www.samajalive.in
Tuesday, December 9, 2025
17.1 C
Bhubaneswar

୫ ରାଜ୍ୟ ନିର୍ବାଚନ ଫଳାଫଳ ଘୋଷଣା ପରେ ଓଡ଼ିଶା ରାଜନୀତି ଚଳଚଞ୍ଚଳ

ଭୁବନେଶ୍ବର: ଦେଶରେ ପାଞ୍ଚଟି ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିବାର୍ଚନ ଫଳାଫଳ ଆଗାମୀ ସାଧାରଣ ନିର୍ବାଚନକୁ ପ୍ରଭାବିତ କରିବା ନେଇ ଚର୍ଚ୍ଚା ଚାଲିଛି। ସମ୍ପ୍ରତି ଛତିଶଗଡ଼,ମଧ୍ୟପ୍ରଦେଶ ଓ ରାଜସ୍ଥାନ ବିଧାନସଭା ନିର୍ବାଚନ ଫଳାଫଳ ବିଜେପିକୁ ବଡ଼ କ୍ଷତି ପହଞ୍ଚାଇଛି। ତେଲଙ୍ଗାନାରେ ଟିଆରଏସ ଏହାର ପ୍ରଭାବ ଅକ୍ଷୁଣ୍ଣ ରଖିଥିବାବେଳେ ମିଜୋରାମ କଂଗ୍ରେସ ହାତରୁ ଖସିଯାଇଛି। ତେଲାଙ୍ଗାନାରେ ଟିଆରଏସ ପୂର୍ନବାର ଶାସନ କ୍ଷମତା ବଜାୟ ରଖିଥିବା ବେଳେ ମିଜୋରାମରେ କଂଗ୍ରେସକୁ ହରାଇ ମିଜୋ ନ୍ୟାସନାଲ ଫ୍ରଣ୍ଟ କ୍ଷମତାସୀନ ହୋଇଛି। ୨୦୧୯ ସାଧାରଣ ନିବାର୍ଚନରେ ଆଞ୍ଚଳିକ ଦଳ ଗୁଡ଼ିକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି ରାଜନୌତିକ ମହଲ ବିବେଚନା କରୁଛନ୍ତି। ବିଜେପି ନେତୃତ୍ୱାଧୀନ ଏନଡ଼ିଏ ସରକାର ବିରୋଧରେ ବିରୋଧୀ ଦଳଗୁଡ଼ିକ ଏକାଠି ହଲେ ଜାତୀୟସ୍ତରରେ ରାଜନୌତିକ ସମୀକରଣ ବଦଳିବାର ସମ୍ଭାବନା ରହିଛି। ଜାତୀୟ ରାଜନୀତିରେ ବ୍ୟକ୍ତିତ୍ୱ ଓ ପ୍ରଭାବଶାଳୀ ନେତୃତ୍ୱ ଏକାକୀ ସବୁ ସମୟରେ ସବୁ କିଛି ନିୟନ୍ତ୍ରଣରେ ରଖିବା ସହଜ ନୁହେଁ। ନେତୃତ୍ୱ ସହିତ ସୁଶାସନ ମଧ୍ୟ ଜରୁରୀ। ମତଦାତା ଜନାଭିମୁଖୀ ଯୋଜନା କାର୍ଯ୍ୟକାରୀ କରୁଥିବା ଦଳକୁ ପ୍ରାଧାନ୍ୟ ଦେଇଥାନ୍ତି। ରାଜସ୍ଥାନରେ କଂଗ୍ରେସ ଶାସନକୁ ଫେରିବ ବୋଲି ପ୍ରାୟତଃ ସୂଚନା ମିଳିଥିଲା। କିନ୍ତୁ ଛତିଶଗଡ଼ରେ କଂଗ୍ରେସ କ୍ଷମତା ଦଖଲ କରିବା ଅପ୍ରତ୍ୟାଶିତ। ସମସ୍ତ ଆକଳନକୁ ଭୁଲ ପ୍ରମାଣିତ କରି ଛତିଶଗଡ଼ କଂଗ୍ରେସ ବହୁ ବ୍ୟବଧାନରେ ଜିତିଛି। ଏଥିରୁ ସଙ୍କେତ ମିଳୁଛି ଯେ, ଆଗାମୀ ସାଧାରଣ ନିର୍ବାଚନରେ ବିଜେପି ହେଉ କିମ୍ବା କଂଗ୍ରେସ ସବୁବେଳେ ମନମୁଖୀ ଭାବେ କ୍ଷମତାକୁ ଜାବୁଡ଼ି ଧରିବା ସମ୍ଭବ ନୁହେଁ। ଆଞ୍ଚଳିକ ଦଳର ସାହାଯ୍ୟ ବିନା ବିଜେପି ଓ କଂଗ୍ରେସ ଜାତୀୟ ଦଳ ଭାବେ କ୍ଷମତା ହାସଲ କରିବା କଷ୍ଟକର ହୋଇପଡ଼ୁଛି। ଏନଡ଼ିଏ କିମ୍ବା ୟୁପିଏ ପାଇଁ ଆଞ୍ଚଳିକ ଦଳକୁ ନେଇ ମହାମେଣ୍ଟ ଏକ ବିକଳ୍ପ ପନ୍ଥା।
ଓଡ଼ିଶାରେ ଦୀର୍ଘ ୧୮ ବର୍ଷ ଧରି କ୍ଷମତାସୀନ ବିଜୁ ଜନତା ଦଳ କଂଗ୍ରେସ ଓ ବିଜେପିଠାରୁ ସମଦୂରତା ରକ୍ଷା କରିଆସୁଛି। ଆଗକୁ ତେଲଙ୍ଗାନାର ଟିଆରଏସ ଓ ଆନ୍ଧ୍ରର ୱାଇଏସଆର କଂଗ୍ରେସ, ଏଆଇଡିଏମକେ, ଆମଆଦମୀ ଓ ତୃଣମୂଳ କଂଗ୍ରେସ ଭଳି ଆଞ୍ଚଳିକ ଦଳଗୁଡ଼ିକ ଜାତୀୟ ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ରାଜନୌତିକ ମହଲ ମତପୋଷଣ କରୁଛନ୍ତି।
ପାଞ୍ଚଟି ରାଜ୍ୟର ବିଧାନସଭା ଫଳାଫଳ ଓଡ଼ିଶା ଉପରେ କିଭଳି ପ୍ରଭାବ ରହିବ ତାହା ସମୀକ୍ଷାର ବିଷୟ। ରାଜ୍ୟ କଂଗ୍ରେସ ଏହି ଫଳାଫଳକୁ ନେଇ ଉତ୍ସାହିତ ଥିବା ବେଳେ ରାଜ୍ୟ ବିଜେପିରେ ନୌରାଶ୍ୟ ଦେଖାଦେଇଛି। ତେବେ କଂଗ୍ରେସ ଓ ବିଜେପି ଶାସିତ ରାଜ୍ୟରେ ସଦ୍ୟ ପ୍ରକାଶିତ ଫଳାଫଳ ଆସ୍ଥା ବିରୋଧରେ ଯାଇଥିବାବେଳେ ଓଡ଼ିଶାରେ ଏଭଳି ସମ୍ଭାବନାକୁ ବିଜେଡ଼ି ଅସ୍ୱୀକାର କରିଛି।
ଓଡ଼ିଶା ରାଜନୀତି ଏବେ ବେଶ ଚଳଚଞ୍ଚଳ ହୋଇଛି। ତିନିଟି ରାଜ୍ୟ ରାଜସ୍ଥାନ, ଛତିଶଗଡ଼ ଓ ମଧ୍ୟପ୍ରଦେଶରେ କଂଗ୍ରେସ କ୍ଷମତାକୁ ଫେରିବା ପରେ ୨୦୧୯ ନିର୍ବାଚନରେ କଂଗ୍ରେସର ନବକଳେବର ହେବା ନେଇ ଦଳ ଭିତରେ ଆଶାର ସଞ୍ଚାର ହୋଇଛି। ଜାତୀୟ ଦୃଶ୍ୟପଟ୍ଟରେ ଆଗକୁ କ’ଣ ହେବ ନହେବ ତାହା ଦୋସରା କଥା, ହେଲେ ରାଜ୍ୟ ରାଜନୀତିରେ ମୋଡ଼ ବଦଳିବା ନେଇ ଦଳ ଭିତରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ଫଳାଫଳ ପ୍ରକାଶ ପରେ ରାଜ୍ୟ ବିଜେପିରେ ବିଶାଦ ପରିଲକ୍ଷିତ ହୋଇଥିବାବେଳେ ଶାସକ ବିଜେଡ଼ି କିନ୍ତୁ ବେଶ ଆଶ୍ବସ୍ତ ହୋଇଛି। କାରଣ ଓଡ଼ିଶାରେ ପଞ୍ଚାୟତ ନିର୍ବାଚନରେ କଂଗ୍ରେସକୁ ପଛରେ ପକାଇ ବିଜେପି ଆଗକୁ ବଢ଼ିଥିଲା। ଶାସକ ଦଳ ବିଜେଡ଼ିର ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ଭୂମିକା ନେଇଥିଲା। ରାଜ୍ୟ ବିଜେପି ବିଧାନସଭା ନିର୍ବାଚନରେ ୧୨୦ ମିଶନ ନେଇ ଲଢ଼ିବାର ଦମ୍ଭ ରଖିଛି। ରାଜ୍ୟ ସରକାରଙ୍କୁ ପ୍ରତିଟି ପ୍ରସଙ୍ଗରେ ଘେରିଆସୁଥିବା ବି​‌େ​‌ଜପି ଆଗକୁ ଓଡ଼ିଶାରେ କେଉଁ ସ୍ଥିତିରେ ରହିବ ତାହାକୁ ନେଇ ରାଜନୈତିକ ମହଲରେ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି।
ଅନ୍ୟ ରାଜ୍ୟର ନିର୍ବାଚନ ଫଳ ପ୍ରକାଶ ପରେ ରାଜ୍ୟ କଂଗ୍ରେସ ବେଶ ଉତଫୁଲ୍ଲିତ ଥିବାବେଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ଓଡ଼ିଶାରେ ଛତିଶଗଡ଼ ଭଳି ପରିସ୍ଥିତି ଉପୁଜିବ। ଆଗାମୀ ବିଧାନସଭା ନିର୍ବାଚନରେ ଏଠାରେ ଲୋକେ ବିଜେଡ଼ିକୁ ତ୍ୟାଗ କରି କଂଗ୍ରେସକୁ ବହୁମତ ଦେଇ କ୍ଷମତାକୁ ଆଣିବେ। ହେଲେ ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଓଡ଼ିଶାରେ ବିଜେଡ଼ି ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ କାରଣ ଦଳ ଲୋକଙ୍କ ସହିତ ଅଛି ଓ ଜନହିତକର କାର୍ଯ୍ୟ ଅବ୍ୟାହତ ରହିଛି। ଅନ୍ୟପକ୍ଷରେ ବିଜେପି ରାଜ୍ୟ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ଲୋକେ ଯେଭଳି ପରିବର୍ତ୍ତନ ଚାହିଁଲେ ଓଡ଼ିଶାରେ ମଧ୍ୟ ସେଭଳି ପରିବର୍ତ୍ତନ ଆସିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories