ତେଲକୋଇ : ବନ୍ୟା ଜଳ କମିବା ପରେ ସାମ୍ନାକୁ ଆସିଲା ମୃତଦେହ। ତେଲକୋଇ ଥାନା ଅନ୍ତର୍ଗତ ଶିବନାରାୟଣପୁର ଗୋଡା-ତାଳପଦା ରାସ୍ତାର ହାତୀମୁଣ୍ଡାର ପଥୁରିଆ ନାଳ ଘୁସୁରା ପୋଲରୁ ମିଳିଛି ଜଣେ ଯୁବକଙ୍କ ମୃତଦେହ। ନାଳ ପାର ହେବା ବେଳେ ବୁଡିଯାଇ ଯୁବକଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଶିବନାରାୟଣପୁର ଗୋଡା ପଞ୍ଚାୟତ ମୁଖ୍ୟାଳୟରୁ ତାଳପଦା ପଞ୍ଚାୟତକୁ ଯିବା ପାଇଁ ଥିବା ଜଙ୍ଗଲ ରାସ୍ତାର ହାତୀମୁଣ୍ଡାଠାରେ ରହିଛି ପଥୁରିଆ ନାଳ। ବୁଧବାର ହୋଇଥିବା ଲଗାଣ ବର୍ଷା ଜନିତ ବନ୍ୟାରେ ତେଲକୋଇ ଅଞ୍ଚଳର ସମସ୍ତ ନଦୀ ନାଳ କରାଳ ରୂପ ଧାରଣ କରିଥିବା ବେଳେ ପାହାଡ଼ି ଝରଣା ମଧ୍ୟ ଦୁଇ କୂଳ ଲଙ୍ଘି ବହୁଥିଲା। ବଢି ଖସିବା ପରେ ଗୁରୁବାର ସକାଳେ ଛେଳି ଏବଂ ଗୋରୁ ଚରେଇବାକୁ ଯାଇଥିବା ଲୋକେ ନାଳର ଘୁସୁରା ପୋଲରେ ଜଣେ ଯୁବକଙ୍କ ମୃତଦେହ ପଡିଥିବା ଦେଖିଥିଲେ। ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ। ତେବେ ସେ ହାତରେ ଏକ ଚପଲ ଧରିଥିବା ବେଳେ ନିକଟରେ ଏକ ଛତା ପଡିଥିବା ଦେଖିବାକୁ ମିଳିଛି। ପାରିପାର୍ଶ୍ବିକ ପରିସ୍ଥିତିରୁ ଯୁବକ ଜଣକ ବଢି ସମୟରେ ନଦୀ ପାର ହେଉଥିବା ବେଳେ କୌଣସି କାରଣରୁ ବଢି ପାଣିରେ ବୁଡିଯାଇଥିବା ଅନୁମାନ କରାଯାଉଛି।
Popular Categories



