• ୮୦୦ କୋଟି ଟଙ୍କା ବ୍ୟୟରେ ୫୦୦ ଏକର ପରିମିତ ଜମିରେ ଏହି ସ୍ଥାୟୀ କ୍ୟାମ୍ପସ ପ୍ରତିଷ୍ଠା ହେବ
• ଶିକ୍ଷାନୁଷ୍ଠାନରେ ଲଘୁଜାତ ବନଦ୍ରବ୍ୟ ଉପରେ ଅତ୍ୟାଧୁନିକ ଗବେଷଣା ହେବ
• ସଂଘୀୟ ବ୍ୟବସ୍ଥାରେ ଜନଜାତିଙ୍କ ବିକାଶ ଓ ଗରିବ କଲ୍ୟାଣ ଆମର ପ୍ରାଥମିକତା ହେଉ
ଚିନ୍ନାମେଦାପାଲ୍ଲୀ : ଆନ୍ଧ୍ର ପ୍ରଦେଶରେ ପ୍ରତିଷ୍ଠା ହେବାକୁ ଥିବା ‘କେନ୍ଦ୍ରୀୟ ଜନଜାତି ବିଶ୍ୱବିଦ୍ୟାଳୟ’ ଆନ୍ଧ୍ରପ୍ରଦେଶ ସମେତ ପଡୋଶୀ ଓଡ଼ିଶା ଓ ଛତିଶଗଡର ଜନଜାତି ସମୁଦାୟର ସାମଗ୍ରିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଏହି ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିବା ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଳ୍ପନା ଓ ଆନ୍ଧ୍ର ପ୍ରଦେଶ ସରକାରଙ୍କ ସହଯୋଗ କାରଣରୁ ଚିନ୍ନାମେଦାପାଲ୍ଲୀ ଠାରେ ୮୦୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ଏହି ସ୍ଥାୟୀ ଜନଜାତି କ୍ୟାମ୍ପସ ପ୍ରାୟ ୫୦୦ ଏକର ପରିମିତ ଜମିରେ ନିର୍ମାଣ ହେବ। ଆନ୍ଧ୍ର ସରକାର ଜାଗା ସମେତ, ବିଦ୍ୟୁତ, ରାସ୍ତା, ପାନୀୟ ଜଳ ସମେତ ଆନୁଷଙ୍ଗିକ ସୁବିଧା ଦେବ। ଏହି ସବୁକୁ ମିଶାଇଲେ ପ୍ରାୟ ପ୍ରାୟ ୨ ହଜାର କୋଟି ଟଙ୍କା ବ୍ୟୟରେ ଏକବିଂଶ ଶତାବ୍ଦୀର ନୂଆ ବାଲାଜୀ ମନ୍ଦିର ପ୍ରତିଷ୍ଠା କରୁଛୁ । ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବା ଦ୍ୱାରା ଓଡ଼ିଶା ସମେତ ଆନ୍ଧ୍ର ଓ ଛତିଶଗଡର ଜନଜାତିଙ୍କ କଲ୍ୟାଣ ହେବ। ଏହା ପ୍ରଧାନମନ୍ତ୍ରୀଙ୍କ ଜନଜାତି କଲ୍ୟାଣକୁ ବାସ୍ତବ ରୂପ ଦେବା ଦିଗରେ ଅନ୍ୟତମ ପଦକ୍ଷେପ ।
ଏହି ଶିକ୍ଷାନୁଷ୍ଠାନରେ ଲଘୁଜାତ ବନଦ୍ରବ୍ୟ ଉପରେ ଅତ୍ୟାଧୁନିକ ଗବେଷଣା ହେବ। ଜନଜାତି କଳା, ସଂସ୍କୃତି ସଙ୍ଗୀତ, ଉଦ୍ୟାନ କୃଷି, କୃଷି ବିଜ୍ଞାନ, ଖାଦ୍ୟପେୟ, ମିଲେଟ୍ ଉପରେ ମଧ୍ୟ ପ୍ରାଥମିକତା ଦିଆଯିବ। ଏହି ବିଶ୍ୱବିଦ୍ୟାଳୟ, ଦକ୍ଷତା, କ୍ରୀଡା, ଆପ୍ଲାଏଡ ଏଜ୍ୟୁକେସନ ଓ ବିକଶିତ ହେଉଥିବା ଟେକ୍ନୋଲୋଜିର ବିଶ୍ୱବିଦ୍ୟାଳୟ ହେବ। ଆଗାମୀ ଦିନରେ ଏହି ଶିକ୍ଷାନୁଷ୍ଠାନର ବିଦ୍ୟାର୍ଥୀମାନେ ଜାତୀୟ ଶିକ୍ଷା ନୀତି ଆଧାରରେ ଚନ୍ଦ୍ରଯାନ-୩ ଭଳି ବିଶ୍ୱରେ ନିଜ ପରିଚୟ ତିଆରି କରିବେ । ଆସନ୍ତା ଦିନରେ ଏହି ବିଶ୍ୱବିଦ୍ୟାଳୟ ହାଓ୍ୱାର୍ଡ ଓ ଅକ୍ସଫୋର୍ଡ ସହ ପ୍ରତିଯୋଗିତା କରାଇବା, ଏହା ଆମର ଲକ୍ଷ୍ୟ ହେଉ । ସଂଘୀୟ ବ୍ୟବସ୍ଥାରେ ଜନଜାତିଙ୍କ ବିକାଶ ଓ ଗରିବ କଲ୍ୟାଣରେ ବିଶେଷ ଭାବରେ ଶିକ୍ଷା କ୍ଷେତ୍ରରେ ଆମକୁ ମିଳିତ କାମ କରିବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଜାତୀୟ ଶିକ୍ଷା ନୀତିରେ ମାତୃଭାଷାକୁ ଗୁରୁତ୍ୱ ଦିଆଯାଇଛି । ଶିଶୁଙ୍କ ପ୍ରାରମ୍ଭିକ ପାଠପଢା ମାତୃଭାଷାରେ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଭାବନା ରହିଛି । ଏହା ଉପରେ ଗୁରୁତ୍ୱ ଦେବା ଦରକାର ବୋଲି ସେ କହିଛନ୍ତି ।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଆନ୍ଧ୍ରର କେନ୍ଦ୍ରୀୟ ଅନୁଦାନପ୍ରାପ୍ତ ଉଚ୍ଚ ଶିକ୍ଷାନୁଷ୍ଠାନର ଭିତ୍ତିଭୂମିର ବିକାଶ ନେଇ ଅଧିକାରୀଙ୍କ ସହ ସମୀକ୍ଷା କରିଥିଲେ।



