www.samajalive.in
Monday, December 8, 2025
20.1 C
Bhubaneswar

ଗୁଜବ : ‘ବେଟି ବଚାଓ…’ ପାଇଁ ୨ ଲକ୍ଷ

ବରଗଡ଼ : ବରଗଡ଼ ସମେତ ସହରର ଆଖପାଖ ଅଞ୍ଚଳରେ ଏକ ସରକାରୀ ଯୋଜନାର ଗୁଜବ ଲୋକଙ୍କୁ ଭ୍ରମିତ କରିଥିବା ଦେଖିବାକୁ ମିଳିଛି। କେନ୍ଦ୍ର ସରକାରଙ୍କ ତରଫରୁ ‘ବେଟି ବଚାଓ, ବେଟି ପଢ଼ାଓ’ ନାମରେ ହୋଇଥିବା ଏହି ଯୋଜନାରେ ୯ ବର୍ଷରୁ ୩୨ ବର୍ଷର ଝିଅମାନଙ୍କୁ ସେମାନଙ୍କ ସୁରକ୍ଷା ପାଇଁ ୨ ଲକ୍ଷ ଟଙ୍କା ଯୋଗାଇ ଦିଆଯିବ ବୋଲି ଶୁଣିବାକୁ ମିଳୁଛି। ଏଥିପାଇଁ ସକାଳ ହେବା କ୍ଷଣି ବରଗଡ଼ ମୁଖ୍ୟ ଡାକଘର ସମ୍ମୁଖରେ ଶହ ଶହ ଲୋକ ଧାଡ଼ି ବାନ୍ଧି ଫର୍ମପୂରଣ କରିବା ସହିତ ସ୍ପିଡ୍‍ପୋଷ୍ଟ ମାଧ୍ୟମରେ ଏହା ଦାଖଲ କରୁଛନ୍ତି।
‘ବେଟି ବଚାଓ, ବେଟି ପଢ଼ାଓ’ କେବଳ ଏକ ସଚେତନତା କାର୍ଯ୍ୟକ୍ରମ ଏବଂ ଏଥିରେ କୌଣସି ବ୍ୟକ୍ତିବିଶେଷଙ୍କୁ ଆର୍ଥିକ ସହାୟତା ଦେବାର ବ୍ୟବସ୍ଥା ନଥିବାବେଳେ ଏହି ଗୁଜବ କେଉଁଠାରୁ କିଭଳି ଭାବେ ଆରମ୍ଭ ହେଲା ତାହା ସ୍ପଷ୍ଟ ହୋଇ ପାରି ନାହିଁ। ସେହିପରି ଏଥିପାଇଁ ଆବଶ୍ୟକ ଫର୍ମ ପ୍ରଥମେ ବରଗଡ଼ ଜିଲାକୁ କେଉଁଠାରୁ ଆସିଲା ତାହା ଉପରେ କେହି ସଠିକ୍‍ ଭାବରେ କହିପାରୁ ନାହାନ୍ତି। କେବଳ ଅନ୍ୟମାନେ କହିଲେ ସେଥିପାଇଁ ଏହି ଯୋଜନାରେ ସାମିଲ ହେବାକୁ ଆସିଛୁ ବୋଲି ସଂପୃକ୍ତ ଲୋକେ କହୁଛନ୍ତି। ପ୍ରାୟ ସପ୍ତାହେ ହେଲା ଏ ପ୍ରକାର ଗୁଜବରେ ବିଶ୍ବାସ କରି ଲୋକେ ଡାକଘରେ ଲମ୍ବାଧାଡ଼ି ଲଗାଉଥିବାବେଳେ ବୁଧବାର ଗୋଟିଏ ଦିନରେ ବରଗଡ଼ ମୁଖ୍ୟ ଡାକଘରେ ୪୪୨ଜଣ ସ୍ପିଡ୍‌ପୋଷ୍ଟ ମାଧ୍ୟମରେ ଏଭଳି ଆବେଦନ କରିଥିବା ଜଣାପଡିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା, ସରକାରୀ ଭାବେ ଏହି ଯୋଜନାରେ ୨ଲକ୍ଷ ଟଙ୍କା ମିଳୁଥିବା ଭଳି କୌଣସି ଯୋଜନା ଥିବା କେହି ସରକାରୀ ଅଧିକାରୀ, ଜିଲା ପ୍ରଶାସନ କିମ୍ବା ରାଜନେତା କହି ନ ଥିବାବେଳେ ସାଧାରଣ ଲୋକେ କିପରି ଯୋଜନା ଗୁଜବକୁ ବିଶ୍ୱାସ କରି ହଇରାଣ ହେଉଛନ୍ତି ତାହା ଏଠି ଦେଖିବାକୁ ମିଳୁଛି।
