www.samajalive.in
Thursday, December 11, 2025
27.1 C
Bhubaneswar

ଜାଳିଦେଲେ ଶହେ କ୍ବିଣ୍ଟାଲ ଧାନ

ଧର୍ମଗଡ଼: ଧାନ କଟା ହୋଇ ରଖା ହୋଇଥିଲା। ଶୁକ୍ରବାର ଅମଳ ହୋଇଥାନ୍ତା। କିନ୍ତୁ ସବୁ ଓଲଟପାଲଟ ହୋଇଗଲା। କେହି ଦୁର୍ବୃତ୍ତ ଧାନ ସବୁରେ ନିଆଁ ଲଗାଇଦେଲା। ରାତି ପାହିଲା ବେଳକୁ ସବୁ ଧାନ ହୁତୁହୁତୁ ହୋଇ ଜଳି ପାଉଁଶ ହୋଇଯାଇଛି। ବର୍ଷକର ଅମଳ ନିମିଷକ ମଧ୍ୟରେ ପାଉଁଶ ହୋଇଗଲା। ମୁଣ୍ଡରେ ହାତ ଦେଇ ପାଉଁଶକୁ ଆଁ କରି ଚାହିଁ ରହିଛି ଚାଷୀ। ଓଠ ଶୁଖି ଯାଉଛି। ପାଟିରୁ ଭାଷା ବାହାରୁ ନାହିଁ। ଧର୍ମଗଡ଼ ବ୍ଲକ ତେଣ୍ଡାପାଲି ପଞ୍ଚାୟତ ପଦ୍ମପୁର ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା। ବୋଇତ ବନ୍ଦାଣ ପାଇଁ ପୁରପଲ୍ଲୀ ଉତ୍ସବମୁଖର ଥିବାବେଳେ ପଦ୍ମପୁର ଗାଁରେ ଚାଷୀ କୈଳାସ ଗୋପାଳଙ୍କ ଘରେ ଦୁଃଖର ବାଦଲ ଛାଇଯାଇଛି।

ସୂଚନା ଅନୁଯାୟୀ, ପଦ୍ମପୁର ଗ୍ରାମର କୈଳାସ ଗୋପାଳ ନିଜ ପୈତୃକ ସମ୍ପତ୍ତିରୁ ଭାଗ ସୂତ୍ରରେ ମିଳିଥିବା ୪ ଏକର ଜମିରେ ଧାନ ଚାଷ କରିଥିଲେ। ଉଠା ଜଳସେଚନ ପ୍ରକଳ୍ପ ଅଞ୍ଚଳ ଯୋଗୁ ଚଳିତ ବର୍ଷ ଭଲ ଫସଲ ହୋଇଥିଲା ଏବଂ ଅମଳ ଆଶା ମଧ୍ୟ ଅଧିକ ଥିଲା। ଗୁରୁବାର ଧାନ କଟା ସରିଥିଲା। ରାତି ପାହିଲେ ଶୁକ୍ରବାର କାର୍ତ୍ତିକ ପୂର୍ଣ୍ଣିମା। ସେଥିପାଇଁ କଟାଯାଇଥିବା ଧାନ ଜମି ନିକଟସ୍ଥ ପଡ଼ିଆରେ ଜମା କରି ପୂର୍ଣ୍ଣିମା ପ୍ରସ୍ତୁତିରେ ସମସ୍ତେ ଲାଗିପଡ଼ିଥିଲେ। ବୋଇତ ବନ୍ଦାଣ ଉତ୍ସବ ପରେ ପରିବାର ଲୋକେ ଖୁସି ମନରେ କାର୍ତ୍ତିକ ପୂର୍ଣ୍ଣିମା ପୂଜା କରି ମେସିନ ଲଗାଇ ଧାନ ଅମଳ କରିଥାନ୍ତେ। ରାତି ପାହିଲା ବେଳକୁ କିନ୍ତୁ ସବୁ ଓଲଟପାଲଟ ହୋଇଗଲା। ବୋଇତ ଭସାଣ ପାଇଁ ଯିବାବେଳେ ହୁତୁହୁତୁ ହୋଇ ଧାନ ଗଦା ଜଳୁଥିବା ଦେଖିବାକୁ ମିଳିଥିଲା। ଆଖି ସାମ୍ନାରେ ବର୍ଷକର ପରିଶ୍ରମ ପାଉଁଶ ହୋଇଯିବା ଦେଖି ଉପାୟଶୂନ୍ୟ ହୋଇଯାଇଥିଲେ ପରିବାର ଲୋକେ। ଗ୍ରାମବାସୀଙ୍କ ପରାମର୍ଶକ୍ରମେ କୈଳାସଙ୍କ ପୁଅ ସନ୍ତୋଷ ଗୋପାଳ କୋକସରା ଥାନାରେ ଏତଲା ଦେଇଥିଲେ ମଧ୍ୟ ଚାଷକୁ ଭରସା କରି ବଞ୍ଚୁଥିବା ଛଅ ପ୍ରାଣୀ କୁଟୁମ୍ବ ଚଳିବେ କେମିତି? ପୁଲିସ ସଂପୃକ୍ତ ଦୁର୍ବୃତ୍ତକୁ ଚିହ୍ନଟ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବା ସହ ପ୍ରଶାସନ କ୍ଷତିଗ୍ରସ୍ତ ପରିବାକୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ଦାବି ହେଉଛି।

Hot this week

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

Related Articles

Popular Categories