www.samajalive.in
Monday, December 8, 2025
27.1 C
Bhubaneswar

‘ମହାପ୍ରୟାଣ’ ଫେଲ୍‌; ସ୍ତ୍ରୀର ଶବକୁ କାନ୍ଧରେ ବୋହିଲେ

ଖିଚିଂ/ଶୁକୃଳି : ଦାନ ମାଝୀ ଘଟଣା ସାରା ବିଶ୍ୱରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ବିଶ୍ବ ଦରବାରରେ ରାଜ୍ୟକୁ ଲଜ୍ଜିତ ହେବାକୁ ପଡିଥିଲା। ଏହି ଘଟଣା ପରେ ଡାକ୍ତରଖାନାଗୁଡିକରେ ଏସବୁ ଘଟଣା ନ ଘଟିବା ପାଇଁ ରାଜ୍ୟ ସରକାର ନିର୍ଦେଶ ଜାରି କରିଥିଲେ। ତାପରେ ବି ଏପରି ଅଭାବନୀୟ ଘଟଣା ବାରମ୍ବାର ଘଟୁଛି। ଶୁକୃଳି ମେଡିକାଲରେ ମୃତ୍ୟୁବରଣ କରିଥିବା ସ୍ତ୍ରୀର ଶବକୁ ସ୍ୱାମୀ ବୋହି ନେବା ଘଟଣା ପାଇଁ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇବା ସହ ନିନ୍ଦା କରାଯାଉଛି।
ଘଟଣାରୁ ପ୍ରକାଶ ଯେ ରରୁଆଁ ବ୍ଲକ ବୈଦ୍ୟନାଥ ଗ୍ରାମର ଶତୃଘନ ହେମ୍ବ୍ରମଙ୍କ ସ୍ତ୍ରୀ ସୁମିତ୍ରାଙ୍କ ଦେହ ଅସୁସ୍ଥ ହେବାରୁ ଶୁକୃଳି ଡାକ୍ତରଖାନାରେ ଗତ ବୁଧବାର ଦିନ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ସୁମିତ୍ରାଙ୍କ ରବିବାର ସକାଳ ୮ ଘଟିକା ସମୟରେ ମୃତ୍ୟୁ ହୋଇଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି। ଶ୍ରୀ ହେମ୍ବ୍ରମ ଅତ୍ୟନ୍ତ ଗରିବ ଆଦିବାସୀ ଶ୍ରେଣୀର ଲୋକ। ଡାକ୍ତରଖାନା ପକ୍ଷରୁ ଶବ ବୋହି ନେବା ପାଇଁ କୌଣସି ବ୍ୟବସ୍ଥା ନଥିବା ଜାଣି ସେ ନିରାଶ ହୋଇଥିବା ଅଭିଯୋଗ କରିଛନ୍ତି। ତେଣୁ ଶବ
ବୋହି ନେବା ପାଇଁ ଗାଡି ବ୍ୟବସ୍ଥା କରିଥିଲେ। ଗାଡିବାଲା ୩ ହଜାର ଟଙ୍କା ନେବ ବୋଲି କହିଥିଲା। ଏତେ
ଟଙ୍କା ଦେବାକୁ ଅସମର୍ଥ ହେବାରୁ ଶବ ସକାଳ ୮ଟାରୁ ସନ୍ଧ୍ୟା ୭ ଘଟିକା ପର୍ଯ୍ୟନ୍ତ ମେଡିକାଲରେ ପଡିରହିଥିଲା। କୌଣସି ଉପାୟ ନ ପାଇ ସୁମିତ୍ରାଙ୍କ ସ୍ୱାମୀ, ପୁଅ ଓ ନାତି ଶବକୁ କାନ୍ଧେଇ ବୈଦ୍ୟନାଥ ଅଭିମୁଖେ ବାହାରିଥିଲେ। ଶବ ବୋହି ନେଇ ଯାଇଥିବା ବେଳେ ଶୁକୃଳି ହାଇସ୍କୁଲ ନିକଟରେ ଆମ ଖିଚିଂ ପ୍ରତିନିଧିଙ୍କ ନଜରକୁ ଆସିଥିଲା। ସ୍ଥାନୀୟ ସମାଜସେବୀ ବିକାଶ ଦାଶ ଅଧିକାରୀ, ଗୋଲକ ବିହାରୀ ନାୟକ, ବିକାଶ ରଞ୍ଜନ ସି, ପ୍ରକାଶ କୁମାର ଗୁପ୍ତା ପ୍ରମୁଖଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହାୟତାରେ ଶବ ବୈଦ୍ୟନାଥ ପହଞ୍ଚାଇବାର ବନ୍ଦୋବସ୍ତ କରାଯାଇଥିଲା। ତେବେ ଅଟୋ ଚାଳକ ସନାତନ ବେହେରା ମାନବିକତାର ପରିଚୟ ଦେଇ ଖବର ପାଇବା ମାତ୍ରେ ଶବ ନେବାକୁ ବିନା ପାରିଶ୍ରମିକରେ ରାଜି ହୋଇଥିଲେ। ଏ ସମ୍ପର୍କରେ ଶୁକୃଳି ମେଡିକାଲ ଅଫିସରଙ୍କ ମତାମତ ନେବାରୁ ଆମକୁ ନ ଜଣାଇ ଶବ ନେଇଯାଇଛନ୍ତି। ଜଣାଇ ଥିଲେ ଶବ ଘରକୁ ପହଞ୍ଚାଇବାର ବ୍ୟବସ୍ଥା କରିଥାନ୍ତୁ ବୋଲି ପ୍ରକାଶ କରିଥିଲେ। ତେବେ ମେଡିକାଲରେ ଶବ ସକାଳ ୮ ଘଟିକାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ପଡିରହିବା ଘଟଣା ମେଡିକାଲ କର୍ତ୍ତୃପକ୍ଷଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ମେଡିକାଲ ଫାଟକ ସମ୍ମୁଖରେ ଥିବା ଜନୈକ କର୍ମଚାରୀ ‘ଏହା ବଡ ମେଡିକାଲ ନୁହଁ ତେଣୁ ମହାପ୍ରୟାଣ ସେବା ପାଇପାରିବ ନାହିଁ। ତୁମେ ଯେମିତି ଉପାୟରେ ହେଉ ଶବ ନେବାର ବ୍ୟବସ୍ଥା କର’ ବୋଲି କହିଥିବା ଶ୍ରୀ ହେମ୍ବ୍ରମଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ସାଧାରଣରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ବିଭିନ୍ନ ମହଲରୁ ଘୋର ନିନ୍ଦା କରାଯାଇଛି।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories