www.samajalive.in
Sunday, December 7, 2025
15.1 C
Bhubaneswar

ବାର୍ଡ ଫ୍ଲୁ ଆଶଙ୍କା; ୬ବ୍ଲକରେ ସତର୍କତା

ପୁରୀ: ବାର୍ଡ ଫ୍ଲୁ ଚିହ୍ନଟ ହୋଇଥିବା ଜିଲାର ତିନୋଟି ଗ୍ରାମରେ ଶୁକ୍ରବାର ପଶୁସମ୍ପଦ ବିଭାଗ ପକ୍ଷରୁ ୩୯୯ କୁକୁଡ଼ା ମାରି ପୋତାଯାଇଛି। କୁକୁଡ଼ା ମାଂସ ଓ ଅଣ୍ଡା ବିକ୍ରି ବନ୍ଦପାଇଁ ବ୍ରୟଲର ଫାର୍ମ ମାଲିକଙ୍କୁ ନୋଟିସ୍‍ ଜାରି କରାଯାଇଛି। ବାହାରକୁ କୁକୁଡ଼ା ଚାଲାଣ ଉପରେ କଟକଣା ଜାରି କରିଛି ଜିଲା ପ୍ରଶାସନ। ପ୍ରଭାବିତ ଗ୍ରାମଠାରୁ ୧କି.ମି ଅଞ୍ଚଳରେ ଥିବା ୭୬୦ କୁକୁଡ଼ାଙ୍କୁ ମାରି ପୋତିବା ପାଇଁ ସ୍ଥିର କରାଯାଇଛି।
ଏହାଛଡ଼ା ଘରେ କୁକୁଡ଼ା ପାଳିଥିବା ଲୋକଙ୍କୁ ସତର୍କ କରାଇ ଦିଆଯାଇଛି। ସମ୍ପୃକ୍ତ ଅଞ୍ଚଳରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଥିବାରୁ ରାପିଡ୍‍ ରେସପନ୍ସ ଟିମ୍‍ଙ୍କୁ ଘରେ ରଖିଥିବା କୁକୁଡ଼ା ହସ୍ତାନ୍ତର ପାଇଁ ପରାମର୍ଶ ଦିଆଯାଇଛି। କୃଷ୍ଣପ୍ରସାଦ ବ୍ଲକର କେତେକ କୁକୁଡ଼ା ଫାର୍ମ ମାଲିକ ରାତାରାତି ୫ଶହରୁ ଊର୍ଦ୍ଧ୍ବ କୁକୁଡ଼ା ବାହାରକୁ ଚାଲାଣ କରିଥିବାରୁ ଗଭୀର ଚିନ୍ତାରେ ପଡ଼ିଛି ପ୍ରଶାସନ।
ଜିଲାର ୬ଟି ବ୍ଲକରେ ସତର୍କତା ଜାରି କରାଯାଇଥିବା ଜିଲା ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀ ଡା. ଗିରିଜା ପ୍ରସାଦ ପଟ୍ଟନାୟକ ଶୁକ୍ରବାର ଗଣମାଧ୍ୟମକୁ କହିଛନ୍ତି। ଅନ୍ୟ କୌଣସି ସ୍ଥାନରେ ଏପର୍ଯ୍ୟନ୍ତ ବାର୍ଡ ଫ୍ଲୁ ଚିହ୍ନଟ ହୋଇନଥିଲେ ମଧ୍ୟ ଆଖପାଖ ବ୍ଲକର ଲୋକେ ସତର୍କ ରହିବା ଉଚିତ ବୋଲି ସେ କହିଛନ୍ତି। କୃଷ୍ଣପ୍ରସାଦର ଉଦୟଗିରି, ବ୍ରାହ୍ମଣଡିହ ଓ ନନ୍ଦଳା ଗ୍ରାମରୁ ଆଉ ୧୦୮ଟି ନମୁନା ସଂଗ୍ରହ କରାଯାଇଛି।
