ଚୌଦ୍ୱାର: ଚୌଦ୍ୱାରସ୍ଥିତ ଇମ୍ଫା ଶିଳ୍ପକୁ ବିଦ୍ୟୁତ୍ ନିରାପତ୍ତା ଉତ୍କର୍ଷତା ପୁରସ୍କାର ପ୍ରଦାନ କରାଯାଇଛି। କାର୍ଯ୍ୟକ୍ଷେତ୍ରରେ ବିଦ୍ୟୁତ୍ ନିୟମାବଳୀର ସଠିକ୍ ପାଳନ ଓ ଉପଯୁକ୍ତ ରୂପାୟନ ପାଇଁ ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ ତରଫରୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଚତୁର୍ଥ ଜାତୀୟ ବିଦ୍ୟୁତ୍ ନିରାପତ୍ତା ସପ୍ତାହ ପାଳନ ଅବସରରେ ଭୁବନେଶ୍ୱରରେ ଏହି ଉପଲକ୍ଷେ ଆୟୋଜିତ ସମାରୋହରେ ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ ଅତିଥି ଭାବେ ଯୋଗଦେଇ ଇମ୍ଫାର ଚୌଦ୍ୱାର ଶାଖାକୁ ଏହି ପୁରସ୍କାର ପ୍ରଦାନ କରିଥବା ଇମ୍ଫାର ଲୋକ ସମ୍ପର୍କ ଅଧିକାରୀ ଧ୍ରୁବ ଚରଣ ରାଉତ ସୂଚନା ଦେଇଛନ୍ତି। ଇମ୍ଫା ବରିଷ୍ଠ ଉପସଭାପତି ତଥା ଫେରୋ ଆଲଏଜ୍ ବ୍ୟବସାୟ ମୁଖ୍ୟ ଦୀପକ ମହାନ୍ତି ଏହି ପୁରସ୍କାର ଗ୍ରହଣ କରିଥିଲେ। ରାଜ୍ୟ ଶକ୍ତି ବିଭାଗ ଅତିରିକ୍ତ ସଚିବ ନିକୁଞ୍ଜ ବିହାରୀ ଧଳ ଓ ବିଦ୍ୟୁତ୍ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ସୁରେଶ ଚନ୍ଦ୍ର ମହାରଣା ଉତ୍ସବରେ ଅତିଥି ଭାବେ ଉପସ୍ଥିତ ଥିଲେ। କାର୍ଯ୍ୟ କ୍ଷେତ୍ରରେ ନିରାପତ୍ତାକୁ ଗୁରୁତ୍ୱ ଦେବା କ୍ଷେତ୍ରରେ ଇମ୍ଫା ଅଙ୍ଗିକାରବଦ୍ଧ ବୋଲି ଭିପି ଶ୍ରୀ ମହାନ୍ତି ସୂଚନାଦେଇ ଶକ୍ତି ସମ୍ପର୍କିତ ନିରାପଦ କାର୍ଯ୍ୟକ୍ଷେତ୍ର ପ୍ରସ୍ତୁତି ଉପରେ ଇମ୍ଫା ସର୍ବଦା ଗୁରୁତ୍ୱ ଦେଉଛି ବୋଲି ପ୍ରକାଶ କରିଛନ୍ତି।
Popular Categories



