ନୂଆଦିଲ୍ଲୀ: ବହୁପ୍ରତୀକ୍ଷିତ ମହିଳା ସଂରକ୍ଷଣ ବିଧେୟକ ଲୋକସଭାରେ ଆଗତ ହୋଇଛି। ମଙ୍ଗଳବାର ନୂଆ ସଂସଦର ପ୍ରଥମ ଅଧିବେଶନରେ ଏହି ବିଧେୟକ ଉପସ୍ଥାପନ କରିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଲୋକସଭାରେ ମହିଳା ସଂରକ୍ଷଣ ବିଲ୍କୁ ଆଗତ କରିଛନ୍ତି। ମହିଳାମାନଙ୍କୁ ଉଭୟ ଲୋକସଭା ଓ ରାଜ୍ୟ ବିଧାନସଭାରେ ୩୩% ସଂରକ୍ଷଣ ଦେବାକୁ ଏହି ବିଲ୍ରେ ବ୍ୟବସ୍ଥା ହୋଇଥିବା ଜଣାପଡ଼ିଛି। ମହିଳା ସଂରକ୍ଷଣ ବିଲ୍ ସଂପର୍କରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା କରିଛନ୍ତି। ମହିଳା ସଂରକ୍ଷଣ ବିଲ୍ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ହେବ ବୋଲି ସେ କହିଛନ୍ତି। ଲୋକସଭାରେ ଆଜି ବିଲ୍ ଆଗତ ହୋଇଥିବା ବେଳେ ଏହା ଉପରେ ଆସନ୍ତାକାଲି ବିତର୍କ ହେବ। ବିଲ୍ ଆଗତ ହେବା ପରେ ଲୋକସଭାକୁ ଆସନ୍ତାକାଲି ଯାଏ ମୁଲତବୀ ରଖାଯାଇଛି।
ଅପରପକ୍ଷେ, ଏହି ବିଧେୟକକୁ ସର୍ବସମ୍ମତିକ୍ରମେ ପାରିତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିବେଦନ କରିଛନ୍ତି। ଐତିହାସିକ ମହିଳା ସଂରକ୍ଷଣ ବିଲ୍କୁ ସର୍ବସମ୍ମତିରେ ପାରିତ କରନ୍ତୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ମହିଳା ସଶକ୍ତିକରଣ ଦିଗରେ ଆଜିର ଦିନ ଐତିହାସିକ ହୋଇ ରହିବ ବୋଲି ସେ କହିଛନ୍ତି।



