ଗୋପାଳପୁର: ପୃଥିବୀ ମାନଚିତ୍ରରେ ପର୍ଯ୍ୟଟନ ସ୍ଥଳ ଭାବେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିବା ଗୋପାଳପୁର ପର୍ଯ୍ୟଟନସ୍ଥଳୀ ପର୍ଯ୍ୟଟକ ମାନଙ୍କୁ ଉଚିତ ସେବା ଯୋଗାଇ ଦେବାରେ ଅସମର୍ଥ ହୋଇ ପଡ଼ିଛି। ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ସୁବିଧା ନିମନ୍ତେ ପ୍ରାୟ ୧୫ ବର୍ଷ ତଳେ ୩ଟି ଶୈଚାଳୟ ନିର୍ମାଣ ସହିତ ୨ ବର୍ଷ ତଳେ ଆଉ ୨ଟି ଶୈଚାଳୟ ନିର୍ମାଣ କରାଯାଇଥିଲା। ଏହା ମଧ୍ୟରେ ଗୋପାଳପୁରର ଆଉଟ୍ ରୋଡରେ ରହିଥିବା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ହାତକୁ ଲାଗି ନିର୍ମାଣ ହୋଇଥିବା ଶୌଚାଳୟ ୨ ବର୍ଷ କାର୍ଯ୍ୟକ୍ଷମ ରହିବା ପରେ ସମ୍ପୂର୍ଣ୍ଣ ବନ୍ଦ ପଡିଥିବା ବେଳେ ଏବେ ଏହାର ଏକ ନିରାଶ୍ରୟ ପରିବାରର ରହଣି ସ୍ଥଳ ଭାବେ ବ୍ୟବହୃତ କରାଯାଇଛି। ଏହା ସହ ବସଷ୍ଟାଣ୍ଡ ଓ ବିଜୁ ପଟ୍ଟନାୟକ ଦୁଃସାହସିକ ପାର୍କ କଡ଼ରେ ଥିବା ଶୌଚାଳୟ ଉପରେ ଦୀର୍ଘ ବର୍ଷ ଧରି ପର୍ଯ୍ୟଟକ ମାନେ ଭରସା କରି ଆସୁଥିଲେ। କିନ୍ତୁ ଏହି ଦୁଇଟି ମଧ୍ୟ ରାତି ୮ଟା ପରେ ବନ୍ଦ କରି ଦିଆଯାଉଥିବାରୁ ଏଠାକୁ ଆସୁଥିବା ପର୍ଯ୍ୟଟକ ମାନେ ଅଭିଯୋଗ କରିଛନ୍ତି। ୨୦୨୧-୨୨ ରେ ପୁରାତନ ଏନଏସି କାର୍ଯ୍ୟାଳୟ ସ୍ଥାନରେ ପ୍ରାୟ ୧ କୋଟି ବ୍ୟୟରେ ଏ ଓ୍ବାନ ଶୈଚାଳୟ ନିର୍ମାଣ ସହ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କୁ ଏକ ଖାସ ଓ ଅତ୍ୟାଧୁନିକ ଶୌଚାଳୟ ବ୍ୟବହାର କରିବାର ଅନୁଭୂତି ପ୍ରଦାନ ନିମନ୍ତେ ନିର୍ମାଣ କରାଗଲା। କିନ୍ତୁ ଏହା ପ୍ରତିଦିନ ସକାଳ ୭ଟାରୁ ୧୦ଟା ଓ ଅପରାହ୍ନ ୩ଟାରୁ ରାତି ୮ଟା ଯାଏଁ ଖୋଲା ଯାଉଥିବା ବେଳେ ଅନ୍ୟ ସମୟରେ ବନ୍ଦ ରଖାଯାଉଛି।
ପୂର୍ବ ସରକାରଙ୍କ ପକ୍ଷରୁ ଗତ କିଛି ମାସ ତଳେ ସହରାଞ୍ଚଳରେ ଥିବା ସମସ୍ତ ଶୌଚାଳୟ ବ୍ୟବହାରକୁ ଦେୟ ମୁକ୍ତ କରା ଯାଇଥିବା ବେଳେ ଏବେ ହିଁ ଶୌଚାଳୟରେ ବ୍ୟବହାରକାରୀଙ୍କ ଠାରୁ ୧୦ ଟଙ୍କା ଲେଖାଏଁ ଆଦାୟ କରାଯାଉଛି। ଗୋପାଳପୁର ବୁଲିବାକୁ ଆସୁଥିବା ଦିବ୍ୟାଙ୍ଗ ବ୍ୟକ୍ତି ମାନଙ୍କ ନିମନ୍ତେ ବେଳାଭୂମିର ହୋଟେଲ କଳିଙ୍ଗ କଡ଼ରେ ପ୍ରାୟ ୭ ଲକ୍ଷ ବ୍ୟୟରେ ଏକ ଶୈଚାଳୟ ନିର୍ମାଣ କରାଯାଇଥିଲା। କିନ୍ତୁ ଆଜି ଯାଏଁ ଏହାକୁ କାର୍ଯ୍ୟକ୍ଷମ କରାଇବାକୁ ଏନଏସି ପ୍ରଶାସନ ପକ୍ଷରୁ ଉଦ୍ୟମ କରାଗଲା ନାହଁ। ଯାହାଫଳରେ ଶୌଚାଳୟଟି ନଷ୍ଟ ହେବା ହେଉଥିବା ଦେଖିବାକୁ ମିଳିଛି। ଏଣୁ ଏନ ଏ ସି ପ୍ରଶାସନ ପକ୍ଷରୁ ଏଥି ପ୍ରତି ଧ୍ୟାନ ଦେବା ସହ ଗୋପାଳପୁରରେ ଥିବା ସମସ୍ତ ଶୌଚାଳୟକୁ ୨୪ ଘଣ୍ଟିଆ ବ୍ୟବହାର ଯୋଗ୍ୟ କରାଯିବାକୁ ସାଧାରଣରେ ଦାବି ହେଉଅଛି।



