କ୍ୟାବିନେଟ ବୈଠକ ; କୃଷକମାନଙ୍କ ପାଇଁ ନୂଆ ଯୋଜନା ‘କାଳିଆ’

0

ଉପକୃତ ହେବେ ୯୨% ଚାଷୀ
-୩ ବର୍ଷରେ ୧୦ହଜାର କୋଟି ବ୍ୟୟ
-ଭାଗଚାଷୀଙ୍କୁ ବି ମିଳିବ ସୁବିଧା
-୫ଟି ଫସଲ ଋତୁ ପାଇଁ ଲାଗୁ ହେବ
– ବିନା ସୁଧରେ ୫୦ହଜାର ପର୍ଯ୍ୟନ୍ତ ଋଣ

prayash

ଭୁବନେଶ୍ବର : କୃଷି ଋଣଛାଡକୁ ନେଇ ରାଜନୀତି ଜୋର ଧରିଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ପ୍ରାୟ ୯୨ ପ୍ରତିଶତ ଚାଷୀ ଓ ସମସ୍ତ ଭୂମିହୀନ କୃଷି ଶ୍ରମିକଙ୍କ ପାଇଁ ଆୟବୃଦ୍ଧି ଓ ଜୀବିକାର୍ଜନ ପାଇଁ କୃଷକଙ୍କୁ ସହାୟତା ‘କାଳିଆ’ (କୃଷକ ଆସିଷ୍ଟାନ୍ସ ଫର ଲାଇଭଲିହୁଡ ଆଣ୍ଡ ଇନକମ ଅଗମେଣ୍ଟେସନ) ନାମକ ଏକ ସ୍ବତନ୍ତ୍ର ଯୋଜନା ଘୋଷଣା କରିଛନ୍ତି।
ରାଜ୍ୟର କୃଷି କ୍ଷେତ୍ରରେ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବା ଏବଂ ଦାରିଦ୍ର୍ୟ ହ୍ରାସ ପାଇଁ ଶୁକ୍ରବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ କାଳିଆ ଯୋଜନାକୁ ଅନୁମୋଦନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଏହି ଯୋଜନାରେ ୯୨% ଚାଷୀ ଉପକୃତ ହେବେ। ଏହି ଯୋଜନାରେ ୩ ବର୍ଷରେ ଖର୍ଚ୍ଚ ହେବ ୧୦ ହଜାର କୋଟି। ପ୍ରକୃତ ଚାଷୀଙ୍କ ସହ ଭାଗଚାଷୀଙ୍କୁ ବି ସୁବିଧା ମିଳିବ। ୫ଟି ଫସଲ ଋତୁ ପାଇଁ ଏହି ଯୋଜନା ଲାଗୁ ହେବ ଓ ୩୦ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏଥିରୁ ଲାଭବାନ ହେବେ। ଚାଷୀ ପରିବାରକୁ ଉଭୟ ଖରିଫ ଓ ରବି ପାଇଁ ୫ହଜାର ଟଙ୍କା ଲେଖାଏଁ ୧୦ହଜାର ଟଙ୍କାର ସହାୟତା ପ୍ରଦାନ କରାଯିବ। ଚାଷୀମାନେ ଫସଲ ପାଇଁ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଅର୍ଥ ଖର୍ଚ୍ଚ କରିପାରିବେ। ଚାଷୀର କେତେ ଜମି ଅଛି ତାହା ସହ ଏହି ସହାୟତାର କୌଣସି ସମ୍ପର୍କ ରହିବ ନାହିଁ ବୋଲି ସେ କହିଛନ୍ତି। ଏହା ୨୦୧୮-୧୯ରୁ ୨୦୨୧-୨୨ ପର୍ଯ୍ୟନ୍ତ ୫ଟି ଫସଲ ଋତୁ ପାଇଁ ଲାଗୁ ହେବ। ୧୦ ଲକ୍ଷ ଭୂମିହୀନ ଚାଷୀ ପରିବାରକୁ ମିଳିବ ଏହି ଯୋଜନା ଦ୍ବାରା ଜୀବିକା ସହାୟତା ମିଳିପାରିବ। ଭୂମିହୀନ ଚାଷୀ ପରିବାର ପାଇଁ ରାଜ୍ୟରେ ବିଶେଷ କିଛି କାର୍ଯ୍ୟକ୍ରମ ନଥିଲା। କାଳିଆ ଯୋଜନା ଦ୍ବାରା ୧୦ ଲକ୍ଷ ଭୂମିହୀନ ପରିବାର ଉପକାର ପାଇପାରିବେ। ଛେଳି ପାଳନ, ବତକ ଚାଷ, ଅଣ୍ଡା ଉତ୍ପାଦନ, ମାଛ ଚାଷ, ଛତୁଚାଷ ଓ ମହୁ ଚାଷ ପରି ଆନୁଷଙ୍ଗିକ କୃଷି କାର୍ଯ୍ୟ ପାଇଁ ପ୍ରତି ପରିବାରକୁ ୧୨,୫୦୦ଟଙ୍କା ସହାୟତା ଦିଆଯିବ। ଏଥିପାଇଁ ତିନବର୍ଷରେ ୧୨୫୦କୋଟି ଟଙ୍କା ବ୍ୟୟ କରାଯିବ। ଏହାବ୍ୟତୀତ ଚାଷୀ ଓ ଭୂମିହୀନ କୃଷି ଶ୍ରମିକଙ୍କ ପାଇଁ ଜୀବନ ବୀମା ବ୍ୟବସ୍ଥା ରହିଛି। ଉଭୟ ଚା​‌ଷୀ ଓ ଭୂମିହୀନ କୃଷି ଶ୍ରମିକଙ୍କ ପାଇଁ ୨ଲକ୍ଷ ଟଙ୍କାର ଜୀବନ ବୀମା ଓ ଦୁର୍ଘଟଣା କ୍ଷେତ୍ରରେ ଅତିରିକ୍ତ ୨ଲକ୍ଷ ଟଙ୍କାର ବୀମା ସୁରକ୍ଷା ଯୋଗାଇ ଦିଆଯିବ। ଏହାଦ୍ବାରା ୫୭ଲକ୍ଷ ପରିବାର ଉପକୃତ ହେବେ। ସେହିପରି ବିନା ସୁଧରେ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛି। ଏ ବାବଦରେ ୩ବର୍ଷରେ ୧୦,୨୮୦ କୋଟି ଟଙ୍କା ଖର୍ଚ୍ଚ
ହେବ। ୨୦୨୧ରେ ଏହି ଯୋଜନାର ସମୀକ୍ଷା କରାଯାଇ ଆବଶ୍ୟକ ପରିବର୍ତ୍ତନ କରାଯିବ।
ମୁଖ୍ୟମନ୍ତ୍ରୀ ଏହାକୁ ରାଜ୍ୟ ସରକାରଙ୍କର ଏକ ଐତିହାସିକ ଯୋଜନା ବୋଲି ଅଭିହିତ କରି ଏହି ପ୍ରଗତିଶୀଳ ଯୋଜନା ଦ୍ବାରା ଜମି ପରିମାଣ କମ ଥିବା ପ୍ରକୃତ ଚାଷୀ ଓ ଭାଗ ଚାଷୀ ବହୁ ମାତ୍ରାରେ ଉପକୃତ ହେବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଯୋଜନା ସମ୍ପର୍କରେ ସୂଚନା ଦେଇ କହିଥିଲେ, ଏହି ଯୋଜନା ୫ଟି ବିଷୟ ଉପରେ ଆଧାରିତ। ଭୂମିହୀନ ଶ୍ରମିକ ଓ ଆପଦଗ୍ରସ୍ତ ଚାଷୀ ପରିବାର ପାଇଁ ଏହି ଯୋଜନାରେ ବ୍ୟବସ୍ଥା କରାଯାଇଛି। ବୃଦ୍ଧାବସ୍ଥା, ଅକ୍ଷମତା, ରୋଗ ତଥା ଅନ୍ୟାନ୍ୟ କାରଣରୁ ଚାଷୀ ଚାଷ କାର୍ଯ୍ୟ କରିପାରୁ ନଥିବା ବେଳେ ଭୂମିହୀନ କୃଷି ଶ୍ରମିକ ରୋଜଗାର ହରାଇଥାଏ। ସେମାନଙ୍କ ଚାଷ କାର୍ଯ୍ୟ ଓ ଜୀବିକା ନିର୍ବାହ ପାଇଁ ସରକାର ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବେ। ଗ୍ରାମ ପଞ୍ଚାୟତ ଦ୍ବାରା ହିତାଧିକାରୀ ମନୋନୟନ କରାଯିବ। ରାଜ୍ୟରେ ୧୦ଲକ୍ଷ ପରିବାର ଏହି ସୁବିଧା ପାଇବେ ଏବଂ ଏବାବଦରେ ୧ହଜାର କୋଟି ଟଙ୍କା ବ୍ୟୟ ହେବ।

ମୁଖ୍ୟମନ୍ତ୍ରୀ କହିଛନ୍ତି କୃଷି ଋଣଛାଡ ଦ୍ବାରା ସବୁ ଚାଷୀ ଉପକୃତ ହୋଇ ପାରିବେନାହିଁ। ଋଣଛାଡ ଦ୍ବାରା ମାତ୍ର ୮ ଲକ୍ଷ ଚାଷୀ ପରିବାର ଉପକାର ପାଇଥାଆନ୍ତେ। କେହି ଭାଗଚାଷୀ ଓ କୃଷି ଶ୍ରମିକ ଉପକୃତ ହୋଇନଥାନ୍ତେ। ଏହି ପରିପ୍ରେକ୍ଷୀରେ କାଳିଆ ଯୋଜନା ଦ୍ବାରା ଉଭୟ ଋଣୀ, ଅଣଋଣୀ, ଭାଗ ଚାଷୀ ଓ ଭୂମିହୀନ କୃଷି ଶ୍ରମିକ ଆଦି ୯୨% ଚାଷୀ ଉପକୃତ ହେବେ। ଯୋଜନାରେ ଗ୍ରାମ ପଞ୍ଚାୟତ ଦ୍ବାରା ଚିହ୍ନଟ ଆପଦଗ୍ରସ୍ତ ଚାଷୀ ମଧ୍ୟ ଉପକାର ପାଇବେ।
ମୁଖ୍ୟମନ୍ତ୍ରୀ କହିଥିଲେ, ରାଜ୍ୟରେ ୩୨ ଲକ୍ଷ ଚାଷୀ ପରିବାର ଅଛନ୍ତି। ସେମାନଙ୍କ ମଧ୍ୟରୁ ୨୦ଲକ୍ଷ ପରିବାର ଫସଲ ଋଣ ନିଅନ୍ତି। ୧୨ ଲକ୍ଷ ଚାଷୀ ପରିବାର ଏହି ସୁବିଧା ନେଉନାହାନ୍ତି। ଋଣ ନେଉଥିବା ଚାଷୀଙ୍କ ମଧ୍ୟରୁ ୬୦% ଚାଷୀ ନିୟମିତ ଋଣ ପରିଶୋଧ କରୁଛନ୍ତି। କାଳିଆ ଏକ ପ୍ରଗତିଶୀଳ ଯୋଜନା। ଏହା ମାଧ୍ୟମରେ ହେଉଥିବା ବ୍ୟୟ ବରାଦ ଦାରିଦ୍ର୍ୟ ହ୍ରାସ ଦିଗରେ ସଫଳତା ହାସଲ କରିବ। ସବୁ ବର୍ଗର କୃଷିଜୀବୀମାନଙ୍କୁ ଏହା ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ବ୍ୟବସ୍ଥାରେ ଯୋଗାଇ ଦିଆଯିବ। ସେ କହିଥିଲେ, ରାଜ୍ୟରେ ସର୍ବାଧିକ ଦାରିଦ୍ର୍ୟ ହାର ହ୍ରାସ ଘଟିଛି। ପ୍ରାୟ ୮୦ଲକ୍ଷ ଲୋକ ଦାରିଦ୍ର୍ୟ ସୀମାରେଖା ଉପରକୁ ଉଠିଛନ୍ତି। ଜନସଂଖ୍ୟାର ୬୦ ପ୍ରତିଶତ କୃଷି ଉପରେ ନିର୍ଭରଶୀଳ ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପ ଯୋଗୁଁ ଖାଦ୍ୟଶସ୍ୟ ଉତ୍ପାଦନରେ ଏକଦା ନିଅଣ୍ଟିଆ ରାଜ୍ୟ ଥିବା ଓଡ଼ିଶା ଏବେ ବଳକା ରାଜ୍ୟରେ ପରିଣତ ହୋଇଛି। ଖାଦ୍ୟଶସ୍ୟ ଉତ୍ପାଦନ କ୍ଷେତ୍ରରେ ପାଞ୍ଚ ଥର କୃଷି କର୍ମଣ ପୁରସ୍କାର ମିଳିଛି। ଓଡ଼ିଶା ହେଉଛି ଚାଷୀଙ୍କ ଆୟକୁ ଦ୍ବିଗୁଣିତ କରିବାରେ ସଫଳ ହୋଇଥିବା ଦେଶର ଏକମାତ୍ର ରାଜ୍ୟ। ୨୦୧୪ ମସିହାରେ ଅତିରିକ୍ତ ୧୦ଲକ୍ଷ ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ପ୍ରଦାନ ପାଇଁ ଆମେ ପ୍ରତିଶ୍ରୁତି ଦେଇଥିଲୁ। ଏବେ ଏହି ଲକ୍ଷ୍ୟର ନିକଟତର ହୋଇପାରିଛୁ। ମାର୍ଚ୍ଚ ୨୦୧୯ ସୁଦ୍ଧା ଜଳସେଚନ କ୍ଷେତ୍ରରେ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ହେବ ବୋଲି ସେ କହିଛନ୍ତି। ଏହାବ୍ୟତୀତ ଉଚ୍ଚ ଅଞ୍ଚଳରେ ରହୁଥିବା ଚାଷୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସରକାର ମି​‌େ​‌ଲଟ ମିଶନ ଆରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମ ବିକାଶ ନାମରେ ସମସ୍ତଙ୍କୁ ସମ ଭାବରେ ସାମିଲ କରିବାର ଏକ ସଫଳ ଉଦାହରଣ ବୋଲି ସେ ପ୍ରକାଶ କରିଛନ୍ତି।

Leave A Reply