ମଧ୍ୟାହ୍ନଭୋଜନ ନପାଇ ଉପବାସରେ ଛାତ୍ରଛାତ୍ରୀ, ବିଦ୍ୟାଳୟରେ ତାଲାଦେଇ ଛୁ ମାରିଲେ ଶିକ୍ଷକଶିକ୍ଷୟତ୍ରୀ

ବାସୁଦେବପୁର: ମଧ୍ୟାହ୍ନ ଭୋଜନ ନପାଇ ଉପବାସରେ ଛାତ୍ରଛାତ୍ରୀ। ତେଣେ ବିଦ୍ୟାଳୟରେ ତାଲା ଝୁଲାଇ ଛୁମାରିଲେ ଶିକ୍ଷକଶିକ୍ଷୟତ୍ରୀ। ଏମିତି ଅଭାବନୀୟ ଘଟଣା ଘଟିଛି ବାସୁଦେବପୁର ପୈାରପାଳିକାର ମନ୍ଦାରୀ ହରିଜନ ସରକାରୀ ପ୍ରାଥମିକ ବିଦ୍ୟାଳୟରେ। ମିଳିଥିବା ସୂଚନା ମୁତାବକ, ଏହି ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀଯାଏଁ ମୋଟ ୮୦ ଜଣ ଛାତ୍ରଛାତ୍ରୀ ପାଠ ପଢିବାକୁ ନିୟମିତ ଆସୁଥିବା ବେଳେ ଆଜି ୫୧ ଜଣ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ପଡିଥିବା ଜାଣିବାକୁ ମିଳିଛି। ଦାମୋଦରଜିୟୁ ସେବା ନିକେତନ ମଧ୍ୟାହ୍ନ ଭୋଜନ ଦାୟିତ୍ଵରେ ରହିଥିବା ଜାଣିବାକୁ ମିଳିଛି। ଶନିବାର ଦିନ ମଧ୍ୟାହ୍ନ ଭୋଜନରୁ ଝିଣ୍ଟିକା ବାହାରିବା ଘଟଣାକୁ ନେଇ ଅଭିଭାବକମାନଙ୍କ ମହଲରେ ଅଶାନ୍ତି ଦେଖାଦେଇଥିଲା। ଯାହାକୁ ନେଇ ଆଜି ତିବ୍ରରୁପ ଧାରଣ କରିଥିଲା। ଏହି ମଧ୍ୟାହ୍ନ ଭୋଜନକୁ ବାତିଲ କରାଯିବାକୁ ଅଡି ବସିଥିଲେ ଅଭିଭାବକମାନଙ୍କ ସହିତ ଛାତ୍ରଛାତ୍ରୀ। ମଧ୍ୟାହ୍ନ ଭୋଜନ ସମୟରେ ଛାତ୍ରଛାତ୍ରୀମାନେ ଉପବାସରେ ରହିଥିବା ବେଳେ ସଂପ୍ରତି ପରିସ୍ଥିତିକୁ ନେଇ ବିଦ୍ୟାଳୟରେ ତାଲା ମାରି ଛୁମାରିଥିଲେ କାର୍ଯ୍ୟରତ ଶିକ୍ଷକଶିକ୍ଷୟତ୍ରୀ। ଏନେଇ ବ୍ଲକ ଶିକ୍ଷାଧିକାରୀ ଜଗବନ୍ଧୁ ସାହୁ କୁହନ୍ତି, ମଧ୍ୟାହ୍ନ ଭୋଜନରୁ ଝିଣ୍ଟିକା ବାହାରିବା ଘଟଣାକୁ ଗୁରୁତର ଭାବରେ ଗ୍ରହଣ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକଶିକ୍ଷୟତ୍ରୀ ସୁରକ୍ଷିତ ଭାବରେ ଆସି ସିଧାସଳଖ ଭାବେ ମୋତେ ଦେଖାକରି ସମସ୍ତ ଘଟଣା ଜଣାଇସାରିଲେଣି। ସମସ୍ତ ଦିଗପ୍ରତି ନଜରକୁ ନିଆଯାଇ ଅଭିଭାବକମାନଙ୍କ ସହ ପରାମର୍ଶ କରାଯାଇ ଦେଖାଦେଇଥିବା ସମସ୍ୟାର ସମାଧାନ କରାଯିବ ବୋଲି ସେ କହିଛନ୍ତି।

Comments are closed.