କଟକ : ଚଳିତବର୍ଷ ରଣଜୀ ଟ୍ରଫିରେ ଓଡ଼ିଶାର ପେସ୍ ବୋଲର ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି ଏବଂ ନିୟମିତ ଭାବେ ପ୍ରତିପକ୍ଷ ଦଳକୁ କମ୍ ସ୍କୋର୍ରେ ଅଲ୍ଆଉଟ କରି ପାରୁଛନ୍ତି। ଶନିବାର ଜମ୍ମୁର ଗାନ୍ଧୀ ମେମୋରିଆଲ ସାଇନ୍ସ କଲେଜ୍ ଗ୍ରାଉଣ୍ଡରେ ଆରମ୍ଭ ହୋଇଥିବା ରଣଜୀ ଟ୍ରଫି ଏଲିଟ୍ ଗ୍ରୁପ୍ ‘ସି’ ମୁକାବିଲାର ପ୍ରଥମଦିନରେ ଓଡ଼ିଶାର ପେସ୍ ବୋଲର ପ୍ରାଧାନ୍ୟ ବିସ୍ତାର କରିଛନ୍ତି। ସୂର୍ଯ୍ୟକାନ୍ତ ପ୍ରଧାନ ୪ଟି ୱିକେଟ ନେଇଥିବା ବେଳେ ବସନ୍ତ ମହାନ୍ତି ୩ଟି ୱିକେଟ ପାଇଛନ୍ତି। ଫଳରେ ପ୍ରଥମ ବ୍ୟାଟିଂ କରିଥିବା ଘରୋଇ ଦଳ ଜମ୍ମୁକାଶ୍ମୀର ପ୍ରଥମ ଇନିଂସରେ ମାତ୍ର ୧୨୭ ରନ୍କରି ଅଲ୍ଆଉଟ ହୋଇଯାଇଛି। ପରେ ଓଡ଼ିଶାର ବ୍ୟାଟ୍ସମ୍ୟାନ୍ ଘରୋଇ ଚ୍ୟାଲେଞ୍ଜ୍କୁ ପ୍ରତିହତ କରି ଦିନର ଖେଳ ଶେଷ ସୁଦ୍ଧା ପ୍ରଥମ ଇନିଂସରେ ୧ ୱିକେଟ ହରାଇ ୯୧ ରନ୍ କରିପାରିଛି। ହାତରେ ୯ଟି ପ୍ରଥମ ଇନିଂସ ୱିକେଟ ବାକିଥିବା ବେଳେ ଓଡ଼ିଶା ଏବେ ମାତ୍ର ୩୬ ରନ୍ ପଛରେ ରହିଛି।
ଉଭୟ ଦଳଙ୍କ ଏହି ୭ମ ଲିଗ୍ ମ୍ୟାଚ୍ରେ ଘରୋଇ ଜମ୍ମୁକାଶ୍ମୀର ଟସ୍ ଜିତି ବ୍ୟାଟିଂ ନେଇଥିଲା। ପିଚ୍ ବ୍ୟାଟିଂ ଉପଯୋଗୀ ଥିଲେ ହେଁ ଥଣ୍ଡା ବାତାବରଣରୁ ଓଡ଼ିଶାର ପେସ୍ ବୋଲର ଫାଇଦା ଉଠାଇ ପାରିଥିଲେ। ଫଳରେ ମାତ୍ର ୭ ରନ୍ରେ ଜମ୍ମୁକାଶ୍ମୀର ଦଳର ୪ ପ୍ରମୁଖ ବ୍ୟାଟ୍ସମ୍ୟାନଙ୍କୁ ହରାଇ ଦୟନୀୟ ସ୍ଥିିତିରେ ଥିଲା। ଦୁଇ ଓପ୍ନର କମ୍ରାନ୍ ଇକ୍ବାଲ ଓ ଶୁଭମ୍ ଖଜୁରିଅା ଖାତା ଖୋଲି ପାରିନଥିଲେ। ଚଳିତ ସିଜିନ୍ରେ ଘରୋଇ ଦଳର ଦୁଇ ସଫଳ ବ୍ୟାଟ୍ସମ୍ୟାନ୍ ଇଆନ୍ ଦେବ ସିଂହ ଚୌହାନ ୫ ଓ ଅଧିନାୟକ ତଥା ଆନ୍ତର୍ଜାତିକ ଖେଳାଳି ପରଭେଜ୍ ରସୁଲ ବିନା ସ୍କୋରରେ ଆଉଟ ହୋଇ ଯାଇଥିଲେ। ପରେ ଓୱେସ୍ ଶାହା ଓ ଇର୍ଫାନ୍ ପଠାନ୍ ପରବର୍ତ୍ତୀ ୧୭ ଓଭର ପର୍ଯ୍ୟନ୍ତ ୱିକେଟ ପଡ଼ିବାକୁ ଦେଇନଥିଲେ ଓ ୫୫ ରନ୍ ଯୋଡ଼ିଥିଲେ। ପୂର୍ବତନ ଭାରତୀୟ ଅଲ୍ରାଉଣ୍ଡର ଇର୍ଫାନ୍ ପଠାନ୍ ୧୦ ରନ୍ କରିଥିଲେ। ଏହାସହ ୨୬ ରନ୍ ମଧ୍ୟରେ ଆଉ ୪ଟି ୱିକେଟ ପଡ଼ି ଯାଇଥିଲା। ପରେ ଓବୈଦ ହାରୁନ୍ ୬ ଓ ଆମିର ଅଜିଜ୍ ୪ ରନ୍ କରିଥିଲେ। ଓୱେସ୍ ଶାହା ୬ଟି ଚୌକା ସହ ୪୪ ରନ୍ କରିଥିଲେ। ୮୮ ରନ୍ରେ ୮ଟି ୱିକେଟ ପଡ଼ିଯିବା ପରେ ଆକାଶ ଚୌଧୁରୀ ଓ ମହମ୍ମଦ ମୁଦାସିର ୨୪ ରନ୍ ଯୋଗ କରିଥିଲେ। ଆକାଶ ଚୌଧୁରୀ ୩ଟି ଛକା ଓ ଗୋଟିଏ ଚୌକା ସହ ଉପଯୋଗୀ ୨୭ ରନ୍କରି ରନ୍ଆଉଟ ହୋଇଥିଲେ। ମହମ୍ମଦ ମୁଦାସିର ୧୨ ରନ୍କରି ଅପରାଜିତ ଥିଲେ। ସୂର୍ଯ୍ୟକାନ୍ତ ପ୍ରଧାନ ୨୭ ରନ୍ଦେଇ ୪ଟି, ବସନ୍ତ ମହାନ୍ତି ୨୪ ରନ୍ଦେଇ ୩ଟି ଓ ଧୀରଜ ସିଂହ ୯ ରନ୍ଦେଇ ୨ଟି ୱିକେଟ ନେଇଥିଲେ।
ଓଡ଼ିଶା ପ୍ରଥମ ଇନିଂସ ଆରମ୍ଭ କରିବା ପରେ ୭ମ ଓଭରରେ ୧୬ ରନ୍ର ଓପ୍ନିଂ ଭାଗିଦାରୀ କରିଥିଲା। ଶାନ୍ତନୁ ମିଶ୍ର ପୁଣି ବିଫଳ ହୋଇ ୫ ରନ୍କରି ଇର୍ଫାନ୍ ପଠାନ୍ଙ୍କ ଇନ୍ସ୍ବିଙ୍ଗରରେ ବୋଲ୍ଡ ହୋଇଥିଲେ। ଅନ୍ତିମ ସେସନ୍ରେ ଓଡ଼ିଶା ଦଳ ଆଉ କୌଣସି ୱିକେଟ ହରାଇନଥିଲା। ଏହି ୧୭ ଓଭରରେେର ଓପ୍ନର ଅନୁରାଗ ଷଡ଼ଙ୍ଗୀ ଓ ଦେବାଶିଷ ସାମନ୍ତରାୟ ଅବିଭାଜିତ ୨ୟ ୱିକେଟ ପଇଁ ୭୫ ରନ୍ ଯୋଗ କରିଛନ୍ତି। ଦେବାଶିଷ ୭୮ ବଲ୍ରୁ ଗୋଟିଏ ଚୌକା ସହ ୨୦ ରନ୍କରି ଅପରାଜିତ ଅଛନ୍ତି। ବାମହାତି ଅନୁରାଗ ୧୦୫ ବଲ୍ରୁ ୧୧ଟି ଚୌକା ସହ ୫୬ ରନ୍କରି ଅପରାଜିତ ରହିଛନ୍ତି। ଚଳିତ ମ୍ୟାଚ୍ରେ ଓଡ଼ିଶାର ସଫଳ ବୋଲର ରାଜେଶ ମହାନ୍ତି ଆହତ ଥିବାରୁ ଏହି ମ୍ୟାଚ୍ରେ ଖେଳୁନାହାନ୍ତି। ତାଙ୍କ ସ୍ଥାନରେ ପେସ୍ ବୋଲର ଦେବବ୍ରତ ପ୍ରଧାନଙ୍କୁ ନ ଖେଳାଇ ଓଡ଼ିଶା ଅତିରିକ୍ତ ବ୍ୟାଟ୍ସମ୍ୟାନ ଗୋବିନ୍ଦ ପୋଦ୍ଦାରଙ୍କୁ ଖେଳାଉଛି । ଓପ୍ନର ରଣଜିତ ସିଂହଙ୍କ ସ୍ଥାନରେ ଅନୁରାଗ ଏକାଦଶକୁ ଫେରିଛନ୍ତି।



