଲିଥିବା ବେଳେ ଓଡ଼ିଶା, ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଚାରୋଟି ରାଜ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଉଥିବା ମାଓ ବିରୋଧୀ ଅପରେସନ ‘ସମାଧାନ’କୁ ସିପିଆଇ ମାଓବାଦୀର ଆଠଟି ଛାମୁଆ ସଂଗଠନ ବିରୋଧ କରିଛି। ଆନ୍ଧ୍ର ଓଡିଶା ଜୋନାଲ ବର୍ଡର କମିଟି, ଛତିଶଗଡରେ କାର୍ଯ୍ୟ କରୁଥିବା ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟି, ଦରଭା ଆଞ୍ଚଳିକ କମିଟି ପ୍ରଭୃତି ମିଳିତ ଭାବରେ ଏହି ମାଓ ବିରୋଧୀ ଅଭିଯାନକୁ ବିରୋଧ କରୁଛନ୍ତି। ମାଓବାଦୀଙ୍କ ବିରୋଧରେ ସରକାରଙ୍କ ଏକ ସ୍ୱତନ୍ତ୍ର ରଣନୀତି ଆରମ୍ଭ କରିଛନ୍ତି। ସ୍ମାର୍ଟ ଲିଡରସିପ୍‍, ଆଗ୍ରେସିଭ ଷ୍ଟ୍ରାଟେଜି, ମୋଟିଭେସନ ଏବଂ ଟ୍ରେନିଂ, ଏକ୍ସନ ଇଂଟଲିଜେନସି, ଡେସ୍କବୋର୍ଡ କି ପେରଫରମେନ୍ସ, ହାରାନାସିଂ ଟେକ୍ନୋଲୋଜି, ଓକ୍ସନ ପ୍ଲାନ ‘ର୍‍ ଇଚ୍‍ ଥ୍ରେଟ୍‍, ନୋ ଆସେସ୍‍ ଟୁ ଫାଇନାନ୍ସିଂ (ସମାଧାନ) ଭଳି ରଣନୀତି ଆପଣେଇ ମାଓ ପ୍ରବଣ ଅଞ୍ଚଳରେ କିଭଳି ସ୍ୱତନ୍ତ୍ର ଅପରେସନ କରାଯାଇ ଏହି ମାଓ ବିରୋଧୀ ଅପରେସନକୁ ରାଜ୍ୟ ସରକାରଙ୍କ ସହାୟତାରେ ସଫଳ କରାଯିବ ସେଥିପାଇଁ କେନ୍ଦ୍ର ପକ୍ଷରୁ ଗତ ୨୦୧୭ ମେ ୧୧ ତାରିଖରେ ଏହି ଯୋଜନା ଆରମ୍ଭ କରାଯାଇଥିଲା। ଏହି ଯୋଜନା ଦ୍ୱାରା ଅଧିକ ସଂଖ୍ୟକ ଫୋର୍ସ ମୁତୟନ, ଦୁର୍ଗମ ମାଓ ପ୍ରବଣ ଅଞ୍ଚଳରେ ଉନ୍ନୟନ କାର୍ଯ୍ୟ, ନୂତନ ରଣ କୌଶଳ ଓ ହେଲିକପ୍ଟର ବ୍ୟବହାର କରିବା ସହ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଦ୍ୱାରା ମାଓବାଦୀଙ୍କୁ ଦମନ, ନୂତନ ପୁଲିସ କ୍ୟାମ୍ପ ପ୍ରତିଷ୍ଠା, ମାଓ ଅଞ୍ଚଳରେ ବିକାଶ କାର୍ଯ୍ୟକୁ ଫୋର୍ସ ମୁତୟନ କରିବା ପାଇଁ ନିୟମ, ଆଞ୍ଚଳିକ ଯୁବକଙ୍କୁ ପ୍ରଶାସନ ଓ ସରକାରଙ୍କ ପ୍ରତି ଲୋକାଭିମୁଖି ହେବା ପାଇଁ ସ୍ୱତନ୍ତ୍ର ତାଲିମ, ଆତ୍ମସମର୍ପଣକାରୀ ମାଓବାଦୀଙ୍କୁ ଲୋଭନୀୟ ପ୍ୟାକେଜ ଓ ଥଇଥାନ ଏବଂ ସଙ୍ଗଠନ ଛାଡିବା ପାଇଁ ସ୍ୱତନ୍ତ୍ର ଭାବେ ସଚେତନତା କାର୍ଯ୍ୟକ୍ରମ ଓ ସିଭିକ୍‍ ଏକ୍ସନ ପ୍ରୋଗ୍ରାମ, ସ୍ଥାନୀୟ ଅଞ୍ଚଳର ଯୁବକଙ୍କୁ ଅର୍ଦ୍ଧସାମରିକ ବାହିନୀରେ ସାମିଲ୍‍ କରିବା ପାଇଁ ତାଲିମ, ଓ ଦେଶଭକ୍ତି ନିମନ୍ତେ ପ୍ରେରଣା ଦେବା ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ, ମାଓ ପ୍ରବଣ ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, କୃଷି, ପାନୀୟ ଜଳ ଭଳି ମୌଳିକ ସୁବିଧା ପୂରଣ ନିମନ୍ତେ କେନ୍ଦ୍ରର ସ୍ୱତନ୍ତ୍ର ଆକାଂକ୍ଷା ଯୋଜନା ପ୍ରଣୟନ କରି ଆଦିବାସୀଙ୍କୁ ସ୍ୱାଭାବଲମ୍ବୀ
କରିବାକୁ ଯୋଜନା ପ୍ରସ୍ତୁତ ଓ ଏହାର ପ୍ରଚଳନ ନିମନ୍ତେ ସ୍ୱତନ୍ତ୍ର କେନ୍ଦ୍ରୀୟ ଅଧିକାରୀଙ୍କୁ ନିଯୁକ୍ତି ଭଳି ବହୁ କାର୍ଯ୍ୟକ୍ରମ ଏହି ସମାଧାନ ଯୋଜନାରେ ରହିଥିବା ବେଳେ ଛତିଶଗଡ଼ରେ ବିଜେପି ସରକାର ଥିବା ସମୟରେ ଏହାର ସଫଳତା ମଧ୍ୟ ପୁଲିସକୁ ମିଳିଛି। ପ୍ରାୟ ୨୦୦ରୁ ଊର୍ଦ୍ଧ୍ବ ଏନ୍‍କାଉଣ୍ଟରରେ ହତ୍ୟା କରିବା ସହ ପ୍ରାୟ ୩୦୦୦ରୁ ଊର୍ଦ୍ଧ୍ବ ମାଓବାଦୀଙ୍କୁ ଗିରଫ କରିବା ସହ ସାମାଜିକ ମୁଖ୍ୟ ସ୍ରୋତରେ ସାମିଲ କରିଛନ୍ତି। ମୁଖ୍ୟତଃ ଛତିଶଗଡ଼ର ଦର୍ଭା ଓ ବସ୍ତର ଜିଲା ଅନ୍ତର୍ଗତ ଦନ୍ତେବାଡା, ସୁକୁମା, ବିଜାପୁର, ନାରାୟଣପୁର ଭଳି ବହୁ ଅଞ୍ଚଳରେ ଏହାର କାର୍ଯ୍ୟକାରିତା ସଫଳତା ମିଳିବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଯୋଜନା ସମସ୍ତ ମାଓ ପ୍ରବଣ ରାଜ୍ୟ ଓଡିଶାର ମାଲକାନଗିରି, କୋରାପୁଟ, କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ପ୍ରଭୃତି ଜିଲା ସମେତ ତେଲେଙ୍ଗାନାର, ଖାମାମ୍‍, ଓ ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ବିଶାଖାପାଟଣା, ଶ୍ରୀକାକୁଲମ ପ୍ରଭୃତି ଜିଲା ଗୁଡିକରେ ଏହି ଯୋଜନା ଲାଗୁ କରିବା ପାଇଁ କେନ୍ଦ୍ର ଗୃହ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି। ମାଲକାନଗିରି ଏସ୍‍.ପି. ଜଗମୋହନ ମୀନାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ସମାଧାନ ନାମକ ଯୋଜନା ସମ୍ପର୍କରେ ସେ ଅବଗତ ଅଛନ୍ତି। କିନ୍ତୁ କେନ୍ଦ୍ର ଗୃହ ବିଭାଗ କିମ୍ବା ଓଡିଶା ରାଜ୍ୟ ଗୃହ ବିଭାଗ ପକ୍ଷରୁ ଏଥିନିମନ୍ତେ ତାଙ୍କୁ କୌଣସି ଲିଖିତ ନିର୍ଦେଶନାମା ଆସିନାହିଁ। ତେବେ ଅପରେସନ ସମାଧାନର ଯେଉଁ ସବୁ ଷ୍ଟ୍ରାଟେଜି ତାହା ମାଲକାନଗିରି ପୁଲିସ ବହୁ ପୂର୍ବରୁ କାର୍ଯ୍ୟକ୍ଷମ କରାଯାଇଛି। ବିଶେଷ କରି ଦୁର୍ଗମ ଅଞ୍ଚଳର ବିକାଶ, ସଙ୍ଗଠନ ଛାଡି ମୁଖ୍ୟ ସ୍ରୋତରେ ସାମିଲ ହେଲେ ସ୍ୱତନ୍ତ୍ର ପ୍ୟାକେଜ ଓ ସହାୟତା, ପଡୋଶୀ ଛତିଶଗଡ, ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ ସହ ଗୁଇନ୍ଦା ତଥ୍ୟର ଆଦାନ ପ୍ରଦାନ କରି ମାଓ ଦମନ ଓ କୁମ୍ବିଂ ଅପରେସନ, ବିଏସଏଫ୍‍, ଏସଓଜି ଓ ଡିବିଏଫ ଦ୍ୱାରା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଭଳି ବହୁ ପଦକ୍ଷେପ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁ ପୁର୍ବରୁ ନିଆଯାଇଛି। ଏଥିଦ୍ୱାରା ଆମେ ସଫଳତା ମଧ୍ୟ ପାଇଛୁ। ସରକାରଙ୍କ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଯୋଗୁଁ ବହୁ ମାଓବାଦୀ ସଙ୍ଗଠନ ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ୍‍ ହୋଇଛନ୍ତି। ମାଲକାନଗିରି ଜିଲା ଯଦି ସମ୍ପୂର୍ଣ ମାଓ ମୁକ୍ତ ହୋଇନାହିଁ କେବଳ ସ୍ୱାଭିମାନ ଅଞ୍ଚଳକୁ ଛାଡିଦେଲେ ଅନ୍ୟ ସମସ୍ତ ଅଞ୍ଚଳ ଶାନ୍ତି ଫେରି ଆସିଛି। ଜିଲାରେ ଐତିହାସିକ ପ୍ରଗତି ହୋଇଛି। ଗ୍ରାମାଞ୍ଚଳ ରାସ୍ତା, ଗୁରୁପ୍ରିୟା ସେତୁ ନିର୍ମାଣ ବଳି ବହୁ ଲୋକାଭିମୁଖି ଯୋଜନାର ସୁବିଧା ପାଇଛନ୍ତି। ତେବେ ମୁଖ୍ୟତଃ ପୂର୍ବରୁ ସାଧାରଣ ଆଦିବାସୀ ଯେଉଁ ମାଓ ଆଦର୍ଶରେ ଅନୁପ୍ରାଣିତ ହେଉଥିଲେ ବିକାଶ ପରେ ଲାଲ୍‍ବାହିନୀକୁ ହାତ ଛାଡି ପୁଲିସ ପ୍ରଶାସନକୁ ସହଯୋଗ କଲା ପରେ ନିଜର ଅସ୍ତିତ୍ୱ ହରାଇ ବସିଥିବା ମାଓବାଦୀ ଭୟଭୀତ ହୋଇ ଲୋକଙ୍କୁ ପୁନର୍ବାର ସଙ୍ଗଠନର ସଚେତନତା କରିବା ନିମନ୍ତେ ଏଭଳି ସମାଧାନ ଯୋଜନା ବିରୋଧ ଓ ପ୍ରଜାମେଳି କରୁଥିବା ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ମୀନା ପ୍ରକାଶ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories