ସମ୍ବଲପୁର: ପଶ୍ଚିମ ଓଡ଼ିଶାର ନିଆରା ପର୍ବ ମଧ୍ୟରେ ପୂରା ଉଆଁସ ଅନ୍ୟତମ। ଭାଦ୍ରବ ଅମାବାସ୍ୟ ତିଥିରେ ଏହି ପାରମ୍ପରିକ ପର୍ବକୁ ନେଇ ସମ୍ବଲପୁର ସମେତ ସମଗ୍ର ପଶ୍ଚିମ ଓଡ଼ିଶାର ପୂରପଲ୍ଲୀ ଗୁଡିକ ଚଳ ଚଞ୍ଚଳ ହୋଇ ଉଠିଥାଏ। ପ୍ରତ୍ୟେକ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବାଦେବୀଙ୍କ ପୀଠରେ ତିଥିରେ ସ୍ୱତନ୍ତ୍ର ପୂରା ଉଆଁସ ପୂଜାର୍ଚ୍ଚନା କରାଯିବା ସହିତ ଏହି ପର୍ବ ଆରମ୍ଭ ହୋଇଥାଏ। ଘରର ଛୋଟ ଛୋଟ ପୁଅ ପିଲା ମାନଙ୍କୁ କାଠ ଓ ମାଟିରେ ନିର୍ମିତ ହାତୀ, ଘୋଡା, ମାଙ୍କଡ, ଷଣ୍ଢ ଆଦିକୁ ଫୁଲ ଓ ସିନ୍ଦୁର ଦେଇ ସଜ୍ଜିତ କରିବା ପରେ ବନ୍ଦାଣ କରି ସେମାନଙ୍କୁ ଖେଳିବାକୁ ଦିଆଯାଇଥାଏ। ପୂଜା ଓ ବନ୍ଦାଣ ପରେ ପିଲା ମାନେ ନିଜ ସାହି ଅଞ୍ଚଳରେ ଉକ୍ତ ଖେଳନା ଗୁଡିକୁ ନେଇ ଖେଳି ଥାନ୍ତି। ପିଲା ମାନେ ନିଜ ନିଜର ହାତୀ, ଘୋଡା, ଷଣ୍ଢ ଗୁଡିକ ମଧ୍ୟରେ ଲଢ଼େଇ କରାଇ ଖେଳର ମଜା ନେଇଥାନ୍ତି। ଏଥି ସହ କୁନି କୁନି ଝିଅ ମାନଙ୍କ ଠାରୁ ନିଜର ହାତୀ ଘୋଡା ମାନଙ୍କ ପାଇଁ ଖାଦ୍ୟ ମଧ୍ୟ ମାଗିଥାନ୍ତି। ଅପରପଟରେ କୁନି କୁନି ଝିଅ ମାନେ ହାତରେ ଚାଙ୍ଗୁଡି ଓ କୂଲା ଧରି ଛୋଟ ଛୋଟ ମାଟି ନିର୍ମିତ ପାତ୍ରରେ ବିଭିନ୍ନ ଖାଦ୍ୟଶସ୍ୟ ଯଥା ମୁଗ, ମକା, ଶିମ୍ବ, କୋଳଥ, ଲିଆ, ସାତ ପ୍ରକାରର ଚଣା ଆଦି ଧରି ଖେଳ ସ୍ଥାନରେ ଏକତ୍ରିତ ହୋଇଥାନ୍ତି। ଛୁଆ ମାନେ ଖେଳର ମଜା ନେବା ସହିତ ଖାଦ୍ୟର ଆଦାନ ପ୍ରଦାନ କରିଥାନ୍ତି। ଏହି ନିଆରା ପରମ୍ପରା କୁଶାଣ ରାଜତ୍ୱ ସମୟକୁ ପାଳିତ ହୋଇ ଆସୁଥିବାର କୁହାଯାଇଥାଏ। ଏହି ପର୍ବ ପାଳନ ମାଧ୍ୟମରେ ପିଲା ମାନଙ୍କୁ ଯୁଦ୍ଧ କରିବା ଏବଂ ଝିଅ ମାନଙ୍କୁ ଘରକରଣାର ଶିକ୍ଷା ଛୋଟ ସମୟରୁ ଦିଆଯିବା ସହିତ ଭାଇଚାରର ପରମ୍ପରାର ବାର୍ତ୍ତା ଏବଂ ମିଳିମିଶି ଚଳିବାର ଶିକ୍ଷା ମଧ୍ୟ ପିଢ଼ି ପରେ ପିଢ଼ି ଧରି ଦିଆଯାଇ ଆସୁଛି। କିନ୍ତୁ ଆଜିର ଆଧୁନିକତାର ଚାକଚକ୍ୟ ମଧ୍ୟରେ ଏହି ପୁରାତନ ପରମ୍ପରା ଏବେ ବିଲୁପ୍ତ ପ୍ରାୟ ହୋଇ ଆସୁଥିବା ବେଳେ କିନ୍ତୁ ଆଜି ମଧ୍ୟ କିଛି ପରମ୍ପରା ସଚେତନ ବ୍ୟକ୍ତି ଏହାକୁ ଜୀବିତ ରଖିବାକୁ ଚେଷ୍ଟା କରୁଛନ୍ତି। ତେବେ ଆଜିର ଦିନରେ ଏଭଳି ଭାଇଚାରାର ନିଆରା ପର୍ବକୁ ଉଚିତ ସରକାରୀ ମାନ୍ୟତା ଓ ବଞ୍ଚାଇ ରଖିବାର ପ୍ରୟାସ ଅତ୍ୟନ୍ତ ଜରୁରୀ ହୋଇ ପଡ଼ିଛି। ନଚେତ ଏହା ଇତିହାସ ଗର୍ଭରେ ହଜିଯିବାର ଆଶଙ୍କା ରହିଛି।
Popular Categories



