ଭୁବନେଶ୍ୱର : ବିଧାନସଭା ଅଧିବେଶନର ୩୦ ଦିନ କାର୍ଯ୍ୟ ଦିବସକୁ ଶାସକ ବିଜେଡି ୫ ଦିନରେ ଶେଷ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପୁରୋହିତ କହିଛନ୍ତି ଯେ ଚଳିତ ବିଧାନସଭାରେ ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବାର ଥିଲା। ରାଜ୍ୟର ଚାଷୀ, ଶିକ୍ଷକ, ଯୁବକ, ଛାତ୍ର ସମାଜର ସମସ୍ୟା ଉପରେ ଆଲୋଚନା କରିବାପାଇଁ ବିଜେପି ଚାହିଁଥିବାବେଳେ ରାଜ୍ୟସରକାର ୫ ଦିନରେ ଗୃହ କାର୍ଯ୍ୟ ବନ୍ଦ କରି ପଳାୟନପନ୍ଥୀର ଭୂମିକା ନିଭାଇଛନ୍ତି। ଯଦି କାର୍ଯ୍ୟ ଦିବସ ନଥିଲା ତେବେ ବିଧାନସଭାରେ ୩୦ ଦିନିଆ ଅଧିବେଶନ କାହିଁକି ଡକାଇଥିଲେ ବୋଲି ଶ୍ରୀପୁରୋହିତ ପ୍ରଶ୍ନ କରିଛନ୍ତି।
ସେ କହିଛନ୍ତି ଯେ ବଳରାମପୁରଠାରେ ବିୟର ଫ୍ୟାକ୍ର୍ଟି ପାଇଁ ଗଛ କଟାଯିବା ପ୍ରସଙ୍ଗକୁ ବିଜେପି ଉଠାଇବାରୁ ମୁଖ୍ୟମନ୍ତ୍ରୀ ବାଧ୍ୟହୋଇ ଗଛ କାଟିବା ବନ୍ଦ ନିର୍ଦେଶ ଦେଇଥିଲେ। କିନ୍ତୁ ଦୁର୍ଭାଗ୍ୟର ବିଷୟ ବିରୋଧୀ କଂଗ୍ରେସ ଶାସକ ଦଳ ନିର୍ଦେଶରେ କାର୍ଯ୍ୟକରୁଛି। କଂଗ୍ରେସ ବିଜେଡିର ଅଘୋଷିତ ମେଣ୍ଟ ପର୍ଦ୍ଦାଫାଶ ହୋଇଛି। ଶାସକ ଦଳ ପକେଟରେ କଂଗ୍ରେସ ରହିଛି ବୋଲି ଶ୍ରୀ ପୁରୋହିତ କହିଛନ୍ତି।
ଚାଷୀ ଆତ୍ମହତ୍ୟା,କୃଷି ଋଣ,ମରୁଡି ପରିସ୍ଥିତି, ଚକଡା ପୋକ, ଭାଗ ଚାଷୀମାନଙ୍କୁ ମାନଙ୍କର ସମସ୍ୟା ,ପିସି କାରବାର, ବେକାରୀ ସମସ୍ୟା ବୃଦ୍ଧି, ନାବାଳିକା ବଳାତ୍କାର ବୃଦ୍ଧି ଘଟଣା ,ବିଦ୍ୟୁତ୍ ଯୋଗାଣ କମ୍ପାନୀ ସେସୁରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଏବଂରାଜନୈତିକ ଉଦ୍ଦେଶ୍ୟ ରଖି ମୋଦୀ ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ରାଜ୍ୟସରକାର ରାଜ୍ୟରେ ଲାଗୁ କରୁନାହାନ୍ତି। ଏଭଳି ଅନେକ ପ୍ରସଙ୍ଗକୁ ସାମ୍ନା କରିପାରୁନଥିବା ଭୟରେ ରାଜ୍ୟସରକାର ବିଧାନସଭାକୁ ବନ୍ଦ କରିଛନ୍ତି ବୋଲି ଶ୍ରୀ ପୁରୋହିତ କହିଛନ୍ତି। ସମ୍ମିଳନୀରେ ବିଧାୟିକା ରାଧାରାଣୀ ପଣ୍ଡା, ରାଜ୍ୟ ଉପସଭାପତି ସମୀର ମହାନ୍ତି ଏବଂ ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
ବିଧାନସଭା ଅଧାରୁ ବନ୍ଦ ପ୍ରସଙ୍ଗ ; ଅପାରଗତାକୁ ଲୁଚାଇବାକୁ ବିଜେଡି ଭୟଭୀତ : ବିଜେପି
Popular Categories



