ଭୁବନେଶ୍ବର : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି। ଭୁବନେଶ୍ବରରେ ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କୁ ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ବିଚାରପତି, ପୁଲିସ ମହାନିର୍ଦେଶକ, ମୁଖ୍ୟଶାସନ ସଚିବ ପ୍ରମୁଖଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିମାନ ବନ୍ଦରେ ସ୍ବାଗତ କରିଥିଲେ। ସେଠାରୁ ରାଷ୍ଟ୍ରପତି ରାଜଭବନକୁ ଯାଇଛନ୍ତି। ଆଜି ରାଷ୍ଟ୍ରପତି ରାଜଭବନରେ ରାତ୍ରୀ ଯାପନ କରିବା କାର୍ଯ୍ୟକ୍ରମ ରହିଛି।
୩ ଦିନିଆ ଓଡ଼ିଶା ଗସ୍ତ ଅବସରରେ ରାଷ୍ଟ୍ରପତି କଟକ ଓ ଭୁବନେଶ୍ୱରର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଆସନ୍ତାକାଲି ପ୍ରଥମେ କଟକ ଚଣ୍ଡୀ ମନ୍ଦିରରେ ଦର୍ଶନ କରିବାର କର୍ଯ୍ୟକ୍ରମ ରହିଛି। ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ଦଶମ ସମାବର୍ତ୍ତନ ସମାରୋହରେ ମଧ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି। ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ଉଚ୍ଚନ୍ୟାୟାଳୟ ମୁଖ୍ୟବିଚାରପତି ଜଷ୍ଟିସ ଏସ ମୁରଲୀଧରଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେବା କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି କଟକର ୨୨ଟି ସ୍କୁଲ ଓ କଲେଜ ବନ୍ଦ ରଖାଯାଇଛି। ଏହାସହିତ ରାଜସ୍ବ ପର୍ଷଦ, ଆରଡିସି, ଜିଲାପାଳ, ଉପଜିଲାପାଳ, ସବରେଜିଷ୍ଟ୍ରାର, ଡିଇଓ, ବିଇଓ, ପିଡିଡିଆରଡିଏ, ଟ୍ରେଜେରି, ଏସଟିଏ, ଆରଟିଓ, ଏଜି, ତହସିଲ, ଭାରତୀୟ ଷ୍ଟେଟ ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ହାଇକୋର୍ଟ କ୍ୟାମ୍ପସସ୍ଥିତ ପୋଷ୍ଟ ଅଫିସ, ଭାରତୀୟ ଜୀବନ ବୀମା କାର୍ଯ୍ୟାଳୟ ଆଦି ବନ୍ଦ ରହିବ ବୋଲି ସୂଚନା ମିଳିଛି। ରାଷ୍ଟ୍ରପତି ଯେଉଁ ରାସ୍ତାରେ ଯିବେ ସେସବୁ ରାସ୍ତାର ପାର୍ଶ୍ବରେ ପଡୁଥିବା ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ, କାର୍ଯ୍ୟାଳୟ ଇତ୍ୟାଦି ବନ୍ଦ ରଖିବାକୁ କଟକ ଜିଲାପାଳ ନିର୍ଦେଶ ଦେଇଥିବା ଜଣାପଡ଼ିଛି।
ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେର ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ସେଠାରୁ ରାଜଭାବନ ଯାଇ ରାଜଭବନରେ ଓଡ଼ିଶାର ଆପଦଗ୍ରସ୍ତ ଜନଜାତି ଗୋଷ୍ଠୀ ପ୍ରତିନିଧିଙ୍କ ସହିତ ସାକ୍ଷାତ ଆଲୋଚନା କରିବା କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏହାପରେ ରାଷ୍ଟ୍ରପତି ରାଜଭବନରେ ରାତ୍ରୀ ଯାପାନ କରିବେ। ଆସନ୍ତାକାଲି କଟକରେ ୭ଟି କାର୍ଯ୍ୟକ୍ରମରେ ଯୋଗ ଦେବେ ରାଷ୍ଟ୍ରପତି । କଟକ ଚଣ୍ଡୀ ମନ୍ଦିର, ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ବାସ ଭବନ, ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ, ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରହାଳୟ ପରିଦର୍ଶନ କରିବେ । ଉଚ୍ଚ ନ୍ୟାୟାଳୟର ୭୫ ତମ ପ୍ରତିଷ୍ଠା ଦିବସର ପୂର୍ତ୍ତି ଉତ୍ସବ, ଜାତୀୟ ଆଇନ୍ ବିଶ୍ବବିଦ୍ୟାଳୟ କଟକର ସମାବର୍ତ୍ତନ ଉତ୍ସବ, ଏସସିବିର ବାର୍ଷିକୋତ୍ସବରେ ଯୋଗଦାନ କରିବା କାର୍ଯ୍ୟକ୍ରମ ରହିଛି। ସନ୍ଧ୍ୟାରେ ଭୁବନେଶ୍ୱର ଫେରିବେ ବୋଲି କାର୍ଯ୍ୟକ୍ରମ ସ୍ଥିର ହୋଇଛି।
ଜୁଲାଇ ୨୭ ତାରିଖ ପୂର୍ବାହ୍ନ ୧୦ଟା ୪୫ରେ ଭୁବନେଶ୍ୱର ତମାଣ୍ଡୋର ଦଶବାଟିଆଠାରେ ବ୍ରହ୍ମାକୁମାରୀ କେନ୍ଦ୍ର ଲାଇଟ୍ ହାଉସ କମ୍ପ୍ଲେକ୍ସର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେବେ। ଏହା ସହିତ ବାଲିଆପଡ଼ାରେ ଆୟୋଜିତ ସାଧାରଣ ସଭାରେ ଯୋଗଦେବେ।
ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ବ୍ଲୁ ବୁକ୍ ଅନୁସାରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ ହୋଇଛି। ବିମାନ ବନ୍ଦରରୁ ରାଜଭବନ ଓ କାର୍ଯ୍ୟକ୍ରମସ୍ଥଳ ସୁରକ୍ଷା ବଳୟରେ ରହିଛି। ରୁଟ ଲାଇନ, କାରକେଡ଼, ପାର୍କିଂ ଓ ଟ୍ରାଫିକ ବ୍ୟବସ୍ଥା ମଧ୍ୟ କରାଯାଇଛି। ଭୁବନେଶ୍ୱରରେ ୧୨ ଜଣ ଅତିରିକ୍ତ ଉପାୟୁକ୍ତ, ୨୫ ଜଣ ଡିଏସ୍ପି, ୪୦ ଜଣ ଇନ୍ସପେକ୍ଟରଙ୍କ ନେତୃତ୍ୱରେ ୩୬ ପ୍ଲାଟୁନ ପୁଲିସ ଫୋର୍ସ, ୨ଟି କ୍ୟୁଆର୍ଟି ୟୁନିଟ ଓ ଏସ୍ଓଜି ମୁତୟନ ରହିବେ। ସେହିପରି ୧୬୦ ଜଣ ଟ୍ରାଫିକ ପୁଲିସ ଓ ୧୫୦ ଗୃହରକ୍ଷୀ ବିଭିନ୍ନ ସ୍ଥାନରେ ଜଗିବେ । ସୁରକ୍ଷା ବ୍ୟବସ୍ଥାରେ ଅଗ୍ନିଶମ ବିଭାଗର ଅଧିକାରୀ ମଧ୍ୟ ଉପସ୍ଥିତ ରହିବେ।ବୋଲି ଜଣାପଡ଼ିଛି।
ଅନ୍ୟପକ୍ଷରେ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଯେଭଳି ବିଦ୍ୟୁତ ବିଭ୍ରାଟ ନ ହୁଏ ତାକୁ ଦୃଷ୍ଟିରେ ରଖି ଟିପିସିଓଡିଏଲ୍ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି। ଜୁଲାଇ ୨୭ରେ ରାଷ୍ଟ୍ରପତି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ।



