ସମାଜ ଡିଜିଟାଲ ଡେସ୍କ: ଆଜିର କାମ ଆସନ୍ତା କାଲି ନୁହଁ ବରଂ ଆଜି ଶେଷ ହେବ। ସାବାଡ଼ ହେବେ ଜବରଦଖଲକାରୀ। ଆକ୍ସନ ମୋଡ୍ରେ ରହିଛି ଓଡ଼ିଶା ରାଜସ୍ୱ ବିଭାଗ। ଚଳିତବର୍ଷ ଡିସେମ୍ବର ୩୧ସୁଦ୍ଧା ରାଜସ୍ୱ ବିଭାଗର ବାକି ରହିଥିବା ସମସ୍ତ ଜମିଜମା ମାମଲା କାର୍ଯ୍ୟ ଶେଷ ହେବ। ପ୍ରତି ମାସରେ ପ୍ରତି ଜିଲାର ରିପୋର୍ଟ କାର୍ଡ ରାଜସ୍ୱ ବିଭାଗ ପାଖରେ ରହୁଛି ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ମନ୍ତ୍ରୀ କହିଛନ୍ତି, ଓଡ଼ିଶାର ଜବରଦଖଲ ମାମଲା କହିଲେ ଏକ ପାହାଡ଼କୁ ବୁଝାଏ। କିନ୍ତୁ ଉଚ୍ଛେଦ ଉପରେ ମଧ୍ୟ ଯଥେଷ୍ଟ ଧ୍ୟାନ ଦେଇଛି ବିଭାଗ।
ମନ୍ତ୍ରୀ ସୁରେଶ ପୂଜାରୀ ଆହୁରି କହିଛନ୍ତି ଯେ, ଓଡ଼ିଶାରେ ଦୁଇ ପ୍ରକାର ଜବରଦଖଲକାରୀ ରହିଛନ୍ତି। ଏକରେ ଗରିବ ଶ୍ରେଣୀର ବ୍ୟକ୍ତି, ଯିଏ କି ସରକାରୀ ଜମିରେ କୁଡ଼ିଆ କରି ରହିଛି। କେବେ ବି ସରକାର ସେମାନଙ୍କୁ ଉଚ୍ଛେଦ କରିବ ନାହିଁ ବରଂ ସେମାନଙ୍କୁ ପଟ୍ଟା ଦିଆଯିବା ନେଇ ସରକାର ଅଙ୍ଗୀକାରବଦ୍ଧ। କିନ୍ତୁ ଯେଉଁ ସମ୍ଭ୍ରାନ୍ତ ଶ୍ରେଣୀର ବ୍ୟକ୍ତିବିଶେଷ ଲୋଭ ବସବର୍ତ୍ତୀ ହୋଇ ବଡ଼ ବଡ଼ ଜବରଦଖଲ କରୁଛନ୍ତି ସେମାନଙ୍କୁ ଠାବ କରିବା ପାଇଁ ଜିଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି। ଏହାସହ ଯିଏ ସରକାରୀ ଜମି ବିକ୍ରି କରୁଛି ଓ ଯିଏ କିଣୁଛି ସେମାନଙ୍କ ବିରୋଧରେ ବିଭାଗ ପକ୍ଷରୁ କଡ଼ା କର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ନିୟମ ରହିଛି। ଲୋକମାନେ ସଚେତନତା ଅବଲମ୍ବନ କଲେ ଏଭଳି ବିଚ୍ୟୁତି ସମ୍ନାକୁ ଆସିବିନି ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।