ଖୁବ୍‍ଶୀଘ୍ର ସେଗୁଡ଼ିକୁ ପରୀକ୍ଷା ପାଇଁ ଭୋପାଳସ୍ଥିତ ନ୍ୟାସନାଲ ଇନ୍‍ଷ୍ଟିଚ୍ୟୁଟ ଅଫ୍‍ ହାଇ ସିକ୍ୟୁରିଟି ଆନିମଲ ଡିଜିଜ୍‍ ସଂସ୍ଥାକୁ ପଠାଯିବ।ତେବେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା ଜିଲାପାଳ ଜ୍ୟୋତିପ୍ରକାଶ ଦାସ ପ୍ରକାଶ କରିଛନ୍ତି। ସ୍ୱତନ୍ତ୍ର ସର୍କିଟ ହାଉସରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସେ କହିଲେ କୃଷ୍ଣପ୍ରସାଦ ବ୍ଲକର ପଥରଗଞ୍ଜ, ସାନସାହି, ବୁଦ୍ଧିବର, ଅଲଣ୍ଡା ଓ ମାଲୁଦ ଅଞ୍ଚଳରୁ ସଂଗୃହୀତ ନମୁନାରୁ ବାର୍ଡ ଫ୍ଲୁ ପଜିଟିଭ ଚିହ୍ନଟ କରାଯାଇଛି। ୧୦ଟି ଆରଆରବି ଟିମ୍‍କୁ ସେଠାକୁ ପଠାଯାଇଛି। ଅନ୍ୟ ଅଞ୍ଚଳଗୁଡ଼ିକ ଉପରେ ପ୍ରଶାସନ ସତର୍କ ଦୃଷ୍ଟି ରଖିଛି। ବାର୍ଡ ଫ୍ଲୁ ଚିହ୍ନଟ ହୋଇଥିବା ଅଞ୍ଚଳରେ କୁକୁଡ଼ା ମାଂସ କିମ୍ବା ଅଣ୍ଡା ନଖାଇବାକୁ ସେ ପରାମର୍ଶ ଦେଇଛନ୍ତି।
ଏହାଛଡ଼ା ୧୦କି.ମି ମଧ୍ୟରେ ଚିକେନ୍‍ ଓ ଅଣ୍ଡା ବିକ୍ରି ଉପରେ ନିଷେଧାଦେଶ ଜାରି କରାଯାଇଛି। ଜିଲାରେ ବାର୍ଡ ଫ୍ଲୁ ଚିହ୍ନଟ ଯୋଗୁଁ ସମସ୍ତ ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ରରେ ମଧ୍ୟାହ୍ନ ଭୋଜନରେ ଅଣ୍ଡା ନଦେବାକୁ ନିର୍ଦେଶ ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ ଏବଂ ସମାଜ କଲ୍ୟାଣ ଅଧିକାରୀଙ୍କୁ ଏଥିପାଇଁ ଆବଶ୍ୟକ ପରାମର୍ଶ ଦିଆଯାଇଥିବା ଶ୍ରୀ ଦାସ କହିଛନ୍ତି। ପରିସ୍ଥିତିରେ ସୁଧାର ନଆସିବା ପର୍ଯ୍ୟନ୍ତ କୃଷ୍ଣପ୍ରସାଦରେ ୧୦ଟି ରାପିଡ ରେସପନ୍ସ ଟିମ୍‍ ଅବସ୍ଥାନ କରିବେ। ସେଠାରେ ୨୪ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି। ବାର୍ଡ ଫ୍ଲୁର ପ୍ରତିକାର ପାଇଁ ଟାମି ଫ୍ଲୁ ବଟିକା ଯୋଗାଯାଇଥିବା ସେ କହିଛନ୍ତି। ଅନ୍ୟ କୌଣସି ଅଞ୍ଚଳରେ ଏପର୍ଯ୍ୟନ୍ତ ବାର୍ଡ ଫ୍ଲୁ ଚିହ୍ନଟ ହୋଇନଥିବାରୁ ଲୋକେ ଆତଙ୍କିତ ନହେବାକୁ ଜିଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ଅତିରିକ୍ତ ଜିଲାପାଳ ବିନୟ କୁମାର ଦାଶ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories