www.samajalive.in
Tuesday, December 9, 2025
17.1 C
Bhubaneswar

ବୁଲନ୍ଦସହର ହିଂସା ମାମଲା ; ମୁଖ୍ୟ ଅଭିଯୁକ୍ତ ଯୋଗେଶ ଗିରଫ

ନୂଆଦିଲ୍ଲୀ/ଲକ୍ଷ୍ନୌ : ଗୋହତ୍ୟା ସନ୍ଦେହରେ ବୁଲନ୍ଦସହରରେ ସୃଷ୍ଟ ହିଂସାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଯୋଗେଶ ରାଜଙ୍କୁ ପୁଲିସ ଗୁରୁବାର ଗିରଫ କରିଛି। ଘଟଣା ପରଠାରୁ ତିନି ଦିନ ଧରି ଫେରାର ଥିବା ଯୋଗେଶଙ୍କ ବିରୋଧରେ ହିଂସା ସୃଷ୍ଟି କରିବାର ଅଭିଯୋଗ ରହିଛି। ହିଂସାକାଣ୍ଡ ପଛରେ ଏକ ବୃହତ ଷଡ଼ଯନ୍ତ୍ର ଥିବା ରାଜ୍ୟ ପୁଲିସ ମହାନିର୍ଦେଶକ ଓ. ପି ସିଂହ ସନ୍ଦେହ ପ୍ରକାଶ କରିଛନ୍ତି। ଗୋ-ଦେହାବଶେଷ ଉଦ୍ଧାର ହୋଇଥିବା ମାହାୱା ଗ୍ରାମଠାରୁ ୪୦ କିଲୋମିଟର ଦୂରରେ ଏକ ସମ୍ମେଳନ ‘ତାବ୍ଲିଗି ଇଜତେମା’ ପାଇଁ ଲକ୍ଷାଧିକ ମୁସଲମାନ ଏକତ୍ର ହୋଇଥିଲେ। ଏହାର ଅନ୍ତିମ ଦିନରେ ସୋମବାର ବୁଲନ୍ଦସହର ହିଂସାକାଣ୍ଡ ଘଟିଥିବାରୁ ସନ୍ଦେହ ଅଧିକ ଘନିଭୂତ ହୋଇଛି। ପୁଲିସ ପକ୍ଷରୁ ଗୋହତ୍ୟା ଏବଂ ହିଂସା ଅଭିଯୋଗରେ ଦୁଇଟି ଏତଲା ରୁଜୁ ହୋଇଥିବାବେଳେ ଅଧିକାଂଶ ସ୍ଥାନୀୟ ଲୋକ ଗିରଫ ଭୟରେ ଘରୁ ବାହାରକୁ ବାହାରୁନାହାନ୍ତି। ଅନ୍ୟପଟେ ହିଂସାରେ ପ୍ରାଣ ହରାଇଥିବା ପୁଲିସ ଅଧିକାରୀ ସୁବୋଧ କୁମାର ସିଂହଙ୍କ ପରିବାର ଗୁରୁବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଛନ୍ତି। ପରିବାରର ଜଣେ ବ୍ୟକ୍ତିଙ୍କୁ ନିଯୁକ୍ତି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି। ଏହାବ୍ୟତୀତ ସୁବୋଧଙ୍କ ପତ୍ନୀଙ୍କୁ ୪୦ଲକ୍ଷ ଏବଂ ମାତା-ପିତାଙ୍କୁ ୧୦ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି।
ଅପରପକ୍ଷରେ ସାମାଜିକ ଗଣମାଧ୍ୟମରେ ଯୋଗେଶଙ୍କର ଏକ ଭିଡିଓ ପ୍ରସାରିତ ହୋଇଛି। ଏଥିରେ ଯୋଗେଶ ନିଜକୁ ନିର୍ଦୋଷ ଦର୍ଶାଇଛନ୍ତି। ଘଟଣାସ୍ଥଳରେ ସେ ଉପସ୍ଥିତ ନ ଥିଲେ ମଧ୍ୟ ପୁଲିସ ତାଙ୍କୁ ଅଭିଯୁକ୍ତ ଦର୍ଶାଇ ତାଙ୍କର ଭାବମୂର୍ତ୍ତି ଖରାପ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି। ଯୋଗେଶ କହିଛନ୍ତି ମହୱ ଗ୍ରାମରେ ଗୋହତ୍ୟା ଖବର ପାଇ ସେ କିଛି ସମର୍ଥକଙ୍କ ସହିତ ସେଠାରେ ପହଞ୍ଚିଥିଲେ। ପରେ ଏ ନେଇ ମାମଲା ରୁଜୁ କରିବାକୁ ସିଆନା ଥାନାକୁ ଯାଇଥିଲେ। ସେଠାରେ ଉପସ୍ଥିତ ଥିବାବେଳେ ଗ୍ରାମବାସୀ ଟେକାପଥର ମାଡ ଆରମ୍ଭ଼ କରିଥିବା ଏବଂ ଜଣେ ଯୁବକ ତଥା ପୁଲିସ ଅଧିକାରୀ ସୁବୋଧ କୁମାର ସିଂହଙ୍କୁ ଗୁଳିମାଡ଼ ହୋଇଥିବା ଶୁଣିବାକୁ ପାଇଥିଲେ। ଗୁଳିମାଡ଼ ସମୟରେ ସେ ଘଟଣାସ୍ଥଳରେ ଉପସ୍ଥିତ ନ ଥିଲେ ବୋଲି ଯୋଗେଶ ଦୃଢୋକ୍ତି ପ୍ରକାଶ କରିଛନ୍ତି। ସେହିଭଳି ହିଂସାକାଣ୍ଡ ସହିତ ଯୋଗେଶଙ୍କ ସମ୍ପୃକ୍ତି ନ ଥିବା ବଜରଙ୍ଗ ଦଳ ପାଇଁ ଉତ୍ତରପ୍ରଦେଶ ପଶ୍ଚିମାଞ୍ଚଳ ପ୍ରଭାରୀ ପ୍ରବୀଣ ଭାଟି ଦର୍ଶାଇଛନ୍ତି। ଯୋଗେଶ ପୁଲିସକୁ ଉପଯୁକ୍ତ ସହଯୋଗ କରି ମାମଲାରୁ ମୁକ୍ତ ହେବେ ବୋଲି ଭାଟି କହିଛନ୍ତି।
ହିଂସାରେ ପ୍ରାଣ ହରାଇଥିବା ଛାତ୍ର ସୁମିତ କୁମାର ପୁଲିସ ଉପରକୁ ଟେକାପଥର ମାଡ଼ କରିଥିବା ଗ୍ରାମବାସୀଙ୍କ ମଧ୍ୟରେ ସାମିଲଥିଲେ ବୋଲି ବୁଧବାର ଅନ୍‍ଲାଇନରେ ପ୍ରକାଶ ପାଇଥିବା ଅନ୍ୟ ଏକ ଭିଡିଓକୁ ଦେଖିବା ପରେ ସନ୍ଦେହ ସୃଷ୍ଟି ହୋଇଛି। ଭିଡିଓଟି ବାସ୍ତବ ଅଥବା ଏଥିରେ ଜାଲିଆତି ହୋଇଛି ତାହା ଏ ଯାବତ୍‍ ସ୍ପଷ୍ଟ ହୋଇନାହିଁ। ପୁଲିସ ଏହାକୁ ଯାଞ୍ଚ କରୁଛି। ବୁଲନ୍ଦସହର ହିଂସା ସମ୍ବନ୍ଧୀୟ ଏକାଧିକ ଭିଡିଓ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଛି। ଚିଙ୍ଗରାୱାଠି ଗ୍ରାମ ନିକଟସ୍ଥ ଜଙ୍ଗଲରେ ୨୫ ଗୋ-ଦେହାବଶେଷ ମିଳିବା ପରେ ଗୋହତ୍ୟା ସନ୍ଦେହ କରି ୪୦୦ରୁ ଊର୍ଦ୍ଧ୍ବ ଲୋକ ଏଠାରେ ହିଂସାକାଣ୍ଡ ଘଟାଇଥିଲେ। ଏମାନଙ୍କ ମଧ୍ୟରୁ ଅଧିକାଂଶ ଦକ୍ଷିଣପନ୍ଥୀ ସଙ୍ଗନର ସଦସ୍ୟ ଥିଲେ ବୋଲି ପୁଲିସ ଏତଲାରେ ଉଲ୍ଲେଖ କରିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories