ସମାଜ ଡିଜିଟାଲ ଡେସ୍କ: ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡରେ ଭୋଟ ଗଣତି ଶନିବାର ଆରମ୍ଭ ହୋଇଛି। ଦୁଇ ରାଜ୍ୟରେ କିଏ ଗଢ଼ିବ ସରକାର ତାହା ଉପରେ ସାରା ଦେଶବାସୀଙ୍କ ନଜର ରହିଛି। ପୂର୍ବାହ୍ନ ୧୦ଟା ସୁଦ୍ଧା ମହାରାଷ୍ଟ୍ରରେ ବିଜେପି ନେତୃତ୍ଵାଧୀନ ମହାୟୁତି ମେଣ୍ଟ ଆଗରେ ଥିବାବେଳେ କଂଗ୍ରେସ ନେତୃତ୍ଵାଧୀନ ମହାବିକାଶ ଅଘାଡ଼ି(ଏମଭିଏ) ପଛୁଆ ରହିଛି। ସେହିପରି ଝାଡ଼ଖଣ୍ଡରେ ବିଜେପି ଏବଂ ଜେଏମଏମ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି।
ମହାରାଷ୍ଟ୍ରରେ ମୋଟ ୨୮୮ ଆସନ ମଧ୍ୟରୁ ପୂର୍ବାହ୍ନ ୧୦ଟା ସୁଦ୍ଧା ୨୭୧ ଆସନରେ ଭୋଟ ଗଣତି ଜାରି ରହିଛି। ବିଜେପି ନେତୃତ୍ଵାଧୀନ ମହାୟୁତି(ବିଜେପି, ଏକନାଥ ସିନ୍ଦେଙ୍କ ଶିବସେନା, ଅଜିତ ପାଓ୍ବାରଙ୍କ ଏନସିପି) ୧୭୪ ଆସନରେ ଆଗୁଆ ଥିବା ଜଣାପଡ଼ିଛି। ସେହିପରି କଂଗ୍ରେସ ନେତୃତ୍ଵାଧୀନ ଏମଭିଏ(କଂଗ୍ରେସ, ଉଦ୍ଧବ ଠାକରେଙ୍କ ଶିବସେନା, ଶରଦ ପାଓ୍ବାରଙ୍କ ଏନସିପି) ୯୨ ଆସନରେ ଆଗରେ ରହିଛି। ଅନ୍ୟାନ୍ୟ ଦଳଗୁଡ଼ିକ ୫ ଆସନରେ ଆଗରେ ଥିବା ଜଣାପଡ଼ିଛି।
ଅନ୍ୟପଟେ ଝାଡ଼ଖଣ୍ଡରେ ଶାସକ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ) ଏବଂ ବିରୋଧୀ ବିଜେପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ମୋଟ ୮୧ ବିଧାନସଭା ଆସନ ମଧ୍ୟରୁ ୭୮ ଆସନରେ ଭୋଟ ଗଣତି ଚାଲିଥିବାବେଳେ ଜେଏମଏମ ନେତୃତ୍ଵାଧୀନ ମେଣ୍ଟ ୩୭ ଆସନରେ ଆଗୁଆ ରହିଛି। ସେହିପରି ବିଜେପି ୪୦ ଆସନରେ ଆଗୁଆ ଥିବା ସୂଚନା ମିଳିଛି। ଅନ୍ୟାନ୍ୟ ଦଳ ଗୋଟିଏ ଆସନରେ ଆଗରେ ରହିଛନ୍ତି।



