ରୋଷଣୀ ପାଇଁ ଧଳା ଘୋଡାର ଚାହିଦା ବଢୁଛି
ପାତ୍ରପୁର : ଆନ୍ଧ୍ର ସୀମାନ୍ତ ପାତ୍ରପୁର ବ୍ଳକର ବିଭିନ୍ନ ଗ୍ରାମରେ ତେଲୁଗୁ ସମ୍ପ୍ରଦାୟର ଲୋକମାନେ ବସବାସ କରନ୍ତି। ସେହି ମାନଙ୍କ ମଧ୍ୟରୁ କିଛି ସମ୍ପ୍ରଦାୟ ଲୋକମାନେ ବିବାହ ବେଳେ ଘୋଡ଼ା ଉପରେ ବସି ଗ୍ରାମ ପରିକ୍ରମା ପରମ୍ପରା ରହିଛି। ଆଧୁନିକ ଛାପରେ କେତେକ ପରମ୍ପରା ହଜି ଯାଇଥିବାବେଳେ କିନ୍ତୁ ଏହି ସମ୍ପ୍ରଦାୟ ଧଳା ଘୋଡାରେ ରୋଷଣୀରେ ବୁଲିବା ପ୍ରଥା ଚାଲୁ ରହିଛି। ପୂର୍ବରୁ ଅଞ୍ଚଳରେ ଘୋଡ଼ା, ହାତୀ, ଓଟ, ସାପ, ମାଙ୍କଡ ପ୍ରଭୁତି ଧରି ରାଜ୍ୟ ଏବଂ ରାଜ୍ୟ ବାହାରର ବ୍ୟକ୍ତିମାନେ ଦୁଆର ଦୁଆର ବୁଲି ଅର୍ଥ ଆଦାୟ କରି ଜୀବିକା ନିର୍ବାହ କରୁଥିଲେ ଯାହାକି କଟକଣା ପରେ ବନ୍ଦ ହୋଇ ଯାଇଛି। ତେବେ ବିବାହ ଋତୁ ଆରମ୍ଭରେ ଘୋଡ଼ା ଉପରେ ବସି ବୁଲିବା ପରମ୍ପରା ପାଇଁ କିଛି ସମ୍ପ୍ରଦାୟର ଲୋକମାନେ ଆଗଭର ହେବା ଫଳରେ ଘୋଡାର ଚାହିଦା ବଢିବାରେ ଲାଗିଛି।
ଆନ୍ଧ୍ରର ସୀମାନ୍ତ ପାତ୍ରପୁରରେ ଏବେବି ଏହି ପରମ୍ପରା ରହିଛି। ଏଥିପାଇଁ ଆନ୍ଧ୍ରରୁ ଘୋଡ଼ା ମଗାଇ ଘୋଡା ଉପରେ ବସି ଗ୍ରାମ ପରିକ୍ରମା କରାଯାଇଥାଏ । ପାରମ୍ପରିକ ରୀତିରେ ଘୋଡ଼ା ଆଣିଥିବା ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରିବା ସହ ଘୋଡାକୁ ଦୁଆରେ ପୂଜା କରାଯାଏ । ଏପରିକି ନିଜ ଇଷ୍ଟ ଦେବୀ ଏବଂ ଗ୍ରାମ ଦେବତୀଙ୍କୁ ପୂର୍ବରୁ ପୂଜା କରାଯାଇଥାଏ। ଘୋଡା ଉପରେ ବରକୁ ଗ୍ରାମ ପରିକ୍ରମାବେଳେ ବିଭିନ୍ନ ପାରମ୍ପରିକ ତେଲୁଗୁ ବାଦ୍ୟ ବଜାଯାଇଥାଏ । ରାତିବେଳେ ଏହି କାର୍ଯ୍ୟ ହେଉଥିବାବେଳେ ନିଆରା ରୋଷଣୀ ଦେଖିବା ପାଇଁ ଭିଡ ପରିଲକ୍ଷିତ ହୋଇଥାଏ। ଗୋଟିଏ ରୋଷଣୀ ପାଇଁ ଘୋଡା ମାଲିକଙ୍କୁ ପୂର୍ବରୁ ପାଞ୍ଚ ହଜାର ଟଙ୍କା ଦେବାକୁ ପଡୁଥିବାବେଳେ ଗତ କିଛି ବର୍ଷ ହେଲା ଏହି ରାସି ବୃଦ୍ଧି ପାଇଛି।
ଏବେ ଏହି କାର୍ଯ୍ୟ ପାଇଁ ପନ୍ଦର ହଜାର ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କା ଘୋଡ଼ା ମାଲିକଙ୍କୁ ଦେବାକୁ ପଡୁଛି। ଅଞ୍ଚଳରେ ଘୋଡା ନଥିବା ବେଳେ ଆନ୍ଧ୍ର ପ୍ରଦେଶ ଲୋଧାପୁଟି, ମଞ୍ଜୁସା, ଟେକିଲି, ଷୋମପେଣ୍ଟ, ଅଞ୍ଚଳରୁ ଘୋଡା ମଗାଯାଇ କାର୍ଯ୍ୟ ସମ୍ପାଦନ କରାଯାଉଛି। ବିବାହ ପାଇଁ ଦିନ ସ୍ଥିର ହେବା ପରେ ଘୋଡା ମାଲିକଙ୍କୁ ଯୋଗାଯୋଗ କରି ଅଗ୍ରୀମ ଅର୍ଥ ଦେବାକୁ ପଡେ । ରୋଷଣୀବେଳେ ଶବ୍ଦ ପ୍ରଦୂଷଣ ରୋକିବା ପାଇଁ ଡିଜେ ବ୍ୟବହାର କରାଯାଏନି । ଏବେ ମାଙ୍ଗଳିକ ଋତୁ ଆରମ୍ଭ ହୋଇଥିବାବେଳେ ଘୋଡା ମାଲିକଙ୍କ ବେପାର ବଢିଛି । ବିଶେଷ କରି ଧଳା ଘୋଡାର ଚାହିଦା ବୃଦ୍ଧି ପାଇଛି ।
Comments are closed.