ଫୁଲବାଣୀ:୧୩ ଟି ୱାର୍ଡ଼କୁ ନେଇ ଫୁଲବାଣୀ ପୌର ପରିଷଦ ଗଠିତ ହୋଇଛି । ଗଠନ ଦିନ ଠାରୁ କଂଗ୍ରେସ ଓ ବିଜେଡ଼ି ସହିତ ଅନ୍ୟଦଳ ନିଜ କ୍ଷମତାରେ ରଖିଥିବା ବେଳେ ଚଳିତ ଥର ପ୍ରଥମଥର ପାଇଁ ବିଜେପି ହାତରେ ରହିଛି ଅଧ୍ୟକ୍ଷ କ୍ଷମତା । ଏଭଳି ସ୍ଥଳେ ନିର୍ବାଚନ ଫଳାଫଳ ଘୋଷଣା ପରେ କିଛି ଦିନ ଫୁଲବାଣୀ ପୌର ପରିଷଦ ଠିକ୍ ଠାକରେ ଚାଲିଥିଲେ ମଧ୍ୟ ପରବର୍ତ୍ତି ସମୟରେ କ୍ଷମତା ପାଇଁ ହେଉ କିମ୍ବା ଠିକା କାମକୁ ନେଇ ଆରମ୍ଭ ହୋଇଛି ଉଭୟ ବିଜେଡ଼ି ଓ ବିଜେପି ମଧ୍ୟରେ ଯୁଦ୍ଧ । ଉଭୟ ଦଳ କ୍ଷମତାକୁ ନିଜ ହାତରେ ରଖିବା ପାଇଁ ଉଦ୍ୟମ କରୁଥିବା ବେଳେ ଏପଟେ ପୌର ପରିଷଦର ବହୁ ଉନ୍ନୟନ କାର୍ଯ୍ୟ ଠପ୍ ହୋଇ ପଡ଼ିଛି । ପରିସ୍ଥିତି ଏଭଳି ହୋଇଛି ଯେ, ଲୋକେ ନାକେଦମ ହୋଇ ପଡ଼ିଲେଣି । ବିଶେଷ କରି ଏବେ ଯାତାୟତ ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଅନେକୁ ମୁଖ୍ୟ ରାସ୍ତାରେ ଠାଏଁ ଠାଏଁ ଗର୍ତ୍ତ ସହିତ ଅନେକ ସବୁଦିନିଆ ପୋଲରେ ସୃଷ୍ଟି ହୋଇଛି ବିରାଟ ବିରାଟ ଗର୍ତ୍ତ ।
କେବଳ ସେତିକି ନୁହେଁ , ଅନେକ ପୋଲ ଧସିଯାଇଥିଲେ ମଧ୍ୟ ସେଗୁଡ଼ିକ ମରାମତି କରାଯାଉନାହିଁ । ଫଳରେ ସାଧାରଣ ଜନତା ଯାତାୟତ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗୋଟିଏ ପଟେ ପୌର ପରିଷଦ ସବୁ ଜାଣି ନଜାଣିବା ଭଳି ଅଭିନୟ କରୁଥିବା ବେଳେ ବାଧ୍ୟ ହୋଇ କେତେକ ସଚେତନ ନାଗରିକ ବାଧ୍ୟ ହୋଇ ମୁଖ୍ୟ ରାସ୍ତା ଗୁଡ଼ିକରେ ଯେଉଁଠେ ଗର୍ତ୍ତ ସୃଷ୍ଟି ହୋଇ ପ୍ରତିମୁହୁର୍ତ୍ତରେ ବିପଦ ସୃଷ୍ଟି ହୋଇଛି ସେହି ସବୁ ରାସ୍ତାର ଗର୍ତ୍ତ ଗୁଡ଼ିକରେ କେଉଁଠେ ଇଟା ପକାଇଛନ୍ତି ତ ପୁଣି କେଉଁଠେ ଗର୍ତ୍ତ ଉପରେ ଡ଼ାଳ ପକାଇ ଲୋକଙ୍କୁ ସତର୍କ କରାଉଛନ୍ତି । ଏହାକୁ ନେଇ ବିଭିନ୍ନ ମହଲରେ ଦିନକୁ ଦିନ ଅସନ୍ତୋଷ ପ୍ରକାଶ ପାଇଛି ।
ପ୍ରକାଶ ଯେ, ପୌର ପରିଷଦର ୧୨ ନମ୍ବର ୱାର୍ଡ଼ର ହଜାର ହଜାର ସଂଖ୍ୟାରେ ଅଧିବାସୀ ମାନେ ମୁଖ୍ୟ ବଜାରକୁ ଯିବା ପାଇଁ ଯେଉର୍ଁ କେତେଟି ପ୍ରମୁଖ ରାସ୍ତା ରହିଛି ସେଥି ମଧ୍ୟରୁ ଦୁଇ ବନ୍ଦ ମଝିରେ ଥିବା ଏକ ରାସ୍ତା ହେଉଛି ଅନ୍ୟତମ । କିନ୍ତୁ ଉକ୍ତ ରାସ୍ତାରେ ଥିବା ଏକ ଛୋଟ ପୋଲର ଗୋଟିଏ ପାର୍ଶ ସଂପୂର୍ଣ୍ଣଭାବେ ଦବି ଯାଇଥିବା ବେଳେ ସେହି ଉପରେ କେତେକ ସଚେତନ ନାଗରିକ ଇଟା ପକାଇରଖିଛନ୍ତି । ତେବେ ଲଗାଣ ବର୍ଷା ଯୋଗୁଁ ସେହି ସବୁ ଇଟା ମଧ୍ୟ ଦିନକୁ ଦିନ ଦବି ଯାଉଥିବା ଯୋଗୁଁ ମୁଖ୍ୟ ରାସ୍ତା ଉପରେ ଏକ ଗର୍ତ୍ତ ସୃଷ୍ଟି ହୋଇଛି । ଫଳରେ ଚାଲିକି କିମ୍ବା ଯାନ ବାହାନ ଚଳାଚଳରେ ନାହିଁ ନଥିବା ଅସୁବିଧା ସୃଷ୍ଟି ହେଉଛି । ଅନେକ ସମୟରେ ଉକ୍ତ ରାସ୍ତାରେ ଛୋଟ ବଡ଼ ଦୁର୍ଘଟଣା ମଧ୍ୟ ଘଟୁଥିବାର ନଜିର ରହିଛି । ସେହିଭଳି ଉଭୟ ୧ ନମ୍ବର ଓ ୧୨ ନମ୍ବର ୱାର୍ଡ଼ର ଅଧିବାସୀ ମୁଖ୍ୟ ବଜାରକୁ ଯିବା ପାଇଁ ଥିବା ଅନ୍ୟ ଏକ ରାସ୍ତାରେ ଥିବା ଗୋଟିଏ ପୋଲ ସଂପୂର୍ଣ୍ଣଭାବେ ଭାଙ୍ଗିଗଲାଣି ।
ପରିସ୍ଥିତି ଏଭଳି ହୋଇଛି ଯେ, କେତେବେଳେ କ’ଣ ଘଟିବ ତାହା କହିହେଉନାହିାଁ ପୋଲର ଗୋଟିଏ ପାଶ୍ୱର୍ର ମାଟି ସଂପୂର୍ଣ୍ଣଭାବେ ଧସି ଯାଇଥିବା ବେଳେ ପୋଲର ସମ୍ମୁଖରେ ସୃଷ୍ଟି ହୋଇଛି ଦୁଇଟି ବିରାଟ ଗର୍ତ୍ତ । ଗୋଟିଏ ରେ ଲୋକେ କିଛି ଡ଼ାଳ ଓ କାଠ ପକାଇ ଥିବା ଅନ୍ୟ ଗର୍ତ୍ତରେ ପଥର ପକାଯାଇଥିବାର ଦେଖାଯାଇଛି । ସେହିଭଳି ପ୍ରାୟ ପ୍ରତ୍ୟେକ ସାହିରେ ରାସ୍ତା ଉପରେ ତିଆରି ହୋଇଥିବା ଫେବରବ୍ଳକ ରାସ୍ତା ଯୋଗୁଁ କେଉଁଠେ ସଂପୂର୍ଣ୍ଣଭାବେ ଦବି ଗର୍ତ୍ତ ସୃଷ୍ଟି ହେଲାଣି ତ ପୁଣି କେଉଁଠେ ଦୀର୍ଘଦିନ ହେଲା ରାସ୍ତା ଖୋଳାଯାଇଛି କିନ୍ତୁ ଆଜି ପର୍ଯ୍ୟନ୍ତ ମରାମତି କରାଯାଇ ପାରୁନାହିଁ ।
ଫଳରେ ସାହି ବାସିନ୍ଦା ମାନେ ମଧ୍ୟ ଯାତାୟତରେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତିା ଅନ୍ୟପକ୍ଷେ ଫୁଲବାଣୀ ସହରରେ ବିଜୁଳି ବିଭ୍ରାଟ ଏକ ସବୁଦିନିଆ ଘଟଣା ହୋଇଥିବା ବେଳେ ରାତ୍ରରେ ଅନ୍ଧାର ଯୋଗୁଁ ସାହି ମାନଙ୍କରେ ଅନେକ ଅଧିବାସୀ ଉକ୍ତ ଖାଲଖମା ରାସ୍ତାରେ ପଡ଼ି ଖଣ୍ଡିଆ ଖାବରା ହେବାର ମଧ୍ୟ ବହୁ ନିଜର ରହିଛି । ସେହିଭଳି ଲୋକଙ୍କୁ ସଚେତନ କରିବା ପାଇଁ ପୌର ପରିଷଦ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଲକ୍ଷାଧିକ ଟଙ୍କା ବ୍ୟୟରେ ଏକ ଏଲଇଡ଼ି ଲାଗିଥିଲେ ମଧ୍ୟ ତାହା ଦୀର୍ଘଦିନ ହେଲା ଅଚଳ ହୋଇପଡ଼ିଥିବାର ଦେଖାଯାଇଛି । ସେହିଭଳି ଅନେକ ଉନ୍ନୟନ କାର୍ଯ୍ୟ ଅଧାରେ ଅଟକି ରହିଥିବାର ମଧ୍ୟ ଦେଖାଯାଇଛି । ସେହିଭଳି ବଜାର ଉପରେ ଏକ ବିଦ୍ୟୁତ୍ ଆଲୋକରେ ଏକ ସୌନ୍ଧର୍ଯ୍ୟକରଣ କରାଯାଇଥିଲେ ମଧ୍ୟ ତାହା କାର୍ଯ୍ୟରେ ଲାଗିବାର କିଛିଦିନ ମଧ୍ୟରେ ଖରାପ ହୋଇ ପଡ଼ିଥିବା ବେଳେ ଏବେ ପୁଣିଥରେ ତାହାକୁ ମରାମତି କରାଯାଇଛି ।
ତେବେ ଏନେଇ ପୌର ପରିଷଦକୁ ପଚାରାଯାଇଥିଲେ ମଧ୍ୟ ବର୍ତ୍ତମାନ ପରିସ୍ଥିତିରେ କେହି କିଛି ଉତ୍ତର ଦେଇନଥିବା ବେଳେ ଆସନ୍ତା ୨୩ ତାରିଖରେ ପୌର ପରିଷଦର ୧୧ ଜଣ କାଉନସିଲର ପୌର ପରିଷଦର ଅଧ୍ୟକ୍ଷାଙ୍କ ବିରୋଧରେଯେଉଁ ଅଭିଯୋଗ ପତ୍ର ଦାଖଲ କରିଛନ୍ତି ତାହାକୁ ନେଇ ଆଲୋଚନା ଓ ଆବଶ୍ୟକ ସ୍ଥଳେ ଅନାସ୍ଥା ଭୋଟିଂ ପରେ ଦୀର୍ଘଦିନ ଧରି ବିଗିଡ଼ିଯାଇଥିବା ଫୁଲବାଣୀ ପୌର ପରିଷଦର ସ୍ଥିତି ବଦଳିବ ନା ପୁଣିଥରେ କିଛି ଓଲଟା ପାଲଟ ହେବ ତାହାକୁ ନେଇ ସହରରେ ଏବେ ଆଲୋଚନା ଜୋର ଧରିଛି ।



