www.samajalive.in
Tuesday, December 9, 2025
17.1 C
Bhubaneswar

ପିପିଲିରେ ରଥଯାତ୍ରା ମହାସମାରୋହରେ ସମ୍ପନ୍ନ

ପିପିଲି: ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରାରେ ରବିବାର ପୁଣି ଥରେ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ ହୋଇଛି। ପିପିଲିର ଆରାଧ୍ୟ ଠାକୁର ପ୍ରଭୁ ଶ୍ରୀପତିତପାବନ ଦେବ ଭକ୍ତଙ୍କ ଗହଣରେ ଘୋଷଯାତ୍ରା କରିଥିବାବେଳେ ଏଥିଯୋଗୁଁ ପିପିଲିର ରଥଟଣା ରାସ୍ତା ଜୟ ଜଗନ୍ନାଥ, ହରିବୋଲ, ହୁଳହୁଳି ଧ୍ୱନୀରେ କମ୍ପି ଉଠିଥିଲା। ଗୋଟିଏ ଦିନରେ ଅନୁଷ୍ଠିତ ହୋଇଥିଲା ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା।

ପିପିଲି ପୌରାଞ୍ଚଳ ଅନ୍ତର୍ଗତ ଦରଜୀ ସାହିସ୍ଥିତ ପ୍ରଭୁ ଶ୍ରୀପତିତପାବନ ଦେବଙ୍କ ମନ୍ଦିରରେ ରବିବାର ସକାଳେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କର ବିଭିନ୍ନ ରୀତିନୀତି ସଂପନ୍ନ ପରେ ପୂର୍ବାହ୍ନ ସାଢେ ୧୦ଟାରେ ପହଣ୍ଡି କରାଯାଇ ଠାକୁରମାନଙ୍କୁ ରଥାରୁଢ କରାଯାଇଥିଲା। ମନ୍ଦିରର ମୁଖ୍ୟ ପୂଜକ ଲକ୍ଷ୍ମୀଧର ପଣ୍ଡାଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଇଥିବାବେଳେ ଦଇତାସେବକ ଜୟଦେବ ମହାପାତ୍ର, ଅକ୍ଷୟ ମହାପାତ୍ର ଓ ଚନ୍ଦନ ମହାପାତ୍ର ଠାକୁରଙ୍କ ବିଭିନ୍ନ ସେବାନୀତି କରିଥିଲେ। ପୂର୍ବତନ ପୌରାଧ୍ୟକ୍ଷ ତଥା ସମାଜସେବୀ ଗୋକୁଳାନନ୍ଦ ମହାନ୍ତି ଠାକୁରମାନଙ୍କର ଛେରା ପହଁରା କରିବା ପରେ ଅପରାହ୍ନ ୨ଟାରେ ରଥଟଣା ଆରମ୍ଭ ହୋଇଥିଲା। ଘଣ୍ଟ, ଘଣ୍ଟା, କାହାଳୀ, ମୃଦଙ୍ଗ ସାଙ୍ଗକୁ ହରିବୋଲ, ହୁଳହୁଳି ଧ୍ୱନିରେ ରଥଟଣା ରାସ୍ତା ପ୍ରକମ୍ପିତ ହୋଇଥିଲା। ଶ୍ରୀପତିତପାବନ ଦେବଙ୍କ ମନ୍ଦିରଠାରୁ ମଢିଆଳି ସାହି ସ୍ଥିତ ମା’ପଢେଇଶୁଣି ଠାକୁରାଣୀଙ୍କ ମନ୍ଦିର ପର୍ଯ୍ୟନ୍ତ ଦୀର୍ଘ ଅଢେଇ କିଲୋମିଟର ରାଜପଥ ଉପରେ ଶତାଧିକ ଭକ୍ତ ଆନନ୍ଦ ଓ ଉତ୍ସାହର ସହ ରଥକୁ ଟାଣି ନେଇଥିଲେ। ରଥ ଉପରେ ଲକ୍ଷ୍ମୀଧର ମିଶ୍ର ଡାହୁକ ରୂପେ କାର୍ଯ୍ୟ ସଂପାଦନ କରିଥିଲେ। ଅପରାହ୍ନ ୫ଟାରେ ମଢିଆଳିସାହି ଗ୍ରାମ୍ୟଛକଠାରେ ରଥ ପହଞ୍ଚିବା ପରେ ତିନି ଠାକୁରଙ୍କୁ ପହଣ୍ଡି କରାଯାଇ ମା’ ପଢେଇଶୁଣି ଠାକୁରାଣୀଙ୍କ ମନ୍ଦିର ସଂଲଗ୍ନ ମାଉସୀ ମା’ଙ୍କ ମନ୍ଦିରକୁ ନିଆଯାଇଥିଲା। ପିପିଲି ରଥଯାତ୍ରା ପରିଚାଳନା କମିଟିର ସଭାପତି ଇଂ ରମେଶ ଚନ୍ଦ୍ର ଶତପଥି, ଉପସଭାପତି ବାମଦେବ ମିଶ୍ର, ସଂପାଦକ ପ୍ରଭାତ କୁମାର ମହାପାତ୍ର, କୋଷାଧ୍ୟକ୍ଷ ସୁରେନ୍ଦ୍ର ମହାପାତ୍ର, ସହସଂପାଦକ ରମେଶ ଚନ୍ଦ୍ର ମହାପାତ୍ର, ଯୁଗ୍ମ ସଂପାଦକ ମନୋଜ ପ୍ରଧାନ, ମନ୍ଦିରର ଟ୍ରଷ୍ଟି ସୁରେଶ ଚନ୍ଦ୍ର ମହାପାତ୍ର, ମନ୍ଦିର ପରିଚାଳନା କମିଟିର ମୁଖ୍ୟ ଉପଦେଷ୍ଠା ନୃସିଂହ ମହାପାତ୍ର, ମନ୍ଦିର ପରିଚାଳନା କମିଟିର ସଭାପତି ସୁରେନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୁଲିସ ଉପସ୍ଥିତ ଥିବାବେଳେ ପିପିଲି ଅଗ୍ନିଶମ ବାହିନୀ, ପିପିଲି କଲେଜର ସମର ଶିକ୍ଷାର୍ଥୀ ବାହିନୀ, ବିଦ୍ୟୁତ ବିଭାଗର କର୍ମଚାରୀଙ୍କ ସମେତ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାମାନେ ଏଥିରେ ସହଯୋଗ କରିଥିଲେ। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦହି ସରବତ ଓ ଥଣ୍ଡା ପାନୀୟ ବିତରଣ କରାଯାଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories