ପୁଷ୍ଟିକର ଖାଦ୍ୟ ସୁରକ୍ଷା ଆହ୍ବାନ

ଜାନକୀଶ ବଡ଼ପଣ୍ଡା

ସବୁଜ ବିପ୍ଳବ କାର୍ଯ୍ୟକାରୀ କରାଯିବା ପରେ ଆମେ ଖାଦ୍ୟଶସ୍ୟ ଉତ୍ପାଦନରେ ଅଭିବୃଦ୍ଧି ହାସଲ କରିବାକୁ ସମର୍ଥ ହୋଇଥିଲେ ବି ଦେଶର ଜନସଂଖ୍ୟା ୧୪୧ କୋଟିରେ ପହଞ୍ଚି ସାରିଥିବାରୁ ଆଜି ଯାଏ ଖାଦ୍ୟ ତଥା ପୁଷ୍ଟି ନିରାପତ୍ତା ହାସଲ କରିପାରି ନାହୁଁ। ସେଥିପାଇଁ ବିଶ୍ବ କ୍ଷୁଧା ସୂଚକାଙ୍କରେ ୧୨୫ ଦେଶ ମଧ୍ୟରେ ଭାରତ ଦୟନୀୟ ଭାବେ ୧୧୧ତମ ସ୍ଥାନରେ ରହିଛି। ଭାରତର ପ୍ରାୟ ୨୩.୩୯ କୋଟି ଲୋକ ପୁଷ୍ଟିହୀନତାର ଶିକାର ଓ ବିଶ୍ବ ପୁଷ୍ଟି ରିପୋର୍ଟ-୨୦୧୮ ଅନୁସାରେ ଅପପୁଷ୍ଟ ତଥା ଖର୍ବକାୟ ପିଲାଙ୍କର ସଂଖ୍ୟାରେ ଭାରତର ଅବଦାନ ପ୍ରାୟ ୩୩ ପ୍ରତିଶତ।

‘ପୁଷ୍ଟିହୀନତା’ ହେଉଛି ଏକ ପ୍ରକାର ଅସୁସ୍ଥତା; ଯାହା ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ଏବଂ ପୁଷ୍ଟିକର ଖାଦ୍ୟର ଅଭାବରୁ ସୃଷ୍ଟି ହୋଇଥାଏ। ତାହା ଛଡା, ଆମେ ଖାଉଥିବା ଖାଦ୍ୟରୁ ପୋଷକ ତତ୍ତ୍ୱ ଗ୍ରହଣ କିମ୍ବା ବ୍ୟବହାର କରିବାରେ ଆମ ଶରୀର ଅସମର୍ଥ ହେଲେ ପୁଷ୍ଟିହୀନତା ଦେଖାଦିଏ। ଶିଶୁ ଅପମୃତ୍ୟୁର ନିରାକରଣ ପାଇଁ ଶିଶୁଙ୍କୁ ଆବଶ୍ୟକ ପୁଷ୍ଟିକର ଖାଦ୍ୟ, ନିୟମିତ ଭୋଜନ ଯୋଗାଣ ଓ ପିତାମାତାଙ୍କର ଯତ୍ନ ସହିତ ସଂକ୍ରାମକ ରୋଗରୁ ମୁକ୍ତିକୁ ପ୍ରାଧାନ୍ୟ ଦିଆଯାଏ। ଖାଦ୍ୟରେ ଥିବା ବିଭିନ୍ନ ପ୍ରକାର ପୋଷକ ତତ୍ତ୍ୱ ମଧ୍ୟରେ ମୁଖ୍ୟତଃ ଶ୍ବେତସାର, ପୁଷ୍ଟିସାର, ଚର୍ବି ବା ତୈଳ ଜାତୀୟ, ଖାଦ୍ୟପ୍ରାଣ ଏବଂ ଖଣିଜ ଲବଣ ଅନ୍ତର୍ଭୁକ୍ତ । ଅଥଚ, କୌଣସି ଗୋଟିଏ ଖାଦ୍ୟରୁ ଏହି ସମସ୍ତ ପୋଷକ ତତ୍ତ୍ୱ ପର୍ଯ୍ୟାପ୍ତ ସ୍ତରରେ ମିଳି ନଥାଏ । ବିଭିନ୍ନ ପୁଷ୍ଟିତତ୍ତ୍ୱ ବିଭିନ୍ନ ଖାଦ୍ୟ ଗୋଷ୍ଠୀରେ ମିଳିଥାଏ ଏବଂ ସୁଷମ ପୁଷ୍ଟିକର ଖାଦ୍ୟ ପାଇବାକୁ ଆମକୁ ବିଭିନ୍ନ ଖାଦ୍ୟ ଖାଇବାକୁ ପଡେ। ସୁସ୍ଥ ଜୀବନ ପାଇଁ ଆମେ ଖାଉଥିବା ଖାଦ୍ୟରେ ଶ୍ୱେତସାର, ଚର୍ବି ଏବଂ ପୁଷ୍ଟିସାର ଶକ୍ତି ଅଂଶ ଯଥାକ୍ରମେ ୫୫%, ୩୦% ଏବଂ ୧୫% ରହିବା ଆବଶ୍ୟକ ହୋଇଥାଏ।

