ଭୁବନେଶ୍ବର : ବଜାରରେ ଡାଲି ଦର ବୃଦ୍ଧି ପାଉଥିବାବେଳେ ରାଜ୍ୟ ପାଇଁ ଆବଶ୍ୟକ ଡାଲି ଅମଳ ହୋଇପାରୁ ନାହିଁ। ବାର୍ଷିକ ୧୨ ଲକ୍ଷ ଟନ୍ରୁ ୧୨.୫ଲକ୍ଷ ଟନ୍ ଡାଲି ଆବଶ୍ୟକ ଥିବାବେଳେ ଖରିଫ ଓ ରବି ଋତୁକୁ ମିଶାଇ ୧୧ ଲକ୍ଷ ଟନ୍ ବିଭିନ୍ନ ଡାଲି ଅମଳ କରାଯାଉଛି। ଆବଶ୍ୟକତାରୁ ଏକ ଲକ୍ଷ ଟନ୍ରୁ ୧.୫ ଲକ୍ଷ ଟନ୍ ଡାଲି ଅମଳ କମ୍ ରହୁଛି। ଫଳରେ ଚାହିଦା ମେଣ୍ଟାଇବା ପାଇଁ ବାହାର ରାଜ୍ୟରୁ ଡାଲି ଆମଦାନୀ କରିବାକୁ ପଡୁଛି। ଚାଉଳ ଉତ୍ପାଦନରେ ଓଡ଼ିଶା ଏକ ବଳକା ରାଜ୍ୟରେ ପରିଣତ ହୋଇଥିବା ବେଳେ ଏପର୍ଯ୍ୟନ୍ତ ଡାଲି ଆବଶ୍ୟକତା ପୂରଣ କରିପାରିଲା ନାହିଁ। ବାହାର ରାଜ୍ୟରୁ ଡାଲି ଆମଦାନୀ କରାଯାଉଥିବାରୁ ବଜାରରେ ଡାଲି ଦର ହୁ ହୁ ହୋଇ ବଢୁଛି।
୧୦୦ରୁ ୧୧୦ଟଙ୍କାରେ ମିଳୁଥିବା ହରଡ଼ ଡାଲି ଦେଢ଼ ଶହ ଟପିଲାଣି। ଗୋଦାମରେ ହରଡ଼ ଡାଲି କିଲୋଗ୍ରାମ ପିଛା ଦର ୧୩୦ରୁ ୧୪୫ ଟଙ୍କା ଥିବାବେଳେ ଖୁଚୁରା ବ୍ୟବସାୟୀ ଖାଉଟିଙ୍କୁ ୧୫୫ ଟଙ୍କାରୁ ୧୬୦ ଟଙ୍କା ମଧ୍ୟରେ ବିକ୍ରି କରୁଛନ୍ତି। ମୁଗ, ବୁଟ ଓ ବିରି ଡାଲି ଦର ବୃଦ୍ଧି ହରଡ଼ ଡାଲି ଦର ବୃଦ୍ଧିର ପିଛା ଛାଡୁନାହିଁ। ମୁଗ ଡାଲି ଗୋଦାମରେ ୮୫ରୁ ୧୦୦ ଟଙ୍କା ଥିବାବେଳେ ଖୁଚୁରା ବ୍ୟବସାୟୀ ୧୧୦ରୁ ୧୧୫ ଟଙ୍କାରେ ବିକ୍ରି କରୁଛନ୍ତି। ବିରି ଡାଲି ୧୦୦ରୁ ୧୧୦ଟଙ୍କା ରହିଛି। ବୁଟ ଡାଲି ୬୩ରୁ ୬୫ ଟଙ୍କା ଥିବାବେଳେ ଖାଉଟି ଖୁଚୁରା ବ୍ୟବସାୟୀଙ୍କ ପାଖରୁ ୭୫ ଟଙ୍କାରେ କିଣୁଛନ୍ତି। ମସୁର ଡାଲି କିଲୋଗ୍ରାମ ୭୦ ଟଙ୍କା ଗୋଦାମ ଦର ରହିଛି। ଖାଉଟିଙ୍କୁ ୧୦୦ ଟଙ୍କା ଦେଇ କିଣିବାକୁ ପଡୁଛି। ଗୋଦାମରେ ଯେଉଁ ଦର ରହୁଛି ବଜାରକୁ ଆସିବା ପରେ ଖୁଚୁରା ବ୍ୟବସାୟୀଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତାମୂଳକ ଭାବେ ବିକ୍ରି କରାଯାଉଛି।
କୃଷି ବିଭାଗ ତଥ୍ୟାନୁଯାୟୀ, ଆର୍ଥିକ ବର୍ଷ ୨୦୨୨-୨୩ରେ ଖରିଫ ଓ ରବି ଋତୁରେ ହରଡ଼, ମୁଗ, ବିରି, କୋଳଥ, ଚଣା, ମଟର,ମସୁର, ବରଗୁଡ଼ି ସହ ଅନ୍ୟାନ୍ୟ ଡାଲି ଜାତୀୟ ଫସଲ ୧୦ଲକ୍ଷ ୫୫ ହଜାର ୫୪ ଟନ୍ ଅମଳ ହୋଇଥିଲା, ଯାହାକି ଗତବର୍ଷ ତୁଳନାରେ ପ୍ରାୟ ଏକ ଲକ୍ଷ ଟନ୍ କମ୍ ଅମଳ ହୋଇଥିଲା। ତେବେ ଡାଲିର ଆବଶ୍ୟକତା ଭରଣା ପାଇଁ ଚଳିତ ବର୍ଷ ଖରିଫ ଋତୁରେ ଅମଳ ବୃଦ୍ଧି କରିବାକୁ ବିଭାଗ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ୨୦୨୨-୨୩ ଖରିଫରେ ହରଡ଼ ୧୩୭.୧୫ ଲକ୍ଷ ଟନ୍, ମୁଗ ୭୪.୧୬ ଲକ୍ଷ ଟନ୍, ବରଗୁଡ଼ି ୪୦.୬୭ ଲକ୍ଷ ଟନ୍ ଏବଂ ଅନ୍ୟାନ୍ୟ ଡାଲି ୩୩.୨୮ ଲକ୍ଷ ଟନ୍କୁ ମିଶାଇ ମୋଟ ୩୫୭.୭୬ଲକ୍ଷ ଟନ୍ ଅମଳ ହୋଇଥିଲା। ରବି ଋତୁରେ ମୁଗ ୩୪୬.୬୪ ଲକ୍ଷ ଟନ୍, ବିରି ୧୨୪.୫୪ଲକ୍ଷ ଟନ୍, କୋଳଥ ୯୧.୬ ଲକ୍ଷ ଟନ୍, ମଟର ୨୯.୦୫ ଲକ୍ଷ ଟନ୍, ମସୁର ୭.୮୭ଲକ୍ଷ ଟନ୍, ବରଗୁଡି ୨୭.୩୦ ଲକ୍ଷ ଟନ୍ ଏବଂ ଅନ୍ୟାନ୍ୟ ଡାଲିଜାତୀୟ ଫସଲ ୪୨.୫୩ ଲକ୍ଷ ଟନ୍କୁ ମିଶାଇଲେ ମୋଟ ୬୯୭.୭୮ ଲକ୍ଷ ଟନ୍ ଡାଲି ଜାତୀୟ ଫସଲ ଅମଳ କରାଯାଇଥିଲା।
ଚଳିତ ବର୍ଷ ଖରିଫରେ ବିଭାଗ ହରଡ଼ ୧୮୬.୫୬ ଲକ୍ଷ ଟନ୍, ମୁଗ ୧୨୫ ଲକ୍ଷ ଟନ୍, ବିରି ୧୦୦ ଲକ୍ଷ ଟନ୍, ବରଗୁଡ଼ି ୩୯ ଲକ୍ଷ ଟନ୍, ଅନ୍ୟାନ୍ୟ ଡାଲି ଜାତୀୟ ଫସଲ ୪୩.୬୫ ଲକ୍ଷ ଟନ୍ ଅମଳର ଲକ୍ଷ୍ୟ ରହିଛି। ଯାହାକି ଗତବର୍ଷ ତୁଳନାରେ ୧୩୬.୪୫ ଲକ୍ଷ ଟନ୍ ଅଧିକ। ଏଥିପାଇଁ ଚାଷୀଙ୍କୁ ବିଭାଗ ପକ୍ଷରୁ ପ୍ରୋତ୍ସାହିତ କରାଯାଉଥିବା କୁହାଯାଇଛି। କିନ୍ତୁ ରାଜ୍ୟ ସରକାରଙ୍କ ଏହି ତଥ୍ୟକୁ ବ୍ୟବସାୟୀ ମହାସଂଘଗୁଡ଼ିକ ଗ୍ରହଣ କରିବାକୁ ନାରାଜ। ଯଦି ରାଜ୍ୟରେ ଡାଲି ଜାତୀୟ ଫସଲ ଏତେ ପରିମାଣରେ ଅମଳ କରାଯାଉଛି ତେବେ ବ୍ୟବସାୟୀ କାହିଁକି ବର୍ଷଯାକ ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର ଆଦି ରାଜ୍ୟରୁ ଆମଦାନୀ କରୁଛନ୍ତି ବୋଲି ପ୍ରଶ୍ନ ଉଠୁଛି। ରାଜ୍ୟରେ ହରଡ଼ ଡାଲି ପ୍ରକ୍ରିୟାକରଣ ସୁବିଧା ନଥିବାରୁ ବାହାର ରାଜ୍ୟକୁ ଯାଇ ପ୍ରକ୍ରିୟାକରଣ ହୋଇ ପୁଣି ରାଜ୍ୟକୁ ଆସିବା ଦ୍ବାରା ଦର ଅଧିକ ରହୁଛି। ଡାଲି ସାମଗ୍ରୀର ବେଲଗାମ ଦର ବୃଦ୍ଧିର ମୁଖ୍ୟ କାରଣ ବଡ଼ ବଡ଼ ମଲ୍ ଓ ଷ୍ଟୋର। ଉତ୍ପାଦନ ଆରମ୍ଭରୁ ସେମାନେ ସାମଗ୍ରୀ କିଣି ମହଜୁଦ୍ କରି ରଖୁଥିବାରୁ ବଜାରରେ ଅଭାବ ପଡୁଛି। ଯଦ୍ୱାରା ସେମାନେ ବେଶ୍ ଲାଭବାନ ହେଉଥିବାବେଳେ ଗରିବ ଓ ମଧ୍ୟବିତ୍ତ ଲୋକେ ମହଙ୍ଗା ମାଡ଼ରେ ସନ୍ତୁଳି ହେଉଛନ୍ତି।
ଓଡ଼ିଶା ବ୍ୟବସାୟୀ ମହାସଂଘର ମହାସଚିବ ସୁଧାକର ପଣ୍ଡା କହିଛନ୍ତି, ଡାଲି ଦର ନିୟନ୍ତ୍ରଣ ସରକାରଙ୍କ ହାତରେ ନାହିଁ। କର୍ପୋରେଟ ହାଉସଗୁଡ଼ିକ ସାମଗ୍ରୀ ଗଚ୍ଛିତ ରଖି ଆସ୍ତେ ଆସ୍ତେ ବଜାରକୁ ଦର ବୃଦ୍ଧି କରି ଛାଡୁଛନ୍ତି। ଫଳରେ ବଜାରରେ ଡାଲି ଦର ଅଧିକ ରହୁଛି। କୃଷି ନିର୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି, ଆବଶ୍ୟକତା ଅନୁସାରେ ଖରିଫରେ ଡାଲି ଜାତୀୟ ଫସଲ ଅମଳ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି।
ଡାଲି ଆବଶ୍ୟକତା ମେଣ୍ଟାଇ ପାରୁନି ରାଜ୍ୟ
Popular Categories