ଏଠାକୁ ଆସୁଥିବା ଲୋକମାନେ ଫର୍ମ ଗୋଟିକୁ ଦୁଇ ଟଙ୍କାରୁ ଦଶ ଟଙ୍କା ମୂଲ୍ୟ ଦେଇ କିଣୁଛନ୍ତି ଏବଂ ସେଥିରେ ନିଜ ନିଜ ଅଞ୍ଚଳର ସରପଞ୍ଚଙ୍କ ଦସ୍ତଖତ ସହ ଆଧାର କାର୍ଡ଼, ଭୋଟର ପରିଚୟପତ୍ର ଏବଂ ଅନ୍ୟାନ୍ୟ ପ୍ରମାଣପତ୍ରଗୁଡ଼ିକର ଜେରକ୍ସ କପି ନଥି କରି ଆବେଦନ କରୁଛନ୍ତି। ତାହା ପୁଣି ସ୍ପିଡ୍‍ ପୋଷ୍ଟରେ ପଠାଉଥିବାରୁ ଏଥିପାଇଁ ମଧ୍ୟ ଖର୍ଚ୍ଚାନ୍ତ ହେଉଛନ୍ତି।
ପୋଷ୍ଟମାଷ୍ଟର ସୁରେଶ କୁମାର ନାୟକଙ୍କ ସୂଚନା ଅନୁଯାୟୀ, ଭ୍ରାନ୍ତିରେ ଜନସାଧାରଣ ଏ ପ୍ରକାର ଆବେଦନ କରୁଛନ୍ତି। ଭାରତ ସରକାରଙ୍କ ବାଲ୍ ବିକାଶ ମନ୍ତ୍ରଣାଳୟ ମଧ୍ୟ ତାଙ୍କ ୱେବ୍‍ସାଇଟ୍‍ରେ ସ୍ପଷ୍ଟ କରିଦେଇଛନ୍ତି ଯେ, ଏହା ଏକ ମିଥ୍ୟା ଆବେଦନ ଫର୍ମ। ଏଥିରେ କୁହାଯାଇଛି ଯେ, ଏହା ପୂର୍ବରୁ ହରିଆଣା, ଉତ୍ତରାଖଣ୍ଡ, ପଞ୍ଜାବ, ହିମାଚଳ ପ୍ରଦେଶ, ଦିଲ୍ଲୀ, ବିହାର, ପଶ୍ଚିମବଙ୍ଗ, ରାଜସ୍ଥାନ, କେରଳ ପ୍ରଭୃତି ରାଜ୍ୟରେ ଏଭଳି ମିଥ୍ୟା ଆବେଦନ ଫର୍ମ ମନ୍ତ୍ରଣାଳୟ ନିକଟକୁ ପହଞ୍ଚି ସାରିଛି। ବେଟି ବଚାଓ, ବେଟି ପଢ଼ାଓ (ବିବିପି) କେବଳ ଏକ ସଚେତନତା କାର୍ଯ୍ୟକ୍ରମ। ଏହି ଯୋଜନା ମାଧ୍ୟମରେ କୌଣସି ବ୍ୟକ୍ତିବିଶେଷଙ୍କୁ ଆର୍ଥିକ ସହାୟତା କିମ୍ବା ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର(ଡିବିଟି) ସ୍କିମ୍‌ ମାଧ୍ୟମରେ ସହାୟତା ଦେବାର ବ୍ୟବସ୍ଥା ନାହିଁ। ଏଣୁ ଜନସାଧାରଣ ବିଭ୍ରାନ୍ତି ନ ହୋଇ ଆବେଦନ ନ କରିବାକୁ ଏଥିରେ ପରାମର୍ଶ ଦିଆଯାଇଛି। ଏହାର ନକଲ ଜନସାଧାରଣଙ୍କ ଜ୍ଞାତବ୍ୟ ନିମନ୍ତେ ବରଗଡ଼ ପୋଷ୍ଟ ଅଫିସରେ ଛାପି ଦିଆଯାଇଛି ବୋଲି ପୋଷ୍ଟମାଷ୍ଟର ସୂଚନା ଦେଇଛନ୍ତି। ଜନସାଧାରଣଙ୍କୁ ଏ ସମ୍ପର୍କରେ ଅବଗତ କରାଯିବା ସତ୍ତ୍ବେ ଲୋକେ ୨ଲକ୍ଷ ଟଙ୍କା ପାଇବା ଆଶାରେ ସ୍ପିଡ୍‍ପୋଷ୍ଟ କରୁଥିବା ସେ ସୂଚନା ଦେଇଛନ୍ତି। ଏ ସମ୍ପର୍କରେ ବିଧିବଦ୍ଧ ରୂପେ ବରଗଡ଼ ଜିଲା ଆରକ୍ଷୀ ଅଧିକ୍ଷକ ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିବା ଜଣାପଡ଼ିଛି।
ଏ ସମ୍ପର୍କରେ ବରଗଡ଼ ମୁଖ୍ୟ ଡାକଘରର ଡେପୁଟି ପୋଷ୍ଟମାଷ୍ଟର ରାଜ କୁମାର ବେହେରାଙ୍କୁ ପଚାରିବାରୁ ସେ ସିଧାସଳଖ ଏହା ଏକ ଗୁଜବ ଅଟେ ବୋଲି ପ୍ରକାଶ କରିଥିଲେ। ଏହିପରି କୌଣସି ଯୋଜନା ନଥିଲେ ମଧ୍ୟ ସାଧାରଣ ଲୋକେ ବୁଝୁନାହାନ୍ତି। ସେମାନଙ୍କୁ ଆମ ଅଫିସର କର୍ମଚାରୀମାନେ ବୁଝେଇବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ସେମାନେ ସଚେତନ ହେଉନାହାନ୍ତି। ଜନସାଧାରଣ ଏହିପରି ଗୁଜବରୁ ଦୂରେଇ ରହିବାକୁ ସେ ନିବେଦନ କରିଛନ୍ତି।
ସେହିପରି ବରଗଡ଼ ପୌରାଧ୍ୟକ୍ଷ ପ୍ରଶାନ୍ତ ବେହେରା ସାମାଜିକ ଗଣମାଧ୍ୟମରେ ସରକାରଙ୍କ ତରଫରୁ ଏହିପରି କୌଣସି ଯୋଜନା ନାହିଁ, ଏହା ଏକ ମିଛ ଖବର ବୋଲି ଘୋଷଣା କରି ଜନଧାରଣଙ୍କୁ ଏଥିରୁ ଦୂରେଇ ରହିବା ପାଇଁ ଅନୁରୋଧ କରୁଛନ୍ତି। ଏହି ଗୁଜବଙ୍କୁ ବନ୍ଦ କରାଯିବା ତଥା ଏପରି କୌଣସି ଯୋଜନା ଯଦି ଅଛି ତାହା ଉପରେ ଜିଲା ପ୍ରଶାସନ ତରଫରୁ ସ୍ପଷ୍ଟୀକରଣ ଦିଆଯିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି। ସୂଚନାଯୋଗ୍ୟ ଯେ, ଗତ ସୋମବାରଠାରୁ ବରଗଡ଼ ମୁଖ୍ୟ ପୋଷ୍ଟ ଅଫିସ ଠାରେ ଲୋକମାନେ ଲମ୍ବା ଧାଡ଼ିରେ ଛିଡ଼ା ହୋଇ ଏ ପ୍ରକାର ସ୍ପିଡ୍‌ପୋଷ୍ଟ ମାଧ୍ୟମରେ ଆବେଦନ କରୁଛନ୍ତି। ବରଗଡ଼ ପୁଲିସ ପ୍ରଶାସନ ମଧ୍ୟ ଘଟଣାର ଅନୁସନ୍ଧାନ କରୁଥିବା ଜଣାପଡ଼ିଛି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories