www.samajalive.in
Monday, December 8, 2025
17.1 C
Bhubaneswar

ପ୍ରୋତ୍ସାହନ ଅଭାବ, ବିମୁଖ ଆଖୁଚାଷୀ

ବାଙ୍କୀ : ବାଙ୍କୀ ଉପଖଣ୍ଡ କୃଷି ପ୍ରଧାନ ଅଞ୍ଚଳ । ପରମ୍ପରା କ୍ରମେ ଅଞ୍ଚଳବାସୀ କୃଷିକୁ ପ୍ରାଧାନ୍ୟ ଦେଇଛନ୍ତି । ବହୁ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରି ଚାଷୀ ଜଳସେଚନର ସମସ୍ୟା ଜନିତ କୃଷି କାର୍ଯ୍ୟରେ ହତାଶ ହେବାକୁ ପଡୁଛି। ରାଜ୍ୟ ସରକାର ଏବେ ବାଙ୍କୀରେ ମେଗା ସେଚ ପ୍ରକଳ୍ପ କାର୍ଯ୍ୟ ଟେଣ୍ଡର ପ୍ରକ୍ରିୟାରେ ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ କରିଛନ୍ତି। ଆଗକୁ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ କୃଷି କାର୍ଯ୍ୟରେ ସଙ୍କଟର ସମ୍ମୁଖୀନ ହେବନାହିଁ ବୋଲି ଅଞ୍ଚଳର ଚାଷୀ ଆଶାବାଦୀ।

ମାତ୍ର ବାଙ୍କୀ ଉପଖଣ୍ଡରେ ମହାନଦୀ ପ୍ରବାହିତ ହେଉଥିଲାବେଳେ ଜଳସେଚନର ସଙ୍କଟ ଜନିତ ସମସ୍ୟାରେ ଚାଷୀ ୩୦ବର୍ଷରୁ ଊର୍ଦ୍ଧ୍ବକାଳ ଧରି ସମସ୍ୟାର ସମ୍ମୁଖୀନ ହେଉଛି । ଯାହାଦ୍ୱାରା ଧାନ, ପନିପରିବା ଓ ଆଖୁ ଚାଷରେ ଚାଷୀ ସେତେଟା ଲାଭବାନ ହୋଇପାରୁ ନାହିଁ। ଏବେର ସ୍ଥିତିକୁ ଅନୁଧ୍ୟାନ କଲେ ବାଙ୍କୀରୁ ଆଖୁ ଚାଷ ବୁଡ଼ିଯାଇଛି କହିଲେ ଅତ୍ୟୁକ୍ତି ହେବନାହିଁ । ଯାହାଦ୍ବାରା ହାଟରେ ଗୁଡ଼ ମାଠିଆ ଦେଖିବାକୁ ମିଳୁ ନଥିବାବେଳେ ଆଖୁ ଚାଷ ଜମିଗୁଡିକ ସମ୍ପୂର୍ଣ ପଡ଼ିଆ ପଡ଼ି ରହିଛି।

- Advertisement -

ମତାମତ :
ଧରଣୀ ମାର୍ଥ, ବିଲିତେନ୍ତୁଳିଆ: ବାଙ୍କୀ ବ୍ଲକ ଅନ୍ତର୍ଗତ ବିଲିତେନ୍ତୁଳିଆ ଗ୍ରାମରେ ମୋ ଗାଁ। କାହୁଁ କେଉଁ କାଳରୁ ମୋ ପୂର୍ବପୁରୁଷମାନେ ଆଖୁ ଚାଷ କରୁଥିଲେ । ତାଙ୍କ ପରେ ପରେ ମୁଁ ଦୀର୍ଘ ୨୦ବର୍ଷ କାଳ ଧରି ଆଖୁ ଚାଷ କରୁଥିଲି। ଅନୁୟାରୀ ପଞ୍ଚାୟତର କୁରୁମଚଇନି ଗାଁ ଠାରୁ ଉଠା ଜଳସେଚନ ଯୋଜନାରେ କ୍ଷେତକୁ ପାଣି ଆସୁଥିଲା । ପାଣି ବନ୍ଦ ହେଲା, ଯୋର ଓ ନାଳ ପାଣି ପର୍ଯ୍ୟାପ୍ତ ହେଲାନାହିଁ । ଆଖୁ ଚାଷ କରିପାରିଲି ନାହିଁ। ମୋ ଗାଁର ନାଲୁ ବେହେରା, ଯୋଗେଶ ସାହାଣୀ, ଭାଗିରଥୀ ସାମଲ, ଟୁକୁନା ସାମଲ, ଦେବ ମାର୍ଥା ପ୍ରମୁଖଙ୍କ ପରି ବହୁଚାଷୀ ଚାଷ ଛାଡ଼ିଲେ । ଚିନିକଳ ସୁବିଧା ନାହିଁ । ଏବେ ଘର ପାଇଁ ଆବଶ୍ୟକ ଗୁଡ଼ ଚଢା ଦରରେ ବଜାରରୁ କିଣୁଛୁ। ଚାଷରୁ ବିମୁଖ ହୋଇ ଦୁଃଖ ସାଉଣ୍ଟୁଛୁ।

ଭୀମସେନ ପ୍ରଧାନ, ନିସ୍ତିପୁର: ଏବେ କୁଶପଙ୍ଗି ପଞ୍ଚାୟତର ଘାସିପୁଟ, ନିସ୍ତିପୁର, ଇନ୍ଦୁମତିପାଟଣା ଓ କୁଶପଙ୍ଗି ଗ୍ରାମର
ଚାଷୀ ପନିପରିବା ଚାଷ ଉପରେ ଗୁରୁତ୍ବ ଦେଇଛନ୍ତି। ମାତ୍ର ଏବେ ପନିପରିବା ଚାଷ ଉପଯୋଗୀ ଯେଉଁସବୁ ଜମି ପଡ଼ିଆ ପଡ଼ିଛି ପୂର୍ବରୁ ସେହି ଜମିରେ ହିଁ ବ୍ୟାପକ ଆଖୁ ଚାଷ କରାଯାଉଥିଲା। କ୍ରମଶଃ ଜଳସେଚନ ଅବ୍ୟବସ୍ଥା, ଚିନିକଳ ବନ୍ଦ ହୋଇଯିବା, ପଡୋଶୀ ଚିନି କାରଖାନାକୁ ଆଖୁ ବିକ୍ରି କରି ନିୟମିତ ପଇସା ନପାଇବାରୁ ଚାଷ ପ୍ରତି ବିମୁଖ ଭାବ ଆସିଲା। ଆମର ମାସରୁ ଦେଢମାସ ପର୍ଯ୍ୟନ୍ତ ଶାଳ ବୁଲୁଥିଲା । ବାପାଙ୍କ ପରେ ଆଖୁ ଚାଷର ଦାୟିତ୍ଵ ମୁଁ ମଧ୍ୟ ନେଉଥୁଲି । ଏବେ ଆଖୁ ଚାଷ ବନ୍ଦ ହୋଇଗଲା, ମୁଁ ମଧ୍ୟ ପରିବାର ପାଇଁ ଆବଶ୍ୟକ ହେଉଥିବା ଗୁଡ ବଜାରରୁ କିଣୁଥିଲେ ମଧ୍ୟ ଆଖୁ ଗୁଡ ମିଳୁନାହିଁ ।