ପୁଷ୍ଟିକର ଖାଦ୍ୟରେ ମୁଖ୍ୟ ଉପାଦାନ ବ୍ୟତୀତ ଆମ ଶରୀର ପାଇଁ ଅଳ୍ପ ପରିମାଣରେ ହେଉ ପଛେ, ଆଉ କିଛି ଉପାଦାନ ଆବଶ୍ୟକ, ଯାହାକୁ ଆମେ ଅଣୁପୋଷାକ ତତ୍ତ୍ୱ କହିଥାଉ। ଏଥିରେ ବିଭିନ୍ନ ଜୀବନିକା (ଭିଟାମିନ୍) ଏବଂ ଖଣିଜ ଲବଣ (ମିନେରାଲ୍ସ) ଅନ୍ତର୍ଭୁକ୍ତ। ଭିଟାମିନ୍ ଏବଂ ଖଣିଜ ଲବଣର ଖାଦ୍ୟ ଉତ୍ସ ହେଉଛି ଫଳ, ପନିପରିବା, ମାଛ, ମାଂସ, ଦୁଧ, ଅଣ୍ଡା, ଶସ୍ୟ, ମଞ୍ଜି, ଶୁଷ୍କ ଫଳ ଇତ୍ୟାଦି।

ଶ୍ବେତସାର ଖାଦ୍ୟର ଉତ୍ସଗୁଡ଼ିକ ହେଲା – ଶସ୍ୟ, ମୂଳ ଜାତୀୟ ଉଦ୍ଭିଦ, ଚିନି, ମହୁ, ମିଠା ଫଳ ଏବଂ ସେଥିରୁ ପ୍ରସ୍ତୁତ ପ୍ରକ୍ରିୟାକୃତ ଖାଦ୍ୟ । ପୁଷ୍ଟିସାର ଖାଦ୍ୟ ଉତ୍ସଗୁଡ଼ିକ ହେଲା – ଡାଲି ଜାତୀୟ ଫସଲ, କ୍ଷୀର ଏବଂ ଦୁଗ୍ଧଜାତ ଦ୍ରବ୍ୟ, ଅଣ୍ଡା, ମାଂସ, ମାଛ ଏବଂ ପକ୍ଷୀ ମାଂସ। ଚର୍ବି ବା ତୈଳ ଜାତୀୟ ଖାଦ୍ୟର ଉତ୍ସ ହେଲା – ତୈଳବୀଜ ଉଦ୍ଭିଦ ଏବଂ ପ୍ରାଣୀଜ ଚର୍ବି; ଯାହା କୋଷର ଆବରଣ ତିଆରି, ଅତ୍ୟାବଶ୍ୟକ ହରମୋନ୍ ପ୍ରସ୍ତୁତି ସହ ଭିଟାମିନ୍ ଏ, ଡି, ଇ ଏବଂ କେ ଯୋଗାଇ ବଂଶବୃଦ୍ଧିକୁ ପ୍ରୋତ୍ସାହିତ କରେ। ଭିଟାମିନ୍ ଏବଂ ଖଣିଜ ଲବଣର ଖାଦ୍ୟ ଉତ୍ସ ହେଉଛି ମୁଖ୍ୟତଃ ଫଳ, ପନିପରିବା, ପ୍ରାଣୀଜ ଖାଦ୍ୟ, ଶସ୍ୟ, ମଞ୍ଜି ଇତ୍ୟାଦି । ସୁଷମ ଖାଦ୍ୟରେ ଏହି ସମସ୍ତ ଉପାଦାନ ଉଭୟ ଖାଦ୍ୟ ଏବଂ ପାନୀୟ ମାଧ୍ୟମରେ ଅନ୍ତର୍ଭୁକ୍ତ କରିବାକୁ ପଡେ।

ଏବେ ଆସନ୍ତୁ ମୁଖ୍ୟ ପ୍ରସଙ୍ଗକୁ ଫେରିବା । ପର୍ଯ୍ୟାପ୍ତ ପରିମାଣର ପୁଷ୍ଟିକର, ଉଚ୍ଚମାନର ତଥା ନିରାପଦ ଖାଦ୍ୟ ସୁଲଭ ମୂଲ୍ୟରେ ଉତ୍ପାଦନ ଆଜି କୃଷି ପାଇଁ ଆହ୍ୱାନ ସୃଷ୍ଟି କରିଛି। ବିଶ୍ୱ ଖାଦ୍ୟ ସଙ୍ଗଠନ କହୁଛନ୍ତି ଯେ, ଜୈବ-ପ୍ରଯୁକ୍ତି ମାଧ୍ୟମରେ ସମସ୍ତଙ୍କୁ ଉପଲବ୍ଧ ହେବାପାଇଁ, ବିବିଧତାଭରା ପୁଷ୍ଟିକର ଖାଦ୍ୟ ଉତ୍ପାଦନ ସହିତ ପୁଷ୍ଟି-ସମ୍ବେଦନଶୀଳ କୃଷି ଉପରେ ଗୁରୁତ୍ୱ ଦେବାକୁ ହେବ। ସେଥିପାଇଁ ‘ପୁଷ୍ଟି-ସମ୍ବେଦନଶୀଳ କୃଷି’ ଆଶାର ଆଲୋକ ଦେଖାଇଛି। ଏଥିରେ, ନିଜସ୍ୱ ଉତ୍ପାଦିତ ଖାଦ୍ୟଦ୍ରବ୍ୟକୁ ଚାଷୀମାନେ ବ୍ୟବହାର, ଉତ୍ପାଦିତ ଖାଦ୍ୟଦ୍ରବ୍ୟ ବିକ୍ରୟରୁ ଅଧିକ ରୋଜଗାର, ଚାହିଦା ଓ ଯୋଗାଣ ଅନୁସାରେ ଖାଦ୍ୟଦ୍ରବ୍ୟର ମୂଲ୍ୟରେ ପରିବର୍ତ୍ତନ, ସମ୍ପତ୍ତି ଉପରେ ମହିଳାମାନଙ୍କର ଅଧିକାର ଦେଇ ସେମାନଙ୍କୁ ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରିବା, ନିଜର ତଥା ସନ୍ତାନମାନଙ୍କ ପୁଷ୍ଟିସାଧନ ପାଇଁ ମହିଳାମାନେ କୃଷି କ୍ଷେତ୍ରରେ ଅଧିକ ସମୟ ଦେବା ଏବଂ କୃଷିକ୍ଷେତ୍ରରେ ନିଯୁକ୍ତି ମାଧ୍ୟମରେ ମହିଳାମାନେ ନିଜର ସ୍ୱାସ୍ଥ୍ୟ ଓ ପୁଷ୍ଟିସାଧନ କରିବାକୁ ପଡିବ।

ପୁଷ୍ଟି-ସମ୍ବେଦନଶୀଳ କୃଷି ପ୍ରଣାଳୀରେ ଲଘୁ ଶସ୍ୟ ଉତ୍ପାଦନ, ଜୈବ ପ୍ରଯୁକ୍ତିବିଦ୍ୟା ପ୍ରୟୋଗ କରି ଉତ୍ପାଦିତ ଖାଦ୍ୟଶସ୍ୟରେ ଅଧିକ ପୁଷ୍ଟିତତ୍ତ୍ୱ ସମାବେଶ କରିବା, ପୁଷ୍ଟିସାର ଯୋଗାଇବା ପାଇଁ ଅଧିକ ଡାଲି ଜାତୀୟ ଓ ତୈଳବୀଜ ଫସଲ ଚାଷ ସହିତ ନିଜ ବାଡ଼ିରେ ପନିପରିବା ଚାଷ ମାଧ୍ୟମରେ ପୁଷ୍ଟିବର୍ଦ୍ଧନକୁ ଅଗ୍ରାଧିକାର ଦେବାକୁ ହେବ। ଜମିର ସଦୁପଯୋଗ କରି ପ୍ରତ୍ୟେକ ଚାଷୀ ଡାଲି, ତୈଳବୀଜ, ମାଣ୍ଡିଆ ଭଳି କ୍ଷୁଦ୍ର ଶସ୍ୟ, ପନିପରିବା, ଫଳ, ଦୁଗ୍ଧ, ଅଣ୍ଡା, ମାଂସ ଓ ମାଛ ଉତ୍ପାଦନ କରିବାକୁ ହେବ।

ପୁଷ୍ଟିକର ଖାଦ୍ୟ ଉତ୍ପାଦନ କରାଗଲେ କୃଷକମାନେ ନିଜ ପରିବାର ସଦସ୍ୟଙ୍କ ପୁଷ୍ଟିସାଧନ କରିବା ସହିତ ସ୍ଥାନୀୟ ବଜାରକୁ ବିବିଧ ପୁଷ୍ଟିକର ଖାଦ୍ୟ ଯୋଗାଇବା ସମ୍ଭବ ହେବ। ଫଳରେ ଯେଉଁ ଅଧିକ ରୋଜଗାର ହେବ, ତାହାକୁ କୃଷକ ପରିବାର ପୁଷ୍ଟିକର ଖାଦ୍ୟସାମଗ୍ରୀ କିଣିବା, ସ୍ୱାସ୍ଥ୍ୟ ସେବା ପାଇବା ଓ ସ୍ୱଚ୍ଛ ପରିବେଶରେ ରହିବାରେ ଖର୍ଚ୍ଚ କରିପାରିବେ। ଗ୍ରାମାଞ୍ଚଳ ଚାଷୀ ହାତକୁ ଅଧିକ ଦୁଇ ପଇସା ଆସିଲେ, ଗ୍ରାମ୍ୟ ଅର୍ଥନୀତି ଚଳଚଞ୍ଚଳ ରହିବ ଓ ସମସ୍ତ ଗ୍ରାମବାସୀ ଉପକାର ପାଇବେ। କୃଷି କ୍ଷେତ୍ରରେ ମହିଳା ଚାଷୀଙ୍କ ଭାଗୀଦାର ବଢୁଛି। ମହିଳାଙ୍କ ହାତକୁ ଅଧିକ ଅର୍ଥ ଆସିଲେ, ତାହା ସେମାନେ ପୁଷ୍ଟିକର ଖାଦ୍ୟ ତଥା ସ୍ୱାସ୍ଥ୍ୟ ପାଇଁ ଖର୍ଚ୍ଚ କରିବେ। ସବୁଠୁ ବଡ଼କଥା ହେଲା ପୁଷ୍ଟି ସାକ୍ଷରତା। ଏଥିପାଇଁ, ମହିଳାମାନଙ୍କ ମଧ୍ୟରେ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି ପାଇଁ ବାରମ୍ବାର ଆଲୋଚନା ହେବା ଆବଶ୍ୟକ ହେବ।

ଆଦିବାସୀମାନେ କହନ୍ତି ଯେ ‘ଭାତ ଖାଇଲେ ପେଟ ପୂରେ, କିନ୍ତୁ ଟେକେ ନାହିଁ। ଫଳରେ ଆମକୁ ଶୀଘ୍ର ଭୋକ ଲାଗେ ଏବଂ ଆମେ କ୍ଳାନ୍ତ ଅନୁଭବ କରୁ। ଆମେ ମାଣ୍ଡିଆ ଖାଇଥିଲେ, ପ୍ରତିଦିନ ପାହାଡ ଟାଳିଦେବାର ଶକ୍ତି ପାଉ ।’ ସତରେ, ମାଣ୍ଡିଆ ଜାତୀୟ କ୍ଷୁଦ୍ରଶସ୍ୟରେ ପୁଷ୍ଟିସାର, ଭିଟାମିନ୍-ବି ଏବଂ ମ୍ୟାଗ୍ନେସିୟମ୍, ପୋଟାସିୟମ୍, ଜିଙ୍କ, ତମ୍ବା ଏବଂ ମାଙ୍ଗାନିଜ୍ ଭଳି ଖଣିଜ ଲବଣ ପ୍ରଚୁର ପରିମାଣରେ ଥାଏ। ୧୦୦ ଗ୍ରାମ ଓଜନର ବାଜରାରୁ ପ୍ରସ୍ତୁତ ଜଳଖିଆରେ ବୟସ୍କମାନଙ୍କ ପାଇଁ ଦୈନିକ ଆବଶ୍ୟକ ହେଉଥିବା ଲୌହ ଖଣିଜ ଶତ ପ୍ରତିଶତ ମିଳିଯାଏ। ୧୦୦ ଗ୍ରାମ ମାଣ୍ଡିଆରେ ତାହାର ଅଧା ଲୌହ ଖଣିଜ ରହିଥାଏ। ସ୍ତନ୍ୟପାନ କରାଉଥିବା ମା’ମାନଙ୍କ ଆବଶ୍ୟକତାର ଏକ ତୃତୀୟାଂଶ କ୍ୟାଲସିୟମ ମଧ୍ୟ ଏତିକି ମାଣ୍ଡିଆରୁ ମିଳିଯାଏ। ପୁଷ୍ଟି-ସମ୍ବେଦନଶୀଳ କୃଷି ଖସଡାରେ କ୍ଷୁଦ୍ରଶସ୍ୟ ଚାଷ ଅଧିକ ମହତ୍ତ୍ବପୂର୍ଣ୍ଣ।

ଜୈବ ପ୍ରଯୁକ୍ତିବିଦ୍ୟା ପ୍ରୟୋଗକରି ପାରମ୍ପରିକ କିସମ ଅପେକ୍ଷା ଅଣୁଖଣିଜ ଲବଣ ସମୃଦ୍ଧ କିସମ ସୃଷ୍ଟି କରାଯାଇ ପାରୁଥିବାରୁ ବ୍ୟୟବହୁଳ ହେଲେ ମଧ୍ୟ ଏପରି ନୂତନ ବିହନ ସୃଷ୍ଟି କରାଚାଲିଛି। ନୂତନ କିସମର ଖାଦ୍ୟଶସ୍ୟ, କ୍ଷୁଦ୍ର ଶସ୍ୟ, ପରିବା ଚାଷ ଏବେ ସମ୍ଭବ ହେଲାଣି । ଏହା ବ୍ୟତୀତ ଖଣିଜ-ଲବଣ ମିଶ୍ରିତ ରାସାୟନିକ ଓ ଜୈବିକ ସାର ପ୍ରୟୋଗ କରାଗଲେ, ଖାଦ୍ୟଶସ୍ୟରେ ଖଣିଜ-ଲବଣ ମାତ୍ରା ବୃଦ୍ଧି ପାଇଥାଏ। ଏପରି ଅତ୍ୟାଧୁନିକ କୃଷି-କୌଶଳ ପ୍ରୟୋଗ କରାଯାଇ ପୁଷ୍ଟିକର ଖାଦ୍ୟ ଉତ୍ପାଦନ ସ୍ଥିତିରେ ଉନ୍ନତି ଆଣିବା ପାଇଁ ପ୍ରଚେଷ୍ଟା ଜାରି ରହିଛି। ଖାଦ୍ୟରନ୍ଧନ, ପ୍ରକ୍ରିୟାକରଣ ଏବଂ ସଂରକ୍ଷଣ ପରେ ଖାଦ୍ୟରେ ସମାନ ଅଣୁସାରଗୁଡିକର ଜୈବ-ଉପଲବ୍ଧତା ଜାରି ରହିଲେ, ଖଣିଜ ଲବଣ କାରଣରୁ ବର୍ଦ୍ଧିତ ଜନସଂଖ୍ୟା ସତ୍ତ୍ୱେ ଆମେ ଖାଦ୍ୟ ସୁରକ୍ଷା ଯୋଗାଇ ପାରିବା ସହ ପୁଷ୍ଟିକର ଖାଦ୍ୟ ସାମଗ୍ରୀ ମଧ୍ୟ ଉତ୍ପାଦନ ଓ ଯୋଗାଣ କରି ପାରିବା । ଜିଙ୍କ ଓ ଲୌହଲବଣ ସମୃଦ୍ଧ ୯ ଟି ଧାନ କିସମ ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ବାହାର କରିଛି। ଜୈବ ପ୍ରଯୁକ୍ତିବିଦ୍ୟା ପ୍ରୟୋଗରେ ବିକଶିତ କିସମଗୁଡିକ ପାରମ୍ପରିକ କିସମ ଅପେକ୍ଷା ଅଧିକ ପୁଷ୍ଟିକର ସାବ୍ୟସ୍ତ ହୋଇଛି।

ଭାରତ ଡାଲି ଓ ତୈଳବୀଜ ଉତ୍ପାଦନ କ୍ଷେତ୍ରରେ ପଛୁଆ। ଅନେକ ଯୋଜନା ସତ୍ତ୍ୱେ ଭାରତ ବାର୍ଷିକ ୧୪.୦୧ ନିୟୁତ ଟନ୍ ଖାଇବା ତେଲ ଆମଦାନୀ କରେ । ଆତ୍ମନିର୍ଭର ହେବା ପାଇଁ ଆମକୁ ଅଧିକ ଡାଲି ଓ ତୈଳବୀଜ ଉତ୍ପାଦନ କରିବାକୁ ପଡିବ। ତାହା ନହେଲେ, ଆମେ ଅପପୁଷ୍ଟି ଜନିତ ନିନ୍ଦା ପାଇ ଚାଲିଥିବା । ଅପପୁଷ୍ଟ ପିଲାମାନେ ଠିକ୍ ଭାବରେ ବଢି ପାରନ୍ତି ନାହିଁ କିମ୍ବା ବିକଶିତ ନହୋଇ, ରୋଗରେ ପୀଡିତ ହୁଅନ୍ତି । ବୟସ ବଢିଲେ, ସେମାନେ ଖର୍ବକାୟ, କମ୍ ଉତ୍ପାଦନକ୍ଷମ ହୋଇ ରୋଜଗାରର ସୁଯୋଗ ପାଇନଥା’ନ୍ତି। ପୁଷ୍ଟିହୀନ ମହିଳାମାନେ ଅଳ୍ପ ଓଜନ ବିଶିଷ୍ଟ ଶିଶୁମାନଙ୍କୁ ଜନ୍ମ ଦିଅନ୍ତି । ଏଣୁ ଆଗାମୀ ଦିନରେ ଆମକୁ ପୁଷ୍ଟିକର ଖାଦ୍ୟ ସୁରକ୍ଷା ଦେବାକୁ ହେବ, କେବଳ ଖାଦ୍ୟ ସୁରକ୍ଷା ଯଥେଷ୍ଟ ହେବନାହିଁ।

Comments are closed.