ସମାଜ ଡିଜିଟାଲ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୩ ଦିନିଆ ଆମେରିକା ଗସ୍ତ ଅବସରରେ ଭାରତକୁ ଏକ ନୂଆ ସଫଳତା ମିଳିଛି। ଭାରତୀୟ ପ୍ରାଚୀନ କଳାକୃତି ଫେରାଇବାକୁ ନେଇ ଦୀର୍ଘଦିନ ଧରି ଦୁଇ ଦେଶ ମଧ୍ୟରେ ଆଲୋଚନା ଚାଲିଥିବାବେଳେ ତାହା ଏବେ ଫଳପ୍ରଦ ହୋଇଛି। ଶେଷରେ ଆମେରିକା ଭାରତରୁ ଚୋରାଚାଲାଣ ହୋଇଥିବା ୨୯୭ଟି ପ୍ରାଚୀନ କଳାକୃତିକୁ ଫେରାଇ ଦେଇଛି। ସେସବୁ ଦୁର୍ଲଭ କଳାକୃତି ଭାରତକୁ ଆସିଛି।
ଅପସରା ସ୍ୟାଣ୍ଡଷ୍ଟୋନ ପ୍ରତିମୂର୍ତ୍ତି:
ଭାରତକୁ ଆସୁଥିବା କଳାକୃତି ମଧ୍ୟରେ ରହିଛି ଅପସରା ସ୍ୟାଣ୍ଡଷ୍ଟୋନ ପ୍ରତିମୂର୍ତ୍ତି। ଏହା ଦଶମ କିମ୍ବା ଏକାଦଶ ଶତାବ୍ଦୀର। ମଧ୍ୟଭାରତରୁ ଏହାକୁ ଚୋରା ଚାଲାଣ କରାଯାଇଥିଲା।

ଜୈନ ତୀର୍ଥଙ୍କର କାଂସ୍ୟ ପ୍ରତିମୂର୍ତ୍ତି:
କାଂସ୍ୟ ନିର୍ମିତ ଏକ ଜୈନ ତୀର୍ଥଙ୍କର ପ୍ରତିମୂର୍ତ୍ତି ମଧ୍ୟ ଭାରତକୁ ଫେରୁଛି। ଏହା ମଧ୍ୟ ଭାରତରେ ରହିଥିଲା। ପ୍ରତିମୂର୍ତ୍ତିଟି ପଞ୍ଚଦଶ ଅଥବା ଷୋଡ଼ଶ ଶତାବ୍ଦୀର ବୋଲି ଜଣାପଡ଼ିଛି।

୩ୟ ଶତାବ୍ଦୀର ଟେରାକୋଟା ଫୁଲଦାନୀ:
ପୂର୍ବ ଭାରତର ଏକ ଟେରାକୋଟା ଫୁଲଦାନୀ ରହିଛି, ଯାହା ୩ୟ କିମ୍ବା ୪ର୍ଥ ଶତାବ୍ଦୀର। ଏହି ଫୁଲଦାନୀରେ ହାତୀ, କୁମ୍ଭୀର ଉପରେ ବସିଥିବା ମହିଳା ଏବଂ ଅନ୍ୟାନ୍ୟ ଜଳଜୀବଙ୍କ ଚିତ୍ର ରହିଛି।
କାଂସ୍ୟ ନିର୍ମିତ ଗଣେଶ ଓ ବିଷ୍ଣୁଙ୍କ ପ୍ରତିମୂର୍ତ୍ତି
ସେହିପରି ଦକ୍ଷିଣ ଭାରତର ଏକ କାଂସ୍ୟ ଗଣେଶ ପ୍ରତିମୂର୍ତ୍ତି ରହିଛି। ଏହା ସପ୍ତଦଶ କିମ୍ବା ଅଷ୍ଟାଦଶ ଶଦାବ୍ଦୀର ବୋଲି ଜଣାପଡ଼ିଛି। ଆଉ ଏକ କାଂସ୍ୟ ନିର୍ମିତ ବିଷ୍ଣୁ ପ୍ରତିମୂର୍ତ୍ତି ମଧ୍ୟ ରହିଛି। ଯାହା ପୂର୍ବ ଭାରତର ବୋଲି ଜଣାପଡ଼ିଛି। ଏହା ଅଷ୍ଟାଦଶ ଶତାବ୍ଦୀର। ଏହାବ୍ୟତୀତ ଅନେକ ଦୁର୍ଲଭ କଳାକୃତି ରହିଛି। ସେଗୁଡ଼ିକ ମଧ୍ୟରୁ କିଛି ଖ୍ରୀଷ୍ଟପୂର୍ବ ୨୦୦୦-୧୮୦୦ର ବୋଲି ଜଣାପଡ଼ିଛି।

ଅନ୍ୟ କଳାକୃତି ମଧ୍ୟରେ ରହିଛି-
ଦକ୍ଷିଣ ଭାରତର କାଂସ୍ୟ ନିର୍ମିତ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତିମୂର୍ତ୍ତି(ଅଷ୍ଟାଦଶ ଶତାବ୍ଦୀ)
ଗ୍ରାନାଇଟ୍ ନିର୍ମିତ ଭଗବାନ କାର୍ତ୍ତିକେୟଙ୍କ ପ୍ରତିମୂର୍ତ୍ତି(ତ୍ରୟୋଦଶ ଶତାବ୍ଦୀ)
ଉତ୍ତର ଭାରତର ଆଂଥ୍ରୋପୋମର୍ଫିକ ପ୍ରତିକୃତି(ଖ୍ରୀଷ୍ଟପୂର୍ବ ୨୦୦୦-୧୮୦୦)



