ସୋମବାରରୁ ଆରମ୍ଭ ହେବ ପ୍ରଭୁ ଧବଳେଶ୍ୱରଙ୍କ ପଞ୍ଚକ ଓ ବଡଓଷାଯାତ୍ରା
।। ପ୍ରସ୍ତୁତି ଚୁଡାନ୍ତ ।। ମୁତୟନ ହେବେ ୧୫ ପ୍ଲାଟୁନ ଫୋର୍ସ ।। ୧୬୦ ପୁଲିସ ଅଧିକାରୀ ।।
ଗୁରୁଡିଝାଟିଆ: ପ୍ରସିଦ୍ଧ ଶୈବପୀଠ ପ୍ରଭୂ ଧବଳେଶ୍ୱରଙ୍କ ପଞ୍ଚକ ଓ ବଡଓଷା ଯାତ୍ରା ସୋମବାରରୁ ଆରମ୍ଭ ହେବ। ବୁଧବାର ୧୩ ତାରିଖ ପ୍ରଭୁଙ୍କ ବଡଓଷା ଓ ବଡସିଂହାର ବେଶ ଅନୁଷ୍ଠିତ ହେବ। ୧୪ ତାରିଖରେ ଶ୍ରଦ୍ଧାଳୁଙ୍କ ଉଦେଶ୍ୟରେ ଗଜଭୋଗ ବିତରଣ କରାଯିବ। ଏଥିପାଇଁ ଆଗନ୍ତୁକ ଶ୍ରଦ୍ଧାଳୁଙ୍କୁ ଶାନ୍ତି ଶୃଙ୍ଖଳାର ସହିତ ଦର୍ଶନ କରାଇ ଫେରାଇଦେବା ନିମନ୍ତେ ସମସ୍ତ ପ୍ରସ୍ତୁତିପର୍ବ ଶେଷ ହୋଇଛି। କଂକ୍ରିଟ ସେତୁର ପ୍ରବେଶପଥ ଠାରୁ ମନ୍ଦିର ପର୍ଯ୍ୟନ୍ତ ସୁଦୃଢ ବ୍ୟାରିକେଡ କରାଯାଇଛି। ଭିଡକୁ ନିୟନ୍ତ୍ରଣ କରିବା ପାଇଁ କଂକ୍ରିଟ ସେତୁର ଶେଷରୁ ମନ୍ଦିର ଉତ୍ତରପାର୍ଶ୍ବ, ପଶ୍ଚିମପାର୍ଶ୍ବ ଦେଇ ଶ୍ରଦ୍ଧାଳୁମାନେ ମନ୍ଦିରରେ ଧାଡିରେ ଦର୍ଶନ ବ୍ୟବସ୍ଥା ପାଇଁ ଜିଗଜାଗ ବ୍ୟାରିକେଡ ମଧ୍ୟ କରାଯାଇଅଛି।
ଧବଳେଶ୍ବରରେ କିଭଳି ଶାନ୍ତିଶୃଙ୍ଖଳା ସହ ଶ୍ରଦ୍ଧାଳୁ ଦର୍ଶନ କରିପାରିବେ ସେଥିପାଇଁ ଜିଲା ଆରକ୍ଷୀ ଅଧିକ୍ଷକ ପ୍ରତୀକ ସିଂ ଧବଳେଶ୍ୱର ବିଟ ହାଉସରେ ଉପସ୍ଥିତ ପୁଲିସ ଅଧିକାରୀ ଓ ଫୋର୍ସମାନଙ୍କ ସହିତ ଆଲୋଚନା କରିଛନ୍ତି। ପ୍ରଭୁଙ୍କ ପୀଠ ମହାନଦୀର ମଝିରେ ଶ୍ରଦ୍ଧାଳୁମାନେ ଦୀର୍ଘ ସମୟ ଧରି ଧାଡିରେ ରହି ମନସ୍କାମନା ପୂର୍ଣ୍ଣ ପାଇଁ ଦର୍ଶନ ନିମନ୍ତେ ଆସୁଛନ୍ତି। ତେଣୁ ସେମାନଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରି ସହଯୋଗ କରିବା ଆମର କର୍ତ୍ତବ୍ୟ ବୋଲି ଜିଲା ଆରକ୍ଷୀ ଅଧିକ୍ଷକ କହିଛନ୍ତି।
ପ୍ରଭୁ ଧବଳେଶ୍ୱରଙ୍କ ପଞ୍ଚୁକ ଓ ବଡଓଷା ଯାତ୍ରାକୁ ଶୃଙ୍ଖଳିତ ଢଙ୍ଗରେ ସମାପନ କରିବା ନିମନ୍ତେ ଆରକ୍ଷୀ ଅଧିକ୍ଷକ ଶ୍ରୀ ସିଂଙ୍କ ନେତୃତ୍ୱରେ ୩ଜଣ ଅତିରିକ୍ତ ଜିଲା ଆରକ୍ଷୀ ଅଧିକ୍ଷକ, ୭ଜଣ ଉପ ଆରକ୍ଷୀ ଅଧିକ୍ଷକ , ୧୬ଜଣ ନିରୀକ୍ଷକ, ୧୦୫ଜଣ ଉପ ଆରକ୍ଷୀ ଓ ସହକାରୀ ଉପଆରକ୍ଷୀ, ୧୮ଜଣ ଯୋଗାଯୋଗ(ସିଗନାଲ) ଅଧିକାରୀ,୧୪୨ଜଣ ସିପାହୀ ,୧୨ଜଣ ହାବିଲଦାର, ୬୯ଜଣ ଏପିଆର ହାବିଲଦାର, ୩୫୦ ଗୃହରକ୍ଷୀ ସହିତ ୧୫ ପ୍ଲାଟୁନ ଫୋର୍ସ ପୀଠର ବିଭିନ୍ନ ପ୍ରାନ୍ତରେ ମୁତୟନ କରାଯିବ। ନଦୀଘାଟ, ଦୀପଦାନସ୍ଥଳ, ମନ୍ଦିର ପ୍ରସ୍ଥାନ, ପ୍ରବେଶ, ମନ୍ଦିରର ଚାରିପାର୍ଶ୍ବ, ଟ୍ରାଫିକ୍, କଂକ୍ରିଟସେତୁ ଆଦି ସ୍ଥାନମାନଙ୍କରେ ଫୋର୍ସ ମୁତୟନ ହେବା ସହିତ ଲୁଟେରାମାନଙ୍କ ପ୍ରତି ସତର୍କ ଦୃଷ୍ଟିଦେବା ପାଇଁ ସାଧା ପୋଷକଧାରୀ ପୁଲିସ ମଧ୍ୟ ମୁତୟନ ହେବେ।
ଶୃଙ୍ଖଳାର ସହିତ ସମସ୍ତ କାର୍ଯ୍ୟକୁ ସୁଚାରରୁପେ ସଂପାଦନ କରିବା ନିମନ୍ତେ ଆଠଗଡ଼ ଉପଜିଲାପାଳ ତଥା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରହଲ୍ଲାଦ ନାରାୟଣ ଶର୍ମାଙ୍କ ନେତୃତ୍ୱରେ ୧୦ଜଣ ମାଜିଷ୍ଟ୍ରେଟ ମୁତୟନ ହେବେ। ଆଜିର ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ସିଂ ଙ୍କ ସହିତ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କୃଷ୍ଣ ପ୍ରସାଦ ପଟ୍ଟନାୟକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦେବଦତ୍ତ ବରାଳ, ଚୌଦ୍ୱାର ଏସଡିପିଓ ଉମାକାନ୍ତ ନାୟକ, ମୁଖ୍ୟକାର୍ଯ୍ୟାଳୟ ଡିଏସପି ନିରଞ୍ଜନ ଶବର,ଡିଏସପି କିରଣ ହେମ୍ବ୍ରମ, ଏସଡିପିଓ ନିହାର ରଞ୍ଜନ ପ୍ରଧାନ, ଏସଡିପିଓ ବିଜୟକୃଷ୍ଣ ପଟ୍ଟନାୟକ, ବାଙ୍କି ଥାନା ଅଧିକାରୀ ଶିବ ପ୍ରସାଦ ବେହେରା, ଗୁରୁଡିଝାଟିଆ ଥାନା ଅଧିକାରୀ ପରେଶ କୁମାର ମହାନ୍ତି, ନିଶ୍ଚିନ୍ତକୋଇଲି ଥାନା ଅଧିକାରୀ ଯୁଗଳକିଶୋର ଦାସ, ଟାଙ୍ଗି ଥାନା ଅଧିକାରୀ ସନ୍ତୋଷ କୁମାର ପାଇକରାୟ, ଗୋବିନ୍ଦପୁର ଥାନା ଅଧିକାରୀ ରଶ୍ମୀରଞ୍ଜନ ଦାସ, ଇନ୍ସପେକଟର ଅର୍ଚ୍ଚନା ମଲ୍ଲିକ ପ୍ରମୁଖ ଉପସ୍ଥିତ ରହିଥିଲେ।
Comments are closed.