www.samajalive.in
Thursday, December 11, 2025
23.1 C
Bhubaneswar

ଅବ୍ୟବହୃତ ହୋଇ ପଡ଼ିରହିଛି ସରକାରୀ କୋଠା: ନବନିର୍ମିତ ଗୃହକୁ ବିଇଓ କାର୍ଯ୍ୟାଳୟ ସ୍ଥାନାନ୍ତର କେବେ?

ପିପିଲି: ପିପିଲି ଗୋଷ୍ଠୀ ଶିକ୍ଷା ଅଧିକାରୀ(ବିଇଓ)ଙ୍କ ସ୍ଥାୟୀ କାର୍ଯ୍ୟାଳୟର ନିର୍ମାଣ କାର୍ଯ୍ୟ ଗତ ୮ ମାସ ତଳୁ ସଂପୂର୍ଣ୍ଣ ହୋଇଥିଲେ ମଧ୍ୟ ସେଠାକୁ ବିଇଓଙ୍କ କାର୍ଯ୍ୟାଳୟ ସ୍ଥାନାନ୍ତର କରାଯାଇନାହିଁ। ଫଳରେ ୧କୋଟିରୁ ଊର୍ଦ୍ଧ୍ବ ମୂଲ୍ୟରେ ନିର୍ମିତ ଏହି କାର୍ଯ୍ୟାଳୟ ଏବେ ଅବ୍ୟବହୃତ ହୋଇ ପଡ଼ିରହିଛି। ସ୍ଥାନୀୟ ଜବାହର ବିଦ୍ୟାପୀଠଠାରେ ବିଇଓଙ୍କ କାର୍ଯ୍ୟାଳୟ ଏବେ ଅସ୍ଥାୟୀ ଭାବେ ଚାଲିଥିବାବେଳେ ନିଜର ନବନିର୍ମିତ ସ୍ଥାୟୀ କୋଠାକୁ ଏହି କାର୍ଯ୍ୟାଳୟ ସ୍ଥାନାନ୍ତର କରା ନ ଯିବା ପଛରେ କ’ଣ କାରଣ ରହିଛି ସେନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୂଚନା ଅନୁଯାଇ, ପିପିଲି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଅସ୍ଥାୟୀ ଭାବେ ପିପିଲି ହାଟଛକ ଠାରେ ଥିବା ଏକ ପୁରୁଣା ସରକାରୀ ଡାକବଙ୍ଗଳା ମଧ୍ୟରେ ବହୁ ବର୍ଷ ଧରି ଚାଲିଥିଲା। ୨୦୧୯ ମସିହା ଫଣି ବାତ୍ୟାରେ ଉକ୍ତ ଡାକବଙ୍ଗଳାର ଆଜବେଷ୍ଟସ ଉଡିଯିବା ସହ ଘର ଭାଙ୍ଗି ଯିବା ପରେ ବିଇଓଙ୍କ କାର୍ଯ୍ୟାଳୟକୁ ସେଠାରୁ ତରବରିଆ ଭାବେ ୮ କିଲୋମିଟର ଦୂରରେ ଥିବା ପୋଡାଗୁଣ ପ୍ରକଳ୍ପ ଉପ୍ରା ବିଦ୍ୟାଳୟ ପରିସରସ୍ଥ ବିଆର୍‌‌ସିସିଙ୍କ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାକୁ ଗମନାଗମନର କୌଣସି ସ୍ୱତନ୍ତ୍ର ସୁବିଧା ନଥିବା ଯୋଗୁଁ ଶିକ୍ଷକ ଶିକ୍ଷୟିତ୍ରୀମାନେ ଜରୁରୀ କାର୍ଯ୍ୟରେ ସେଠାକୁ ଯିବାରେ ନାନା ସମସ୍ୟାର ସମ୍ମୁଖିନ ହୋଇଥିଲେ। ବନ୍ୟା ସମୟରେ ଉକ୍ତ ପୋଡାଗୁଣସ୍ଥିତ ଅସ୍ଥାୟୀ ବିଇଓଙ୍କ କାର୍ଯ୍ୟାଳୟ ସଂପୂର୍ଣ୍ଣ ଜଳବନ୍ଦୀ ହୋଇ ରହୁଥିବା ବେଳେ ଅଣ୍ଟେ ପାଣିରେ ପଶି ସେଠାକୁ ଶିକ୍ଷକମାନେ ଯାଉଥିଲେ। ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘର ଆନ୍ଦୋଳନ ପରେ ପିପିଲିରେ ବିଇଓଙ୍କ ସ୍ଥାୟୀ କାର୍ଯ୍ୟାଳୟ ନିର୍ମାଣ ହେବା ପର୍ଯ୍ୟନ୍ତ ଉକ୍ତ ଅସ୍ଥାୟୀ କାର୍ଯ୍ୟାଳୟକୁ ୨୦୨୨ ମସିହାରେ ପିପିଲିର ଜବାହର ବିଦ୍ୟାପୀଠକୁ ସ୍ଥାନାନ୍ତର କରାଯାଇଥିଲା।

- Advertisement -

ପିପିଲିର ବ୍ଲକ ଛକ ନିକଟରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଏକ ଅତ୍ୟାଧୁନିକ ସ୍ଥାୟୀ କାର୍ଯ୍ୟାଳୟ ନିର୍ମାଣ ପାଇଁ ଗତ ୨୦୨୩ ଫେବୃଆରୀ ୨୨ ତାରିଖରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ୯୯ଲକ୍ଷ ୩୫ହଜାର ୯୩୬ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ଆରମ୍ଭ କରାଯାଇଥିବା ଏହି କୋଠାରେ ୧କୋଟିରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟ ହୋଇଥିବା ସୂଚନା ମିଳିଛି। ତେବେ ଗତ ଡିସେମ୍ବର ମାସ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିବା ବେଳେ ଗତ ମାର୍ଚ୍ଚ ୧୫ ତାରିଖରେ ଏହାକୁ ଉଦ୍‌‌ଘାଟନ କରାଯାଇଥିଲା। ଏହି ଶୀତତାପ ନିୟନ୍ତ୍ରିତ ଅତ୍ୟାଧୁନିକ କୋଠାର ନିର୍ମାଣ କାର୍ଯ୍ୟ ବହୁମାସ ପୂର୍ବରୁ ସଂପୂର୍ଣ୍ଣ ହୋଇଥିଲେ ମଧ୍ୟ ଏହାକୁ ଅଦ୍ୟାବଧି ଶିକ୍ଷା ବିଭାଗକୁ ତଥା ପିପିଲି ବିଇଓଙ୍କୁ ହସ୍ତାନ୍ତର କରାଯାଇନାହିଁ। ଫଳରେ ଏହାକୁ ନିର୍ମାଣ କରିଥିବା ଠିକାଦାରଙ୍କ କର୍ମଚାରୀମାନେ ରାତିରେ ପାଳି କରି ସେଠାରେ ଜଗୁଥିବା ସୂଚନା ମିଳିଛି। ଏ ସଂପର୍କରେ ପିପିଲି ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ସାହୁଙ୍କୁ ପଚାରିବାରେ ସେ କହିଛନ୍ତି ଯେ, ଏହି କୋଠାକୁ ଗ୍ରହଣ କରିବାକୁ ଶିକ୍ଷା ବିଭାଗର ଅଧିକାରୀଙ୍କୁ ଆମେ ସୂଚନା ଦେଇସାରିଛୁ। ତେଣୁ ବିଭାଗୀୟ ଅଧିକାରୀ ଯେତେବେଳେ ଚାହିଁବେ ଆମେ ତାଙ୍କୁ ଏହି କୋଠାକୁ ହସ୍ତାନ୍ତର କରିବାକୁ ସଂପୂର୍ଣ୍ଣ ପ୍ରସ୍ତୁତ ଅଛୁ। ତେବେ ଏ ସଂପର୍କରେ ପ୍ରତିକ୍ରିୟା ଜାଣିବା ପାଇଁ ପିପିଲି ବିଇଓଙ୍କ ସଙ୍ଗେ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାଙ୍କ ମୋବାଇଲ ସ୍ବିଚ୍‌ ଅଫ୍‌‌ ଥିବା କାରଣରୁ ତାଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରିନଥିଲା। ତେବେ, ଏହି ନବନିର୍ମିତ ସ୍ଥାୟୀ ବିଇଓ କାର୍ଯ୍ୟାଳୟର ଚତୁଃପାର୍ଶ୍ବରେ ଥିବା ଖାଲରେ ମାଟି ପକାଯାଇନଥିବା ଓ ସ୍ଥାୟୀ ବିଦ୍ୟୁତ୍‌‌ ସଂଯୋଗ କରାଯାଇନଥିବା କାରଣରୁ ବିଇଓଙ୍କ କାର୍ଯ୍ୟାଳୟ ଏହି ନୂତନ କୋଠାକୁ ସ୍ଥାନାନ୍ତର ହେବାରେ ବିଳମ୍ବ ଘଟୁଥିବା ସଂପର୍କରେ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘର ମହାସଚିବ ବିକ୍ରମ ରଥ କ୍ଷୋଭ ପ୍ରକାଶ କରି କହିଛନ୍ତି।

 

 

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories