ଭବାନୀପାଟଣା/ଧର୍ମଗଡ଼: କଂଗ୍ରେସର ଲୋକସଭା ପ୍ରାର୍ଥୀଙ୍କ ସମେତ ଭବାନୀପାଟଣା, ନର୍ଲା, ଲାଞ୍ଜିଗଡ଼, ଜୁନାଗଡ଼, ଧର୍ମଗଡ଼ ବିଧାନସଭା ଆସନ ପାଇଁ ଆଜି କଂଗ୍ରେସ ସହ ଅନ୍ୟ ଦଳର ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଭବାନୀପାଟଣା ମାଣିକେଶ୍ବରୀ ମନ୍ଦିରରେ ମା’ଙ୍କ ଦର୍ଶନ ପରେ ଏକ ଶୋଭାଯାତ୍ରାରେ କଂଗ୍ରେସର ସମସ୍ତ ପ୍ରାର୍ଥୀ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ।
କଂଗ୍ରେସ କଳାହାଣ୍ଡି ଲୋକସଭା ପ୍ରାର୍ଥୀ ଦ୍ରୌପଦୀ ମାଝୀ ଜିଲାପାଳଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଡିଆର୍ଡିଏରେ ନର୍ଲା ଆସନ ପାଇଁ ଭକ୍ତଚରଣ ଦାସ, ଏଡିଏମ୍ଙ୍କ ନିକଟରେ ଲାଞ୍ଜିଗଡ଼ ଆସନ ପାଇଁ ବଳଭଦ୍ର ମାଝୀ ଓ ଭବାନୀପାଟଣା ଆସନ ପାଇଁ ସାଗର ଚରଣ ଦାସ ସଦର ଉପଜିଲାପାଳଙ୍କ ନିକଟରେ ନିଜ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।
ସେହିପରି ଭବାନୀପାଟଣା ଆସନ ପାଇଁ ସ୍ବାଧୀନ ପ୍ରାର୍ଥୀ ମହେନ୍ଦ୍ର ଧଙ୍ଗଡ଼ାମାଝୀ ଏବଂ ଆମ ଆଦମୀ ପାର୍ଟିର ରମେଶ ନାଏକ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏଥିସହିତ କଳାହାଣ୍ଡି ଲୋକସଭା ଆସନ ପାଇଁ ସ୍ବାଧୀନ ପ୍ରାର୍ଥୀ ଉମାକାନ୍ତ ତାଣ୍ଡି ଓ ସମୃଦ୍ଧ ଓଡ଼ିଶା ପ୍ରାର୍ଥୀ ହିମାଂଶୁ ତ୍ରିପାଠୀ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।
ଅନ୍ୟପକ୍ଷରେ ଧର୍ମଗଡ଼ ଉପଜିଲାପାଳଙ୍କ ନିକଟରେ ଧର୍ମଗଡ଼ ଆସନ ପାଇଁ କଂଗ୍ରେସର ରଶ୍ମିରେଖା ରାଉତ, ବିଜେପିର ସୁଧୀର ରଞ୍ଜନ ପାଟ୍ଟଯୋଷୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଜୁନାଗଡ଼ ଆସନ ପାଇଁ ବିଜେପିର ମନୋଜ ମେହେର ଧର୍ମଗଡ଼ରେ ଅତିରିକ୍ତ ଜିଲାପାଳଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।



