www.samajalive.in
Thursday, December 11, 2025
26.1 C
Bhubaneswar

ମହାପ୍ରଭୁଙ୍କ ବନକଲାଗି ବନ୍ଦ

ପୁରୀ : ଅଟକିଛି ମହାପ୍ରଭୁଙ୍କ ବନକଲାଗି ସେବା। ଏହି ଘଟଣା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ବ୍ୟଥିତ କରିଛି। ଗୁରୁବାର ଶ୍ରୀଜୀଉଙ୍କ ବନକଲାଗି ପାଇଁ ଦତ୍ତ ମହାପାତ୍ର ସେବକ ଜିଦ୍‌ ଧରିଥିବାବେଳେ ମନ୍ଦିର ପ୍ରଶାସନ ବୁଧବାର ପାଇଁ ବାରମ୍ବାର ନିର୍ଦେଶନାମା ଜାରି କରୁଛି। କେହି କାହା ଜିଦ୍‌ରୁ ପଛକୁ ହଟୁ ନଥିବାରୁ ୨୭ଦିନ ଧରି ଦାରୁବ୍ରହ୍ମଙ୍କ ବନକଲାଗି ହୋଇପାରୁନାହିଁ। ତେଣୁ ଏ ସମ୍ପର୍କରେ ଆଲୋଚନା ପାଇଁ ଶୁକ୍ରବାର ଶ୍ରୀମନ୍ଦିର ନୀତି ସବ୍‌କମିଟି ବୈଠକ ଡକାଯାଇଛି। ବୁଧବାର ବନକଲାଗି କରିବାକୁ ଦତ୍ତ ମହାପାତ୍ର ସେବକ ନିଯୋଗ ଯଦି ଲିଖିତ ପ୍ରତିଶ୍ରୁତି ଦିଅନ୍ତି ବିଚାର କରାଯିବ ବୋଲି ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ କହିଛନ୍ତି। ତେବେ ଗୁରୁବାର ଶ୍ରୀଜୀଉଙ୍କ ବନକଲାଗି କରିବାକୁ ସେମାନେ ପ୍ରସ୍ତୁତ ଥିଲେ ମଧ୍ୟ ମନ୍ଦିର ପ୍ରଶାସନ ଅନୁମତି ଦେଇନଥିବା ଦତ୍ତ ମହାପାତ୍ର ନିଯୋଗ ସମ୍ପାଦକ ମଦନ ମୋହନ ଦତ୍ତ ମହାପାତ୍ର କହିଛନ୍ତି। ମନ୍ଦିର ପ୍ରଶାସନ ଏବଂ ଦତ୍ତ ମହାପାତ୍ରଙ୍କ ମଧ୍ୟରେ ଏଭଳି ଜିଦ୍‌ ଯୋଗୁ ମାମଲା ଅଦାଲତକୁ ଯିବା ସମ୍ଭାବନା ରହିଛି।
ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଆସିଥିବା ବହୁ ଭକ୍ତ ଗୁରୁବାର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ମନ୍ଦିର ପ୍ରଶାସନ ଜାରି କରିଥିବା କାରଣ ଦର୍ଶାଅ ନୋଟିସର ଜବାବ ଦାଖଲ କରିଛି ଦତ୍ତ ମହାପାତ୍ର ନିଯୋଗ। ତେବେ ତାହା ସନ୍ତୋଷଜନକ ହୋଇନଥିବା ଦର୍ଶାଇ ମନ୍ଦିର ପ୍ରଶାସନ ଅଗ୍ରାହ୍ୟ କରିଦେଇଛି। ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ମନ୍ଦିର ପ୍ରଶାସନ ଆଇନଗତ ପ୍ରକ୍ରିୟା ଆରମ୍ଭ କରିଛି। ଶୁକ୍ରବାର ନୀତି ସବ୍‌କମିଟି ବୈଠକ ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ। ମନ୍ଦିର ପ୍ରଶାସନ ଏବଂ ଦତ୍ତ ମହାପାତ୍ର ସେବକଙ୍କ ମଧ୍ୟରେ ଏଭଳି ଜିଦିବାଦ ଯୋଗୁ ଶ୍ରୀଜୀଉଙ୍କ ନୀତି ଅଟକିବା ଏହା ପ୍ରଥମ ଘଟଣା। ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ଏବଂ ଶ୍ରୀମନ୍ଦିର ପରିଚାଳନା କମିଟିର ସ୍ଥାୟୀ ସଭାପତି ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମୁହଁ ଖୋଲୁ ନାହାନ୍ତି। ଶ୍ରୀମନ୍ଦିର ସ୍ୱତ୍ୱଲିପି ଏବଂ ପରମ୍ପରା ଅନୁଯାୟୀ ପ୍ରତି ଗୁରୁବାର ବନକଲାଗି ଦାବିରେ ଦତ୍ତ ମହାପାତ୍ର ଅଡ଼ି ବସିଛନ୍ତି। ତେବେ ଗୁରୁବାର ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ କେତେକ ବିଶେଷ ନୀତି ଥିବାରୁ ବୁଧବାର
ବନକଲାଗି ପାଇଁ ମନ୍ଦିର ପ୍ରଶାସନ ନିର୍ଦେଶନାମା ଜାରି କରିଛି। ଗୁରୁବାର ପରିବର୍ତ୍ତେ ବୁଧବାର ଶ୍ରୀଜୀଉଙ୍କ ବନକଲାଗି ନୀତି ସମ୍ପନ୍ନ କରାଯିବାକୁ ସେଥିରେ କୁହାଯାଇଛି। ଏଥିନେଇ ବିବାଦ ଦେଖାଦେବା ପରେ ଗତ ୧୮ ତାରିଖ ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସେଥିରେ କେତେକ ବରିଷ୍ଠ ସେବକ ଏବଂ ଦତ୍ତ ମହାପାତ୍ର ନିଯୋଗ କର୍ମକର୍ତ୍ତା ଉପସ୍ଥିତ ଥିଲେ। ୧୯ ତାରିଖ ବୁଧବାର ଶ୍ରୀଜୀଉଙ୍କ ବନକଲାଗି ପାଇଁ ସେଥିରେ ସ୍ଥିର କରାଯାଇଥିଲା। ଏହାସତ୍ତ୍ୱେ ଦତ୍ତ ମହାପାତ୍ର ସେବକ ସେଦିନ ବନକଲାଗି ପାଇଁ ଯାଇ ନଥିଲେ। ତେଣୁ ୨୬ ତାରିଖ ବୁଧବାର ଶ୍ରୀଜୀଉଙ୍କ ବନକଲାଗି ପାଇଁ ମନ୍ଦିର ପ୍ରଶାସନ ପୁଣିଥରେ ନିର୍ଦେଶ ଦେଇଥିଲା। ଗୁରୁବାର ବନକଲାଗି କରିବା ଜିଦ୍‌ରେ ଦତ୍ତ ମହାପାତ୍ର ନିଯୋଗ ଅଟଳ ରହିଛି। ଶ୍ରୀଜୀଉଙ୍କ ବନକଲାଗି ନୀତିକୁ ନେଇ ସମାଧାନର ବାଟ ବାହାରୁ ନଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

Hot this week

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

ଆମେରିକା, କୋରିଆ, ଜାପାନ… ସମସ୍ତଙ୍କୁ ପଛରେ ପକାଇ, ରେଳବାଇରେ ଭାରତ କିପରି ସଫଳ ହେଲା ?

ନୂଆଦିଲ୍ଲୀ: ଗତ ୭୫ ବର୍ଷ ମଧ୍ୟରେ ଭାରତ ରେଳ ବିଦ୍ୟୁତୀକରଣରେ ଉଲ୍ଲେଖନୀୟ...

ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲା: ଷଡ଼ଯନ୍ତ୍ରକାରୀ ଉମର ଖଲିଦକୁ ଅନ୍ତରୀଣ ଜାମିନ

ସମାଜଲାଇଭ ଡେସ୍କ: ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲାର ଅଭିଯୁକ୍ତ...

ପାଚିଲା କଦଳୀରୁ ପୁଷ୍ଟିକର ଖାଦ୍ୟ ପିଲାଙ୍କୁ ଦିଅନ୍ତୁ

କଦଳୀକୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଇପାରିବ।...

୨୦୨୬ରେ ଶନିଙ୍କ ପ୍ରଭାବ: ଏହି ରାଶିରେ ବଦଳିବ ଭାଗ୍ୟ

ସମାଜ ଡିଜିଟାଲ ଡେସ୍କ: ନଅଟି ଗ୍ରହ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ...

Related Articles

Popular Categories