ସୁକାନ୍ତ ବେହେରା, ଇନ୍ଦୁମତିପାଟଣା; ଶିମିଳିପୁର ପଞ୍ଚାୟତ ଅଧୀନ କରବର ଗ୍ରାମରେ ମୋର ଜମି ଅଛି। ପୂର୍ବରୁ ସେହି ଜମିରେ ଆଖୁ ଚାଷ କରାଯାଉଥିଲା। ମୋ ପରିବାରର ଭାଇମାନେ ଓ ପଡୋଶୀ ଚାଷୀ ସହିତ ଭାଗ ଚାଷୀ ଏକାଠି ମାସମାସ ଧରି ଶାଳ ବୁଲାଉଥିଲୁ । ବହୁ ଗୁଡ ଆମଦାନୀ ହେଉଥିଲା । ଏବେ ସମ୍ପୂର୍ଣ ଆଖୁଚାଷ ବୁଡ଼ିଯାଇଛି। ବଳଦ, ଲୋକବଳ ନଥିବାରୁ ଆଖୁ ଚାଷ ପ୍ରଭାବିତ ହେଲା। ସେହିପରି ଆଖୁ ଚାଷ ବଢ଼ାଇବା ପାଇଁ ସରକାରୀ ପ୍ରୋତ୍ସାହନ ଏବଂ କୃଷି ବିଭାଗର ଅସହଯୋଗ ହେତୁ ଚାଷ ବୁଡ଼ିବାର ମୁଖ୍ୟ କାରଣ ପାଲଟିଛି। କୃଷି ବିଭାଗ ଉଦ୍ୟମ କଲେ ସରକାରୀ ପ୍ରୋତ୍ସାହନ ମିଳିଲେ ଆଖୁ ଚାଷ ପୁଣି ବଢ଼ିପାରନ୍ତା।

ଦୀନବନ୍ଧୁ ସ୍ବାଇଁ, କୁଶପଙ୍ଗି: ବାଙ୍କୀ ବ୍ଳକର ଅନୁୟାରୀ, ଗୋଳାଗଣ୍ଡ, କଳାପଥର, ବୈଦ୍ୟଶ୍ବର, କିଆପଲ୍ଲା, ବ୍ରହ୍ମପୁରା, ରାତାଗଡ଼, ସୁବର୍ଣ୍ଣପୁର, ବନ୍ଦାଳ, ବାଉଁଶପୁଟ୍ଟ, ଡମପଡ଼ା ବ୍ଲକର ଦୁର୍ଗାପୁର, ଗୋପାଳପୁର, ଶିମିଳିପୁର, ହରିରାଜପୁର, କୁଶପଙ୍ଗି, ପାଥପୁର, ଦୁଲଣାପୁର ଏବଂ ବାଙ୍କୀ ଏନ୍ଏସି ଚକାପଦା, ବେଦପୁର, ଚର୍ଚ୍ଚିକାସାହି, ସାହାଡ଼ା ପଦ, ଡାଙ୍ଗିପଟା, ମନ୍ତ୍ରୀସାହି, ଶିଶୁଅ ଆଦି ଗ୍ରାମ ପ୍ରମୁଖ ଆଖୁ ଚାଷର ଅଞ୍ଚଳ। କିଆରିକୁ ଚାହିଁଲେ ଆଖ୍ ପାଇବ ନାହିଁ। ମାସମାସ ଧରି ଆଖୁ ଶାଳରୁ ଗୁଡର ବାସ୍ନା ଭୁଲି ହେଉନି। କୁଶପଙ୍ଗି ଗ୍ରାମରେ ମୋ ବାପା ଆଖୁ ଚାଷ କରୁଥିଲେ। ତାଙ୍କ ପରେ ମୁଁ ମଧ୍ୟ କରିଥିଲି। ଲାଭ ଜନକ ଫସଲ। କୃଷି ବିଭାଗର ଅଣଦେଖା, ଗୁଡ ମାଠିଆ ନମିଳିବା, ଲୋକବଳ କମିବା ଏବଂ ଉତ୍ପାଦିତ ଗୁଡ଼କୁ ବିକ୍ରି କରିବା ପାଇଁ ହାଟ ସମସ୍ୟା, ଚିନିକଳ ମାଲିକ ଆଖୁ କ୍ରୟ କରି ସୁବିଧାରେ ପଇସା ନଦେବା ଏବଂ ପରେପରେ ଚିନିକଳ ବନ୍ଦ ହୋଇଯିବା କାରଣରୁ ଚାଷରୁ ବିମୁଖ ହେଲୁ। ଏବେ ସେହି ଜମିରେ କିଛି ପରିବା ଚାଷ କରୁଛୁ। ବଳକା ଜମି ପଡ଼ିଆ ପଡୁଛି। ସରକାରୀ ସହାୟତା ଓ ପ୍ରୋତ୍ସାହନ ମିଳିଲେ ଆଖୁ ଚାଷ ପୁନରାୟ ହେବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories