www.samajalive.in
Wednesday, December 10, 2025
26.1 C
Bhubaneswar

ସରିଲା କୋଣାର୍କ ଉତ୍ସବ : ଓଡ଼ିଶୀରେ ମତ୍ସ୍ୟାବତାର, କଥକରେ କୃଷ୍ଣଭକ୍ତି ଗାଥା

ଗୋପ : ପାଞ୍ଚଦିନ ବ୍ୟାପୀ ଚାଲୁଥିବା ଆନ୍ତର୍ଜାତିକ କୋଣାର୍କ ନୃତ୍ୟ ଉତ୍ସବର ବୁଧବାର ଯବନିକା ପଡ଼ିଛି। ଶେଷ ସନ୍ଧ୍ୟାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ପର୍ଯ୍ୟଟନ ସଚିବ ବିଶାଲ ଦେବ, ନିର୍ଦେଶିକା ଅର୍ଚ୍ଚନା ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ। ଆଲୋକର ସୁନ୍ଦର ପରିପାଟୀ ଓ ସାଜସଜ୍ଜାକୁ ନେଇ ମୁକ୍ତାକାଶ ରଙ୍ଗମଞ୍ଚ ଯେତିକି ବର୍ଣ୍ଣାଢ୍ୟ ଥିଲା ମଞ୍ଚରୁ ପରିବେଷିତ ଶାସ୍ତ୍ରୀୟ ନୃତ୍ୟର ଝଙ୍କାର ଓ ଆବେଦନ ସେତିକି ଭାବମୟ ଥିଲା। ଘୁଙ୍ଗୁରର ତାଳେ ତାଳେ ମୁକ୍ତାକାଶ ମଞ୍ଚ ଝଙ୍କୃତ ହୋଇପଡ଼ିଥିଲା। କଥକ ନୃତ୍ୟରେ ‘ଦୁର୍ଗାସ୍ତୁତି’ ନେଇ କୁମୁଦିନୀ ଲାଖିଆ ଓ ସାଥୀ ଶିଳ୍ପୀ ମଞ୍ଚ ପ୍ରବେଶ କରିଥିଲେ। ପରେ କଥକ ଶୈଳୀରେ ଉପସ୍ଥାପିତ ହୋଇଥିଲା ‘ଧମାର’। ମୀରାବାଈଙ୍କ ଭଜନ ଆଧାରରେ ପ୍ରସ୍ତୁତ ହୋଇଥିଲା କୃଷ୍ଣଭକ୍ତିର ମାର୍ମିକ ଉପସ୍ଥାପନା ‘ବରଷେ ବଦରିୟା ସାୱନ କି’। ତାଳ ଛନ୍ଦର ମିଶ୍ର ରାଗକୁ ନେଇ ଦଳଗତ ପରିବେଷଣ ‘ଆକର’ ଓ ଶେଷରେ ତରାନାକୁ ଭେଟି ଦେଇଥିଲେ ଗୁଜୁରାଟ-ଅହମ୍ମଦାବାଦର କଥକ ଅନୁଷ୍ଠାନ କଦମ୍ବର ଶିଳ୍ପୀଗଣ।
ଦ୍ୱିତୀୟ ଚରଣରେ ସୁରେଶ ସେଠୀଙ୍କ ସଙ୍ଗୀତ ସଂଯୋଜନା, ପ୍ରଫୁଲ୍ଲ ମଙ୍ଗରାଜଙ୍କ ତାଳବେଦ ରଚନା, ରଞ୍ଜନା ଗହ୍ୱରଙ୍କ ନୃତ୍ୟ ସଂଯୋଜନାରେ ଓଡ଼ିଶୀ ନୃତ୍ୟରେ ‘ମତ୍ସ୍ୟ ଅବତାର’ ମଞ୍ଚାୟନ କରିଥିଲେ ପଦ୍ମଶ୍ରୀ ରଞ୍ଜନା ଗହ୍ୱର ଓ ସାଥୀ ଶିଳ୍ପୀ।
ବିଷ୍ଣୁ ପୁରାଣ ଦଶାବତାର ଅଧୀନ ପ୍ରଥମ ତତ୍ତ୍ୱ ମତ୍ସ୍ୟ ଅବତାର ଈଶ୍ୱରଙ୍କ ସର୍ଜନାର ସ୍ଥିତି ଓ ଜୀବନ ଚକ୍ରର ଆବେଦନକୁ ସ୍ପଷ୍ଟ କରିଛି। ପୁରାଣର ଏହି ସୁନ୍ଦର ବୃତ୍ତାନ୍ତ ମାଧ୍ୟମରେ ପ୍ରକୃତି ଓ ପରିବେଶ ସୁରକ୍ଷାର ବାର୍ତ୍ତା ଦେଇଥିଲେ ଓଡ଼ିଶୀ ନୃତ୍ୟାଙ୍ଗନା ଗଣ। ଶେଷ ଦିବସରେ ପ୍ରବଳ ଜନସମାଗମ ହୋଇଥିବାବେଳେ ଗ୍ୟାଲେରି ପରିପୂର୍ଣ୍ଣ ଥିବା ଦେଖିବାକୁ ମିଳିଥିଲା।
କାର୍ଯ୍ୟକ୍ରମକୁ ପର୍ଯ୍ୟଟନ ବିଭାଗ ଯୁଗ୍ମ ସଚିବ ଶୁଭ୍ରା ମହାନ୍ତି, ଯୁଗ୍ମ ନିର୍ଦେଶକ ଉତ୍ପଳ ପତି, ସହନିର୍ଦେଶକ ବିଜୟ ଜେନା, କୋଣାର୍କ ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ, ଅଧିକାରୀ ରତିକାନ୍ତ ପଟ୍ଟନାୟକ, ଡ. ସୁନୀଲ କୁମାର ପଟ୍ଟନାୟକ, ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ ନିର୍ବାହୀ ସଙ୍ଗୀତା ଗୋସାଇଁ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ବିଜୟ କୁମାର ଜେନା ପ୍ରମୁଖ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମକୁ ଅଧ୍ୟାପକ ଡ. ମୃତ୍ୟୁଞ୍ଜୟ ରଥ ଓ ଡ. ସାଧନା ଶ୍ରୀବାସ୍ତବ ସଂଯୋଜନା କରିଥିଲେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories