ଆଠଗଡ଼ରେ ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜୟନ୍ତୀ ପାଳିତ
ଆଠଗଡ଼: ଓଡ଼ିଶା ଜନମାନସର ପ୍ରତୀକ, କଳିଙ୍ଗ ବୀର ତଥା ପ୍ରବାଦ ପୁରୁଷ, ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କର ୧୦୮ତମ ଜନ୍ମଜୟନ୍ତୀ ଅବସରରେ ଆଠଗଡ଼ ଏନଏସି ଓ ବ୍ଲକରେ ପାଳିତ ହୋଇଯାଇଛି। ଏହି ଅବସରରେ ରକ୍ତଦାନ ଶିବିର, ଗଣଦୌଡ, ସାଇକେଲ ଶୋଭାଯାତ୍ରା, ଚିତ୍ରାଙ୍କନ ପ୍ରତିଯୋଗିତା ସହିତ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଆଠଗଡ଼ ଏନଏସି ବିଜେଡି ପକ୍ଷରୁ ପ୍ରତ୍ୟୁଷରେ ସହରରେ ରାମଧୁନ ପ୍ରସାର କରାଯାଇଥିଲା। ସକାଳ ୭ଟାରେ ଏନଏସି ଅଧ୍ୟକ୍ଷା ସସ୍ମିତା ରାଉତ, ଉପାଧ୍ୟକ୍ଷ ବି ଶୁଭ୍ରଶଙ୍କର ଜ୍ୟୋତି, ନଗର ବିଜେଡି ସଭାପତି ଶିଶିର ପ୍ରସାଦ ମାନସିଂହ, ସମାଜସେବୀ ପ୍ରକାଶ ରାଉତ, ଯୁବ ବିଜେଡି ସଭାପତି ଶିବଶଙ୍କର ଜେନାଙ୍କ ସମେତ ସମସ୍ତ କାଉନସିଲର ବିଭିନ୍ନ ସ୍ଥାନରେ ପ୍ରତିଷ୍ଠିତ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ସାମୁହିକ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ ଜଣାଇଥିଲେ। ପରେ ପରେ କନ୍ତୋଲସ୍ଥିତ ଦକ୍ଷିଣ ଚଣ୍ଡି ମନ୍ଦିରଠାରୁ ଏକ ସାଇକଲ ଶୋଭାଯାତ୍ରା ବାହାରି ‘ବିଜୁ ପଟ୍ଟନାୟକ ଅମର ରହେ’ ସ୍ଲୋଗାନ ସହିତ ସହର ପରିକ୍ରମା କରିଥିଲା। ଏହାପରେ ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟର ଅନ୍ତେବାସୀ ରୋଗୀଙ୍କୁ ଫଳ ଓ ବିସ୍କୁଟ ଆଦି ବଣ୍ଟନ କରାଯାଇଥିଲା। ସେହିପରି ଆଠଗଡ଼ ବ୍ଲକର ୧ନଂ ଜୋନରେ ବିଜେଡି ବ୍ଲକ ସଭାପତି ରବୀନ୍ଦ୍ରନାଥ ରାଉତ, ଜିଲ୍ଲା ଉପସଭାପତି ନୃସିଂହ ମହାପାତ୍ର, ପୂର୍ବତନ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୁନିଲ ପରିଡ଼ା ଓ ଜିଲ୍ଲାପରିଷଦ ସଭ୍ୟା ଶାନ୍ତିଲତା ବେହେରାଙ୍କ ନେତୃତ୍ୱରେ ଇଚ୍ଛାପୁରଠାରୁ ପୁରୁଣା କଟକ-ସମ୍ବଲପୁର ରାସ୍ତାରେ ଆଠଗଡ଼ ପର୍ଯ୍ୟନ୍ତ ୮କିମି ବାଟ ଏକ ବିଶାଳ ସାଇକେଲ ଶୋଭାଯାତ୍ରା ପହଞ୍ଚିବା ପରେ ମହିଳା କଲେଜ ସନ୍ନିକଟ ପୂଜ୍ୟପୂଜା ପୀଠରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ସାମୁହିକ ମାଲ୍ୟାର୍ପଣ କରାଯାଇଥିଲା। ୨ନଂ ଜୋନରେ ବ୍ଲକ ଅଧ୍ୟକ୍ଷା ମୀନତି ଆଚାର୍ଯ୍ୟ, ଜିଲ୍ଲା ପରିଷଦ ସଭ୍ୟା ମୀନତି ଗାଗରାଇ, ମନ୍ତ୍ରୀଙ୍କ ବ୍ଲକ ପ୍ରତିନିଧି ରଞ୍ଜନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଏକ ସାଇକେଲ ଶୋଭାଯାତ୍ରା ଗୁରୁଡ଼ିଝାଟିଆ ଛକରୁ ବାହାରି ୫୫ନମ୍ବର ଜାତୀୟ ରାଜପଥ ଦେଇ ଖୁଣ୍ଟୁଣୀଠାରେ ପହଞ୍ଚି ଥିଲା। ସେହିପରି ୩ନମ୍ବର ଜୋନରେ ଜିଲ୍ଲାପରିଷଦ ସଭ୍ୟ ବଳଭଦ୍ର ବାଘଙ୍କ ନେତୃତ୍ୱରେ ଏକ ଗଣଦୌଡ ବଳରାମପୁରସ୍ଥିତ ସର୍ପେଶ୍ୱର ମନ୍ଦିରରୁ ବାହାରି ଆଠଗଡ଼ -ମୁଣ୍ଡଳି ରାସ୍ତା ଦେଇ ମେଘା ହନୁମାନ ମନ୍ଦିରଠାରେ ସମାପ୍ତ ହୋଇଥିଲା। ଏତଦ୍ଭିନ୍ନ ଆଠଗଡ଼ ଯୁବ ବିଜେଡି ଓ ଜୀବନବିନ୍ଦୁର ମିଳିତ ଆନୁକୁଲ୍ୟରେ ରାଧାବଲ୍ଲଭପୁର ସ୍କୁଲରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ୧୦୬ଜଣ ରକ୍ତଦାତା ରକ୍ତଦାନ କରିଥିଲେ। ଏହାଛଡା ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ବିଜୁ ଯୁବଛାତ୍ର ଜନତା ଦଳ ପକ୍ଷରୁ ବିଦ୍ୟାଳୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ ମହୋତ୍ସବ ପଡ଼ିଆରେ ବ୍ଲକ ବିଜେଡି ସଭାପତି ରବୀନ୍ଦ୍ରନାଥ ରାଉତଙ୍କ ପୌରୋହିତ୍ୟରେ ଆୟୋଜିତ ସାଧାରଣ ସଭାରେ ସ୍ଥାନୀୟ ବିଧାୟକ ତଥା କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୁଖ୍ୟଅତିଥି ଭାବେ ଯୋଗଦେଇ ଓଡ଼ିଶାର ସାମଗ୍ରିକ ବିକାଶ ବିଶେଷକରି ଶିଳ୍ପ ସମୃଦ୍ଧ ଓଡ଼ିଶା ପାଇଁ ବିଜୁ ବାବୁଙ୍କ ଅବଦାନ ସଂପର୍କରେ ଆଲୋକପାତ କରିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ବିଜୁ ବାବୁଙ୍କ ସହକର୍ମୀ ବର୍ଷିଆନ ନାରୀନେତ୍ରୀ ନିରୁପମା ଭଞ୍ଜ, ସାହିତ୍ୟିକ ଡଃ ନାରାୟଣ ପଣ୍ଡା, ଅଧ୍ୟାପକ ମନୋରଞ୍ଜନ ମହାନ୍ତି, ଅଧ୍ୟାପକ ଅଜୟ କୁମାର ସ୍ୱାଇଁଙ୍କ ସମେତ ଏନଏସି ଓ ବ୍ଲକ ଅଧ୍ୟକ୍ଷା ଏବଂ ବହୁ ଦଳୀୟ ନେତା ଯୋଗଦେଇ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଜୀବନୀ ସଂପର୍କରେ ଆଲୋକପାତ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏକ ସମୃଦ୍ଧ ଓ ସ୍ୱାଭିମାନୀ ଓଡ଼ିଶା ଗଠନ ଦିଗରେ ସମସ୍ତେ ବ୍ରତୀ ହେବା ଲାଗି ମନ୍ତ୍ରୀ ଶ୍ରୀ ସ୍ୱାଇଁ ଶପଥ ପାଠ କରାଇଥିଲେ।
ଆଠଗଡ଼ ଅନୁସୂଚିତ ଜାତି ଜନଜାତି ପରିଷଦ ଆନୁକୁଲ୍ୟରେ ମଙ୍ଗଳବାର ପରିଷଦ କାର୍ଯ୍ୟାଳୟରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ପ୍ରବାଦ ପୁରୁଷ, ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜୟନ୍ତୀ ପାଳିତ ହୋଇଯାଇଛି। ପରିଷଦର ସଭାପତି ବିଚିତ୍ରାନନ୍ଦ ସେଠୀ ଏଥିରେ ଅଧ୍ୟକ୍ଷତା କରି ଦେଶର ରାଜନୀତି କ୍ଷେତ୍ରରେ ବିଜୁ ପଟ୍ଟନାୟକ କହିଲେ ଓଡ଼ିଶାକୁ ବୁଝାଏ, ତାଙ୍କ ପରି ଜଣେ ଦେଶ ସେବକ ଆଜିର ଦିନରେ ବିରଳ ବୋଲି ମତବ୍ୟକ୍ତ କରିଥିଲେ। ଏଥିରେ ପରିଷଦର କର୍ମକର୍ତ୍ତା ଅରୁପାନନ୍ଦ ମଲ୍ଲିକ, ଅଶୋକ କୁମାର ମଲ୍ଲିକ, ଜଟି ନାଏକ, ସୁଶାନ୍ତ ନାଏକ, ପ୍ରମୋଦ ସେଠୀ, ଧୀର ବେହେରା, କେଶବ ମଲ୍ଲିକ, ସୁପ୍ରଭା ସେଠୀ, ସାରଳା ନାଏକ, ସ୍ୱପ୍ନା ସେଠୀ ଓ ମମତା ସେଠୀ ପ୍ରମୁଖ ଉଦ୍ବୋଧନ ଦେଇ ବିଜୁ ପଟ୍ଟନାୟକଙ୍କ ବହୁମୁଖୀ ପ୍ରତିଭା ଏବଂ ଓଡ଼ିଶାର ବିକାଶ କ୍ଷେତ୍ରରେ ତାଙ୍କର ଅବଦାନ ସଂପର୍କରେ ଆଲୋକପାତ କରିଥିଲେ। ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ସମସ୍ତେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶେଷରେ ପ୍ରକାଶ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।
ଆଠଗଡ଼ ସହରର ରାସରସିକପୁର ୟୁଜିୟୁପି ସ୍କୁଲରେ ସରକାରୀ ନିର୍ଦ୍ଦେଶ ଅନୁଯାୟୀ ପଞ୍ଚାୟତରାଜ ଦିବସ ପାଳନ ଅବସରରେ ଆଲୁମିନି ବା ପୁରାତନ ଛାତ୍ରଛାତ୍ରୀ ସମାବେଶ ଓ ଆଲୋଚନା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସ୍କୁଲର ପ୍ରଧାନଶିକ୍ଷକ ଦେବରାଜ ନାୟକଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ବିଶେଷକରି ମୋ ସ୍କୁଲ ଅଭିଯାନ ମାଧ୍ୟମରେ ସ୍କୁଲର ପୁରାତନ ଛାତ୍ରଛାତ୍ରୀ ଦେଇଥିବା ଆର୍ôଥକ ସାହାଯ୍ୟ ଓ ସରକାରଙ୍କ ଅନୁଦାନ ମିଶାଇ ବିଦ୍ୟାଳୟର ବହୁ ଉନ୍ନତି ସାଧିତ ହୋଇଥିବା ପ୍ରଧାନଶିକ୍ଷକ ଶ୍ରୀ ନାୟକ ସୂଚନା ଦେଇଥିଲେ। ଆଗାମୀ ଦିନରେ ବିଦ୍ୟାଳୟର ବିକାଶ ପାଇଁ ପୁରାତନ ଛାତ୍ରଛାତ୍ରୀ ଅଧିକରୁ ଅଧିକ ସହଯୋଗର ହାତ ବଢ଼ାଇବେ ବୋଲି ଯୋଗଦେଇଥିବା ଆଲୁମିନି ସଦସ୍ୟ ଲକ୍ଷ୍ମୀଧର ସ୍ୱାଇଁ, ସତ୍ୟଜିତ୍ ଦାସ, ଦ୍ୱିତୀକୃଷ୍ଣ ପାଲଙ୍କ ସମେତ ଅନ୍ୟମାନେ ପ୍ରତିଶୃତି ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଲୁମିନି ସଦସ୍ୟଙ୍କ ପାଇଁ ଦିଆଯାଇଥିବା ଧନ୍ୟବାଦ ପତ୍ର ଉପସ୍ଥିତ ସଦସ୍ୟଙ୍କୁ ପ୍ରଦାନ କରାଯାଇଥିଲା। ସେହିପରି ବକ୍ତୃତା ପ୍ରତିଯୋଗିତାରେ ବିଦ୍ୟାଳୟର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ଶିକ୍ଷକ ଶଶଧର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.